ଛତ୍ରପୁର, ୧୪।୧୧(ପ୍ରଶାନ୍ତ କୁମାର ମିଶ୍ର / ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଡାପଲ୍ଲୀ ନିକଟରେ ଶନିବାର ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଯାତ୍ରୀବାହୀ ଅଟୋକୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ଅଟୋରେ ଥିବା ୪ ଜଣ ଶିଶୁଙ୍କ ସମେତ ମୋଟ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କଦଳୀବସନ୍ତ ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋ (ଓଡି ୨୫ ବି ୭୬୨୭) ୧୩ ଜଣ ଯାତ୍ରୀଙ୍କୁ ନେଇ ସନ୍ତୋଷପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଗଣ୍ଡାପଲ୍ଲୀ ନିକଟରେ ପଛପଟୁ ଅତ୍ୟନ୍ତ ଦ୍ରୁତଗତିରେ ଆସୁଥିବା ଏକ କାର (ଟିଏସ୍ ୦୭ ଏଚ୍ଏ ୭୫୭୫) ଭାରସାମ୍ୟ ହରାଇ ଅଟୋକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋରେ ଥିବା ସମସ୍ତ ଯାତ୍ରୀ ଛିଟିକି ପଡ଼ି ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

