Categories: ଖେଳ

କର୍ବର ହାରିଲେ, ପ୍ଲିସ୍‌କୋଭାଙ୍କ ବିଜୟ

ପ୍ୟାରିସ୍‌, ୩୦ା୯ (ଏପି)-ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ପ୍ଲିସ୍‌କୋଭା କ୍ୱାଲିଫାୟର ତଥା ଇଜିପ୍ଟର ମେୟାର ଶେରିଫ୍‌ଙ୍କୁ ୬-୭(୯), ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ରୋଲାଣ୍ଡ ୨୦୧୭ରେ ଗ୍ୟାରୋସଠାରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ଜେଲେନା ଓଷ୍ଟାପେଙ୍କୋଙ୍କୁ ଭେଟିବେ। ଲାଟିଭିଆର ଏହି ବିଗ୍‌ ହିଟିଂ ଖେଳାଳି ସେହିବର୍ଷ ଫ୍ରେଞ୍ଚ ଓପନ୍‌ ଜିତିଥିଲେ। ଅନ୍ୟପକ୍ଷରେ ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଆଞ୍ଜେଲିକ୍‌ କର୍ବର କ୍ରମାଗତ ଦ୍ୱିତୀୟ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏଠାରେ ୧୮ତମ ସିଡ୍‌ ତଥା ଜର୍ମାନୀର କର୍ବରଙ୍କୁ ସ୍ଲୋଭେନିଆର ୧୯ବର୍ଷୀୟା କାଜା ଜୁଭାନ୍‌ ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏକଦା ର଼୍ୟାଙ୍କିଙ୍ଗ ତାଲିକାର ନମ୍ବର ଓ୍ବାନ ଥିବା କର୍ବର ଫ୍ରେଞ୍ଚ ଓପନ୍‌ ବ୍ୟତୀତ ଅନ୍ୟ ସମସ୍ତ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରିଛନ୍ତି। ୨୦୧୨ ଓ ୨୦୧୮ରେ ରୋଲାଣ୍ଡ ଗ୍ୟାରସରେ ସେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଥିଲେ। ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଶ୍ୱେତଲାନା କୁଜେଁତ୍ସୋଭା ମଧ୍ୟ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଦୁଇଥର ଫ୍ରେଞ୍ଚ ଓପନ୍‌ ଚାମ୍ପିୟନଙ୍କୁ ତାଙ୍କ ଦେଶର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା ୬-୧, ୨-୬, ୬-୧ ସେଟ୍‌ରେ ପରାଜିତ କରିଛନ୍ତି। ଗାର୍ବାଇନ୍‌ ମୁଗୁରେଜା ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଛନ୍ତି। ତାମାରା ଜିଡାନ୍‌ସେକ୍‌ଙ୍କ ବିପକ୍ଷରେ ସେ ୭-୫, ୪-୬, ୮-୬ ସେଟ୍‌ରେ ବିଜୟ ଲାଭ କରିଛନ୍ତି।

 

 

ନାଡାଲ, ଜୋକୋଭିଚ୍‌ ଦ୍ୱିତୀୟ ରାଉଣ୍ଡରେ

ଗତଥରର ଚାମ୍ପିୟନ ରାଫାଲ ନାଡାଲ ଓ ସର୍ବୀୟ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।ଇଗୋର ଜେରାସିମୋଭ୍‌ଙ୍କୁ ନାଡାଲ ୬-୪, ୬-୪, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ଏଠାରେ ସେ ଚାମ୍ପିୟନ ହେଲେ ପୁରୁଷ ବିଭାଗରେ ରୋଜର ଫେଡରର କରିଥିବା ରେକର୍ଡର ସେ ସମକକ୍ଷ ହୋଇ ପାରିବେ। ଦ୍ୱିତୀୟ ସିଡ୍‌ ନାଡାଲ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ମ୍ୟାକେଞ୍ଜି ମ୍ୟାକ୍‌ ଡୋନାଲ୍ଡଙ୍କୁ ଭେଟିବେ। ଜୋକୋଭିଚ୍‌ ସ୍ବିଡେନ୍‌ର ମିକାଏଲ୍‌ ୟେମେରଙ୍କୁ ୬-୦, ୬-୨, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।

Share