Categories: ଖେଳ

କିଟ୍‌, କଟକ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୧୪।୯(ତପନ ସ୍ବାଇଁ): ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସିନିୟର, ଜୁନିୟର, ସବ୍‌ଜୁନିୟର ଓ ୟୁଥ୍‌ ବର୍ଗରେ ମାଉଣ୍ଟେନ ସାଇକ୍ଲିଂ ପ୍ରତିଯୋଗିତା କେନ୍ଦୁଝରର ଖଣିବଜାର ହଦଗଡ଼ ଡ୍ୟାମ ଟ୍ରାକ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଦୁଇଦିନିଆ ପ୍ରତିଯୋଗିତାର ସିନିୟର ଓ ଜୁନିୟର ବର୍ଗରେ କିଟ୍‌ ଏବଂ ସବ୍‌ଜୁନିୟର ଓ ୟୁଥ୍‌ ବର୍ଗରେ କଟକ ଦଳଗତ ଚାମ୍ପିୟନ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ୧୨୪ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସିନିୟର ଟାଇମ୍‌ ଟ୍ରାଏଲ୍‌ ପ୍ରତିଯୋଗିତାର ପୁରୁଷ ବର୍ଗରେ ରୋହିତ ହେମ୍ବ୍ରମ, ସୁନୀଲ କୁମାର ସାହୁ ଓ ଅଜୟ ବିଶ୍ୱାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ମହିଳା ବିଭାଗରେ ଊର୍ମିଳା ବେହେରା, ଆନନ୍ଦିନୀ ପ୍ରଧାନ ଓ ମଧୁସ୍ମିତା ବେଡାକ୍‌ ପ୍ରଥମ ୩ ସ୍ଥାନ ଅଧିକାର କରିଥିଲେ। ମାସ୍‌ଷ୍ଟାଟ୍‌ ପ୍ରତିଯୋଗିତାର ସିନିୟର ବର୍ଗରେ ସୂରଜ କୁମାର ସେଠୀ ପ୍ରଥମ, ରୋହିତ ହେମ୍ବ୍ରମ ଦ୍ୱିତୀୟ ଓ ଟିକେଶ୍ୱର ମାଝି ତୃତୀୟ ହୋଇଥିଲେ। ବିଭିନ୍ନ ବର୍ଗର ମହିଳା, ପୁରୁଷ, ବାଳକ ଓ ବାଳିକା ବିଭାଗରେ ମୋଟ ୪୮ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

କେନ୍ଦୁଝର ଜିଲା ଡିଆର୍‌ଡିଏ ଉପାଧ୍ୟକ୍ଷ ସୋମନାଥ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ଆସୋସିଏଶନ ସଭାପତି ମିନତୀ ମହାପାତ୍ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ପ୍ରସନ୍ନ କୁମାର ରାଉତ, କୋଷାଧ୍ୟକ୍ଷ ସୁଜିତ ରାଉତ, ଉପସଭାପତି ନୃସିଂହ ସାହୁ, ସହସମ୍ପାଦକ ଗୋପୀନାଥ ସ୍ବାଇଁ, କୋଚ୍‌ ସୁଶୀଲ ଦାସ, ଅପୂର୍ବ ରଞ୍ଜନ ବେହେରା, ମନୋରଞ୍ଜନ ବାରିକା, ରାମକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Share