Categories: ଖେଳ

କାଭିନ୍ଦର, ସଞ୍ଜିତ୍‌ ଫାଇନାଲରେ

ନୂଆଦିଲ୍ଲୀ, ୩୧ା୧୦ (ପି.ଟି.)- ଭାରତୀୟ ବକ୍ସର କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ଓ ସଞ୍ଜିତ (୯୧କେଜି) ଫ୍ରାନ୍ସର ନାଣ୍ଟିସ୍‌ଠାରେ ଚାଲିଥିବା ଆଲେକ୍ସିସ୍‌ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୪ଥର ଏସିଆନ୍‌ ପଦକ ବିଜେତା ଶିବ ଥାପ୍ପା (୬୩କେଜି) ତାଙ୍କ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ସେ ସ୍ଥାନୀୟ ଫେଭରାଇଟ୍‌ ଲୋନେସ୍‌ ହାମରାଇଙ୍କ ନିକଟରୁ ୨-୧ରେ ପରାଜିତ ହୋଇଛନ୍ତି। ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଏବଂ ପୂର୍ବତନ ବିଶ୍ୱଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲିଷ୍ଟ କାଭିନ୍ଦର ଫ୍ରାନ୍ସର ବେନିକ୍‌ ଜର୍ଜ ଭେଲକୁମିଆନଙ୍କ ବିପକ୍ଷ ଲଢେଇ ୩-୦ରେ ସହଜ ବିଜୟ ଲାଭ କରିଛନ୍ତି। ସେ ଟାଇଟଲ ମୁକାବିଲାରେ ଅନ୍ୟ ଜଣେ ସ୍ଥାନୀୟ ଆଶାୟୀ ସାମୁଏଲ୍‌ କିସ୍ତୋହରିଙ୍କୁ ଭେଟିବେ। ଇଣ୍ଡିଆ ଓପନ୍‌ ସ୍ବର୍ଣ୍ଣ ବିଜେତା ସଞ୍ଜିତ ଆମେରିକାର ଶେରଡ୍‌ ଫଲ୍‌ଗମ୍‌ଙ୍କୁ ୨-୧ରେ ହରାଇ ଦେଇଛନ୍ତି। ସଞ୍ଜିତ ମଧ୍ୟ ଫାଇନାଲରେ ଜଣେ ଫ୍ରେଞ୍ଚ ପ୍ରତିଦ୍ୱନ୍ଦ୍ୱୀ ସୋହେବ ବୋଆଫିଆଙ୍କ ସହ ମୁକାବିଲା କରିବେ। ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ ଫଙ୍ଗାଲ (୫୨କେଜି) ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଆମେରିକାର ଖ୍ରିଷ୍ଟୋଫର ହେରେରାଙ୍କୁ ଭେଟିବେ। ଏହି ବିଭାଗରେ ହୋଇଥିବା ଡ୍ର’ରେ ମାତ୍ର ୪ ବକ୍ସର ଭାଗ ନେଇଥିଲେ। ମାର୍ଚ୍ଚରେ ଜୋର୍ଡାନରେ ଅଲିମ୍ପିକ କ୍ୱାଲିଫାୟର୍ସ ପରେ ଭାରତୀୟ ବକ୍ସରମାନେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Share