କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ ମେଶିନରେ ତିଆରି ଜିନିଷକୁ ଲୋକେ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ବିଭିନ୍ନ ହାତତିଆରି ଜିନିଷ  ତିଆରି ହେବା ପରେ ମଧ୍ୟ ବିକ୍ରି ହୋଇ ପାରୁ ନାହିଁl ଏନେଇ ବୃତ୍ତିଠାରୁ ମୁହଁ ଫେରେଇ ବାକୁ ବାଧ୍ୟ ହେଉଛନ୍ତି କାରିଗର । ଜୀବନ ଜୀବିକା ହରାଇ ହାତ ବାନ୍ଧି ବସିବାକୁ ଅଧିକ ପସନ୍ଦ କରୁଛନ୍ତି।
ଉଦାହରଣ ଭାବେ ବାଉଁଶ କାରିଗର କଥା କହିବା ବାଉଁଶର ଅଭାବ ଏବଂ ଆଧୁନିକ ବଜାରରେ ଚାହିଦା କମିବା ଯୋଗୁ ଓଡ଼ିଶାର ପାରମ୍ପରିକ ବାଉଁଶ କାରିଗରଙ୍କ ଜୀବନ ଜୀବିକା ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି । ଗଞ୍ଜାମ ଜିଲା ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଭିନ୍ନ ଅଞ୍ଚଳରେ ବାଉଁଶ କାରିଗରୀ କରି ଜୀବନ ନିର୍ବାହ କରୁଛନ୍ତି ।୨୫ରୁ ଊର୍ଦ୍ଧ୍ୱ ବାଉଁଶରେ ବିଭିନ୍ନ ବ୍ୟବହାର ଜିନିଷ ଉଦାହରଣ କୁଲା କୁଣ୍ଡି, ଗୁଲେଇ, ତାଟ, ଚାଉଳ ଧୁଆ ଆଦି ଘରେଇ ଉପକରଣ ତିଆରି କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ସରକାରୀ ପ୍ରୋତ୍ସାହନ  ଅଭାବରୁ ଦୁର୍ଦ୍ଦିନରେ ସେମାନେ ଜୀବନ ଯାପନ କରୁଥିବା ଜଣାପଡିଛି । ପୂର୍ବରୁ ବିବାହ ଋତୁରେ ଡଲା, କୁଲା ଆଦି ବିଭିନ୍ନ ମାଙ୍ଗଳିକ ଉପକରଣ ଯୋଗାଇ ବେଶ ଦି ପଇସା ରୋଜଗାର କରିଥାନ୍ତି।ବନ ବିଭାଗ ପାଇଁ ବାଉଁଶ ନିର୍ମିତ ଚାରାର ସୁରକ୍ଷା ବାଡ଼ ତିଆରି କରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ପାଇଁ ତାଟି, ଚାଞ୍ଚ, ଧାନ ମହଜୁଦ ରଖିବାକୁ ଡୋଲି ଆଦି ତିଆରି କରି ଯୋଗାଇଥାନ୍ତି। ଖାଲି
ଏତିକି ନୁହେଁ ବାଉଁଶରୁ ବିଭିନ୍ନ ସୌଖିନ ସାମଗ୍ରୀ ମଧ୍ୟ ତିଆରି କରିଥାନ୍ତି । ମାତ୍ର ସମ୍ପୃକ୍ତ ବାଉଁଶ କାରିଗରମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ବାଉଁଶ କାରିଗରଙ୍କୁ ତାଲିମ ପ୍ରଦାନ, ବାଉଁଶ ଯୋଗାଣ, ପ୍ରସ୍ତୁତ ସାମଗ୍ରୀର ବିକ୍ରି, ଋଣ ପ୍ରଦାନ ଆଦିର ସରକାରୀ ବ୍ୟବସ୍ଥା ରହିଥିଲେ ହେଁ ନିକଟରେ ଅପହଞ୍ଚ ହୋଇ ରହିଛି।
ନିଜ ଉଦ୍ୟମରେ ବାଉଁଶ ଯୋଗାଡ଼ କରି ଯାହା ବି ତିଆରି କରୁଛନ୍ତି ସେତେଟା ବିକ୍ରି  ମଧ୍ୟ ହେଉ ନାହିଁ । ସ୍ଥାନୀୟ ସାପ୍ତାହିକ ହୁମ୍ମା ହାଟରେ ବାଉଁଶରେ ନିର୍ମିତ ହୋଇଥିବା ସାମଗ୍ରୀ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରି ନିଜ ପରିବାର ଚଳେଇଥାନ୍ତି। ବନ ବିଭାଗ ବି ଏମାନଙ୍କ ଠାରୁ ସାମଗ୍ରୀ ନେଉଥିବା ବେଳେ ସରକାରୀ ସ୍ତରରେ ଅନ୍ୟ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଉ ନ ଥିବାରୁ ହାତ ବାନ୍ଧି ବସି ରହିଛନ୍ତ।
ଘରକରଣା ଜିନିଷରେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ବଢିବାରୁ ବାଉଁଶ ତିଆରି ଝୁଡ଼ି, କୁଲା, ଟୋକେଇ ଆଦିର ଚାହିଦା କମିଯାଇଛି । ନିକଟସ୍ଥ ଜଙ୍ଗଲ କମିବା ଏବଂ ବାଉଁଶର ଦର ବୃଦ୍ଧି ଯୋଗୁଁ କାରିଗରମାନେ ସହଜରେ କଞ୍ଚାମାଲ ପାଉନାହାନ୍ତି। ଅଧିକ ପରିଶ୍ରମ ସତ୍ତ୍ୱେ ବଜାରରେ ସଠିକ ଦର ନ ମିଳିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହେଉଛି । କୌଳିକ ବୃତ୍ତିରେ ଆର୍ଥିକ ସ୍ଥିରତା ନଥିବାରୁ ଯୁବପିଢି ଏହି କାର୍ଯ୍ୟରୁ ମୁହଁ ଫେରାଇ ନେଉଛନ୍ତି । ପାରମ୍ପରିକ କଳାକୁ ବଞ୍ଚାଇବା ପାଇଁ ସରକାରୀ ସହାୟତା ଓ ବଜାର ସୁବିଧା ନିହାତି ଆବଶ୍ୟକ ହୋଇପଡିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ଅଧିକ ସଚେତନ କରାଇବା ସହ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି ।
Dharitri – Odisha’s No.1 Odia Daily

Share