ଛତ୍ରପୁର, ୪।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାରେ ପୋଲିିସର ‘ଥାର୍ଡ ଡିଗ୍ରୀ’ ଯୋଗୁ ଦିବ୍ୟାଙ୍ଗ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ମାମଲାରେ ଏବେ ମାନବାଧିକାର ସୁରକ୍ଷା ସେଲ (HRPC) ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି। ଏହି କ୍ରମରେ ଆଜି HRPC ର ୪ ଜଣିଆ ଟିମ ଗଞ୍ଜାମ ଏସ୍ପିଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
HRPC ତଦନ୍ତକାରୀ ଟିମର ମୁଖ୍ୟ ତଥା ଏସ୍ପି ଗୋପାଳ ପ୍ରସାଦ ପଟ୍ଟନାୟକ ଏବଂ ଡିଏସ୍ପି ଅନ୍ନପୂର୍ଣ୍ଣା ବେହେରା ଛତ୍ରପୁର ସ୍ଥିତ ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଏସ୍ପି ହରିଶ ବିଶିଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତକୁ ସ୍ବଚ୍ଛ ଓ ସଠିକ କରିବା ପାଇଁ ଥାନାରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍କୁ ଖୁବ୍ଶୀଘ୍ର HRPC ଟିମକୁ ପ୍ରଦାନ କରାଯିବ ବୋଲି ଏସପି ବିଶି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୃତକ ସୁଶାନ୍ତଙ୍କ ଭାଇଙ୍କୁ ନିଜ ବୟାନ ବଦଳାଇବା ପାଇଁ ଜଣେ ପୋଲିସ କର୍ମଚାରୀ ଚାପ ପକାଉଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଏହି ବିଷୟରେ ମଧ୍ୟ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ଜଣାପଡ଼ିଛି।
ଉକ୍ତ ସମ୍ବେଦନଶୀଳ ଘଟଣା ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି। ଗୁରୁବାର କନ୍ଧମାଳରୁ ଆସିଥିବା ସଞ୍ଜିତ ବେହେରା କବିସୂର୍ଯ୍ୟନଗର ଥାନାର ନୂଆ ଥାନା ଅଧିକାରୀ (IIC) ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଏସ୍ପି ସୂଚନା ଦେଇଛନ୍ତି।
କହିରଖୁଛୁ ଯେ, ଦିବ୍ୟାଙ୍ଗ ଯୁବକଙ୍କ ହାଜତ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, HRPC ର ସିସିଟିଭି ଫୁଟେଜ ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily