Posted inଫୁରସତ

ମତେ ଧିକ୍‌

ସେଦିନ ରାତିରେ ପାହାନ୍ତି ସପନରେ ଯାହା ଦେଖିଲି, ମୁଁ ମରି ଜୁଇ-ନିଆଁରେ ଜଳିବା ଆଗରୁ ଛାତି ଭିତରର ଭୟ-ନିଆଁରେ ହୁତୁ ହୁତୁ ଜଳୁଥିଲି। ମୁଁ କୁଆଡ଼େ ମରିଯାଇଛି ବୋଲି ସାହି-ଭାଇ, ବନ୍ଧୁ-ବାନ୍ଧବ ଜମା ହୋଇଛନ୍ତି। ମୋ ନିଜ ସ୍ତ୍ରୀ-ଯାମିନୀ ସହ ପିଲାମାନେ ରଡ଼ି ବୋବାଳି ଛାଡୁଛନ୍ତି l କହୁଛନ୍ତି… ଆମ ସଂସାର ଭାସିଗଲା ! ମୋରି ଆଗରେ ଛ’ଖଣ୍ଡ ବାଉଁଶକୁ ଶିଡ଼ି ଭଳିଆ ପକେଇ ମୋ ଦେହକୁ ଧଳା କପଡାରେ ଗୁଡେଇ ପାଳ-ଦଉଡ଼ିରେ ଭିଡ଼ିକି ବାନ୍ଧିଛନ୍ତି l ଗଳାରେ ଗେଣ୍ଡୁମାଳ ଗଣ୍ଡେ ଗଳେଇ, ସମସ୍ତେ ମୋ ଚଉପାଶରେ ବେଢ଼ି ଗଳା ଫଟେଇ ରୋଦନ କରୁଛନ୍ତି l ଯେତେ ବିକଳହୋଇ ଚିତ୍କାରକରି କହୁଛି.. ଆରେ! ମୁଁ କୁଆଡ଼େ ଯାଇନି ରେ.. ଏଇ ଦେଖ, ତମରି ପାଖରେ ଅଛି, -କେହି ମୋ କଥା ଶୁଣୁନାହାନ୍ତି l ଏଡ଼େ ବଡ଼ ବଡ଼ ମୋ କୋଠା ଘର, ଦାମୀ କାଠର ଖଟ -ପଲଙ୍କ, ଯାହା ମୁଁ ସେ ନାଥ କଣ୍ଟ୍ରାକ୍ଟରକୁ ଧମକେଇ, ତା’ ଗାଁ ରାସ୍ତା, ପୋଲ, ସ୍କୁଲଘର କାମ ବାବଦକୁ ମିଳିଥିବା ଲାଭରେ ହାସଲ କରିଥିଲି, କେତେ ବଡ଼ ବଡ଼ ଅଫିସରଙ୍କ ସୌଜନ୍ୟରୁ ପ୍ରାପ୍ତ ଶାଢ଼ୀ, ସୁନା ଠୁ ଘରେ ଏସି ଲଗେଇ ଖରାଦିନେ କାଲୁଆ ପବନ ଖାଉଥିଲି, ସବୁ ସେମିତି ଅଛି l ଚାରି ହଜାରେ ଇଲେକ୍ଟ୍ରି ବିଲ୍‌ ଆସୁଥିବା ମିଟରକୁ ଚାରି ଶହ ଟଙ୍କା ଦେବାର କାରସାଦି କରିଥିଲି, ବାପ ଅମଳର ଜମି ଦି’ଗୁଣ୍ଠକୁ ବଢ଼େଇ ବାଟିଏ କରିଥିଲି, ସବୁ ତ ସେମିତି ଅଛି l ଅଥଚ ମତେ ମୋ ଗଢ଼ା କୋଠାଘରେ ଏସି ରୁମ୍‌ରେ ଖଟ ଗଦିରେ ନ ଶୁଆଇ ଏ ପାଳ ଦଉଡ଼ି ଭିଡା ବାଉଁଶ ଶେଯରେ ଅଗଣାରେ ଟାଇଁ ଟାଇଁଆ ଖରାରେ ଶୁଆଇ.. ତୁଚ୍ଛା ଲୋକ ଦେଖାଣିଆ ଭଲପାଇବାର ଛଳନାକରି ମେଣ୍ଢା ଭଳିଆ ରଡ଼ି ଛାଡ଼ୁଛ କିଆଁରେ? ଆଉ ସହିପାରିଲିନି l ପାଟିକରି ମୋ ସ୍ତ୍ରୀ କି କହିଲି.. ହଇଲୋ ଯାମିନୀ ! ତତେ କ’ଣ ମୋ ଏ ଅବସ୍ଥା ଦୁଶୁନି ? ତୋ ପାଇଁ ମୁଁ କ’ଣ ନ କରିଛି ? ବାହାଘର ବେଳେ ବୋପାଘର ସୂତା ସରୁ ସୁନାଚେନ ଜାଗାରେ ପାଞ୍ଚଭରି ଓଜନର ହାର, ଦଶଭରି ଓଜନ ସୁନା ଚୁଡ଼ି, ସୂତାଶାଢ଼ୀ ଫୋପାଡ଼ି ଦାମୀ ପାଟଶାଢ଼ୀ, ସାଲୁଆର ପଞ୍ଜାବି ତତେ ପିନ୍ଧେଇଛି l ତତେ ଅୟସରେ ରଖିବାକୁ ତୋ କତିକି କେତେ ସେବାକାରିଣୀ -ଚାକର -ଚାକରାଣୀ ଖଞ୍ଜିଦେଇଛି l ହେଲେ, ତୋ ଆଖି କ’ଣ ଫୁଟିଯାଇଛି ? ଦେଖିପାରୁନୁ.. ତୋ ପ୍ରାଣପ୍ରିୟ ପତି-ଦେବତା ଘର ଅଗଣାରେ ଖରାରେ ପଡିଛି ବୋଲି ?

ହୁଁ! ଇଏ ପୁଅ -ବୋହୂ ଦି’ଟା ବି କମ୍‌ ନୁହନ୍ତି l ଯାହାଙ୍କୁ ଡାକିଲେ, ସହରରେ କାମରେ ବିଜି ବୋଲି ବାହାନାକରି ଯିବି ଯିବି କହି ନ ଆସି, ଶଳା, ଶାଳୀ, ଶାଶୁ, ଶ୍ୱଶୁରଙ୍କ ସହ ମିଶିକି ବିଲାତି କୁକୁର ବାର୍ଥ ଡେ ପାଳନ କରନ୍ତି, ହେଲେ ଆଜି ନ ଡାକିଲେ ବି କ’ଣ ପାଇଁ ଧାଇଁ ଆଇଚ କିରେ? ହେଇରେ ନାଟୁ, ବାଟୁ ! ପଛକଥା ଭୁଲିଗଲଣି କିରେ ? ମୋ ପଦ-ପାୱାର ଥିଲାବେଳେ, ତମ ଭଳିଆ ଅଯୋଗ୍ୟ ଦି’ଟାଙ୍କୁ କେମିତିକା ଚାକିରିରେ ପୂରେଇ ସରକାରୀ କ୍ୱାର୍ଟରରେ ରଖେଇଥିଲି ! ତମରି ପାଇଁ କେତେ ଫନ୍ଦିଫିକର କରି କେତେ ପ୍ଲଟ, ଘର, ଟଙ୍କା, ସୁନା ସାଇତିଛି l ହେଲେ ପୁଅ-ବୋହୂ ସବୁ ଆଇଚ,.. ଅଥଚ ବୋପାଟା ପାଇଁ ଛେନାପୋଡ଼ ଶହେଗ୍ରାମ ଆଣିବାକୁ ତମ ମନ କହିଲାନି? ପାପ-ପୁଣ୍ୟ ନ ବିଚାରି କେତେ କାହା ତଣ୍ଟିଚିପି ତମପାଇଁ ଏତେକଲି l ତମ ଆଖି କ’ଣ ଫୁଟିଯାଇଛି.. ଦୁଶୁନି, ମତେ ଖରାରେ ଶୁଆଇ ସୁକୁଟ ଦେଖୁଚ? ମୋ ଦେହରୁ ଦାମୀ ପୋଷାକ, କଳା ଚଷମା, ସୁନାର ମୋଟା ଚେନ, ହାତରୁ ବ୍ରେସଲେଟ କାଢିନେଇ, ମତେ ଅଧାନଙ୍ଗଳା କରି ଶୁଆଇଚ !

ଆରେ ହେ ଶଶୁର ପୁଅ ସତୁରା ! ତୁ ଟା ଅଯୋଗ୍ୟ ବେକାରିଆ ହେଇ ତୋ ଗାଁରେ ବୁଲୁଥିଲୁ l ତତେ ଆଣି ପାଖରେ ରଖି, ତୋ ନାଁରେ କଣ୍ଟ୍ରାକ୍ଟରୀ ଲାଇସେନ୍ସ କରେଇ, କାମ ଦେଇ ଲାକ୍ଷେ ଲାକ୍ଷେ ଟଙ୍କାର ଫାଇଦା କରେଇ ତୋ ରୂପ ଚେହେରା ବଦଳେଇ ବଡ଼ଲୋକ କରେଇଲି l ଆଉ ଆଜି ମୁଁ ଘଣ୍ଟାଏ ହେଲା ସତୁରା.. ସତୁରା ରେ.. ଡାକପକେଇ ତେତେ କହୁଛି, ମତେ ଟିକେ ଘର ଭିତରକୁ ନେଇଯା ! ମୋ ଥଣ୍ଡା-ଦେହ ଖରାରେ ସିଝିଯାଉଛି, ତୋ କାନ କ’ଣ ଫୁଟିଯାଇଛି ନା ଆଖିକି ଦୁଶୁନି? ମୋ ଆଗରେ ପିଲାଙ୍କ ମାମୁବୋଲି ହାତ ହଲେଇ କ’ଣ ଭାରି ମୁରବିପଣିଆ ଦେଖେଇ ଗପିଚାଲିଛୁ..ରେ? ଚିହ୍ନିଛୁ ମତେ ? ଏଇନେ ଚାହିଁଲେ ତୋ ଲାଇସେନ୍ସ ରଦ୍ଦ କରିଦେବି l

ହେ ମୋ ଗେହ୍ଲେଇ ଝିଅ ଟୁନୀ ! ତୁ ଆଉ ଜୋଇଁ.. ଆଜି କ’ଣ ପାଇଁ ଧାଇଁ ଆଇଚ ଶୁଣେ ! ତୋ ଭାଗ ତ ଆଗୁଆ ଦି’ଟା କୋଠା, ଚାରିମାଣ ଦୋ ଫସଲି ଜମି, କିଲେ ଆଠଶହ ଗ୍ରାମ ଓଜନର ସୁନା ଅଳଙ୍କାର ଦେଇସାରିଛି। ଜୋଇଁ ପୁଅକୁ କନ୍ଧମାଳରୁ ବଦଳକରି କଟକରେ ରଖେଇଛି। ଆଉ ତୋର କ’ଣ ଅସୁବିଧା ହେଲାଯେ.. ମୋ ଛାତିରେ ମୁଣ୍ଡ ବାଡେଇ କାନ୍ଦୁଛୁ ? ହେ ଜୋଇଁପୁଅ ! ତେମେ ବି ଶୁଣିଥାଅ ! ମୁଁ ବଞ୍ଚିଥିବାଯାଏଁ ତମର କିଛି ଅସୁବିଧା କୋଉଥିରେ ହେବନି l ଆରେ ହଁ ମନେପଡିଲା, ତମ ପିଲାଙ୍କ ନାଁରେ ସତୁରି ଲାକ୍ଷେ ଟଙ୍କାର ସାତୁଟା ଫିକ୍ସ ବଣ୍ଡ ତୋ ବୋଉପାଖରେ ରଖିଛି l ଆଇଛୁ ଯେବେ, ମନେକରି ତୋ ଭାଇ-ଭାଉଜ ନ ଜାଣିଲା ଭଳିଆ ନେଇଯିବୁ l ଉଠୁ ମୋ ଛାତିଉପରୁ l ମୁଁ ଜାଣିଛି.. ଝୁଅମାନେ ବୋପାଘରକୁ ଆସିଲେ ଏମିତି କାନ୍ଦନ୍ତି l ହେଇ ଦେଖ୍‌, ତୋ କାନ୍ଦଦେଖି ମୋ ଡାକ୍ତରିଆ ଜୋଇଁ ହୃଦୟ ତରଳି ଆଖିରୁ ପାଣି ବୋହିଲାଣି l

ହେ ସାହି-ପଡୋଶୀଏ! ତେମେ କ’ଣ ମତେ ଦେଖିନା ଯେ ଆଜି ରୁଣ୍ଡହେଇ କ’ଣ ଉଣ୍ଡୁଛ ? ଓ ହୋ.. ମୋ ସହରିଆ ପୁଅ-ବୋହୂ, ଝିଅ-ଜୋଇଁଙ୍କି ଦେଖିବାକୁ ଆଇଚ କି? ହେଲେ ପଡ଼ୋଶୀ ଦିବାକର କ’ଣ କହିଲାଣି.. ବୁଢାକୁ ଏଥର ଉଠାଅ ! ହଉ, ମୋ ପିଲାଏ ଦୁଃଖ ନ ବୁଝିଲେ ବି ତୁ ତ ବୁଝିଲୁ l ଟେକିନିଅ ଥଣ୍ଡା ପବନିଆ ମଝିଘର ପଲଙ୍କ ଉପରକୁ l ଆରେ ମତେ ଦାଣ୍ଡକୁ କ’ଣ ନେଲଣି ? ହେ ଧରମ ଛଡାଏ ! ମୁଁ ବଞ୍ଚିଥାଉଁ ଥାଉଁ, ରାମନାମ ସତ୍ୟ ହେ.. ହରିନାମ ସତ୍ୟ ବୋଲି କ’ଣ କହିଲଣି? ସିଆଡ଼େ କ’ଣ ନେଉଛ.. ସେଇଠି ଗାଁ ମଶାଣି l ଓହୋ, ବୁଝିଲି l ଏଇ ଅଗଷ୍ଟ ପନ୍ଦର ପାଇଁ ମତେ ମୁଖ୍ୟ ଅତିଥିକରି ପତାକା ଉତ୍ତୋଳନ କରେଇଲାବେଳେ କୋଉଠି କେମିତି ବସେଇବ, ଆଗୁଆ ଦେଖେଇବାକୁ ନେଉଛ କିରେ l ଭଲକଥା ଯେ, କିନ୍ତୁ ମୋତେ ଏମିତି ବେଶରେ ନିଅନି l ମୋ ପୁଅ ନାଟୁକୁ କୁହ.. ଭଲ ପୋଷାକ ପିନ୍ଧେଇ ମୋ ଗାଡ଼ିରେ ବସେଇ ନେଉ l କି ପିଲା ଏଗୁଡା.. ବୋପା ଇଜ୍ଜତ ଗଲେ କ’ଣ ତାଙ୍କର ଯାଉନି? ଆରେ ଇଏ କ’ଣ? ମତେ ଅଟକେଇ ଶଶୁର-ପୁଅ ସତୁରା କ’ଣ ମୋ ଡାହାଣ ହାତ ମଝିଆଙ୍ଗୁଠି ଉଣ୍ଡାଳି ହୀରା ପଥରବସା ଦି’ ଭରି ଓଜନର ମୁଦିକି କାଢି, ତା’ ପକେଟରେ ପୂରେଇଲାଣି! ଯାହା ଜଣାଗଲାଣି, ମୁଁ ନ ଥିଲେ ଏ ଲୋଭା ମୋ ଘରେ କଳାକନା ବୁଲେଇ ସବୁ ଲୁଟିନେବ ହୋ..! ଆରେ ସେ ଶ୍ମଶାନ ମତେ ନଉଛ କ’ଣ… ତା’ ଉନ୍ନତି ପାଇଁ ଯୋଉ ତିନିଲକ୍ଷ ଆଇଥିଲା, ଭାଗବାଣ୍ଟି ନେଲାପରେ କେମିତି କାମହୋଇଛି ମତେ ଦେଖେଇବ କିରେ? ଛାଡ଼ ସେ ଅଳପିଆ କଥା l ଧେତ୍‌ ତେରିକି, ଧୂଳିଆ କ’ଣ କହୁଛି ମଶାଣିରେ ମତେ ପୂରା ଲଙ୍ଗଳାକରି ଶୁଣାଇବାକୁ ! ହେ ହେ ଅମଣିଷ କୋଉଠିକାର ! ତମ ବୋପା ବୟସର ମୁଁ l ତମର ଲଜ୍ଜା ସରମ କିଛି ନାହିଁକିରେ? ମୋର କେତେ ସମ୍ମାନ.. ପାୱାର.. ତେମେ କ’ଣ ଜାଣିନା? ନାଇଁ, ମୁଁ ଆଉ ଯିବିନି l ଯାଉଛି ଏଇଠୁ ଓହ୍ଲାଇ ଆମ ଘରକୁ ପଳେଇବି l

ଛି.. ଛି.. ଛି ! କି କୁଳାଙ୍ଗାର ପିଲାଏ ମୋର ! ଘରେ ଦେଢ଼ଲକ୍ଷ ଟଙ୍କାର ଡାଇନିଙ୍ଗ ଚେୟାର ଟେବୁଲୁ, ଦାମୀ କଂସା ବାସନ ଥାଉଁ ଥାଉଁ, ମତେ ଗାଁ ମୁଣ୍ଡରେ ମାଟିହାଣ୍ଡିରେ ଅଣବଘରା ଅଣହଳଦିଆ ଭାତ -ତିଅଣ ଥୋଇକି.. କହୁଛ ଖା’ ! ସକାଳେ ଦାନ୍ତଘଷିବାକୁ ମୋ ବ୍ରସ, ପେଷ୍ଟ ନ ଦେଇ, ଦାନ୍ତକାଠି ପାଣି ଘଡ଼ିରେ ଦେଇ, ଜଳଖିଆ ମୁଠେ ଚୁଡ଼ା ଖାଇବାକୁ କହି ଚାଲିଗଲ ! ମୁଁ ଜୀବନରେ ଏମିତି ଜାଗାରେ କେବେ ବସିଛି ନା ଖାଇଛି? ହେଇ ଦେଖ l ସେ ରାଧୁଆ ଭଣ୍ଡାରୀ ନଈକୂଳେ ମୋ ପିଲାଙ୍କୁ ନଣ୍ଡାକଲାଣି। ଭଣ୍ଡାରୁଣୀ ବସି ମୋ ଝିଅ, ପଡ଼ୋଶୀ କୁଟୁମ୍ବଙ୍କ ନଖ କାଟିଲାଣି l ଏ ସବୁ କି ଚାଲବାଜି? ଯୋଉ ପତ୍ନୀ -ଯାମିନୀ ମତେ ନ ପଚାରି କାହାକୁ ଟଙ୍କା ଦଶଟା ଦେ୍‌ଇନି, ସେ ମୋ ଆଲମିରା ଖୋଲି ବିଡା ବିଡା ଟଙ୍କା କାଢ଼ି ନୂଆ ଧୋତି, ଶାଢ଼ୀ ଓଗେରେ କିଣେଇସାରିଲାଣି l ହେଇ, ସେଇଠି ବିରାଟ ଭୋଜିର ଆୟୋଜନ.. କୋଉ ଖୁସିରେ କିରେ ? ସେପଟୁ ମୋ ସାଙ୍ଗ ବାବୁଲା ଆଉଛି l ତାକୁ କହିବି.. ସେ ମୋ ସ୍ତ୍ରୀକି ବୁଝେଇବ.. ଏମିତି ଅବାଟରେ ଟଙ୍କା ଖରଚ ନ କରୁ ବୋଲି l ଧିକ୍‌ ମୋ ପଦ-ପାୱାରକୁ। ଧିକ୍‌ ମୋ ବୋପାପଣିଆକୁ… ଧିକ୍‌ ତମ ମଣିଷପଣିଆକୁରେ। ପାଖରେ ଶୋଇଥିବା ପତ୍ନୀମୋର ମତେ ଧକ୍କାଟିଏ ପକେଇ, ଚିଲେଇ କହିଲା.. କାହିଁକି ପାଟିଟା କରୁଛ? ନିଦରୁ ଉଠି ତା’ ମୁହଁକୁ ଖାଲି ଜଳ ଜଳ ହେଇ ଚାହିଁଥିଲି… I

-ମଙ୍ଗରାଜପୁର, ପୁରୀ , ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri