କେନ୍ଦ୍ରାପଡ଼ା ପୌରପାଳିକାକୁ ମାସିକ ୧ଲକ୍ଷ ଟଙ୍କା ଜରିମାନା

କେନ୍ଦ୍ରାପଡ଼ା ଅଫିସ, ୨୦ା୭: କେନ୍ଦ୍ରାପଡ଼ା ସହର ନିକଟ ଗୋବରୀ ନଦୀ ପ୍ରଦୂଷଣ ମାମଲାରେ ସ୍ଥାନୀୟ ପୌରପାଳିକାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ରବେୟା ତବସୁମ୍‌ଙ୍କ ଦ୍ୱାରା ଆଗତ ମାମଲା (ନଂ.୨୮/୨୨)ର ଶୁଣାଣି ଗତ ୧୩ ତାରିଖରେ ହୋଇଥିଲା। ପ୍ରଶାସନିକ ରିପୋର୍ଟକୁ ଆଧାର କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା (ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ) ରୁଲ ୨୦୧୬ ଅନୁଯାୟୀ ୨୦୨୦ ଏପ୍ରିଲ ୧ଠାରୁ ମାସିକ ୧ ଲକ୍ଷ ଟଙ୍କା କେନ୍ଦ୍ରାପଡ଼ା ପୌରପାଳିକାକୁ ଦେବାକୁ ଏନ୍‌ଜିଟିର ଜୁଡିସିଆଲ୍‌ ମେମ୍ବର ବିଚାରପତି ଅମିତ ସ୍ଥାଲକାର୍‌ ଏବଂ ବିଶେଷଜ୍ଞ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ।
ସୂଚନାଯୋଗ୍ୟ, ଗୋବରୀ ନଦୀରେ ସହରର ଅଳିଆ, ଆବର୍ଜନା ଛଡ଼ା ଯାଇ ନଦୀକୁ ପ୍ରଦୂଷଣ କରାଯାଉଥିବା ଦର୍ଶାଇ ତବେୟା ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ଗତ ଜୁନ ୩ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ୧୧ ତାରିଖରେ ସତ୍ୟପାଠ ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ଏନ୍‌ଜିଟି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇ ଗତ ଏପ୍ରିଲରେ ସ୍ଥାନୀୟ ଅଞ୍ଚଳ ସର୍ଭେ ହୋଇଥିଲା। ଏହିସବୁ ରିପୋର୍ଟର ତର୍ଜମା ପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରରେ ଅଳିଆ, ଆବର୍ଜନା ପ୍ରତି ସମ୍ବେଦନଶୀଳ ନ ଥିବା ଦର୍ଶାଇ ମାସିକ ୧ ଲକ୍ଷ ଟଙ୍କା ରାଜ୍ୟ ପ୍ରଦୂଷଣ ବୋର୍ଡ଼ ନିକଟରେ ଜମା କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆବର୍ଜନା ପରିଚାଳନା ପାଇଁ କେତେକ ପରାମର୍ଶ ରିପୋର୍ଟରେ ଉଲ୍ଲେଖ କରାଯାଇଛି।