Posted inଫୁରସତ

କଳିରେ କଳିରେ କୋଳାକୋଳି

ଆଃ! କାହିଁ ପଲ୍ଲୀ, କାହିଁ ପୁରୀ! ଭାଗ୍ୟରେ ଥିଲେ ଏଇଠିକି ମଣିଷ ଆସନ୍ତି l ଏକଥା ଖାଲି ମୁଁ କହୁନି , ସମସ୍ତେ କହନ୍ତି l ସଜନୀ ମାଉସୀ ସଙ୍ଗେ ଚମ୍ପା ମାଉସୀ ଏମିତି କଥା ହେଉଛନ୍ତି l ଦିହେଁ ପାଖାପାଖି ଗାଁର l କେତେଦିନ ପରେ ପୁରୀରେ ହବିଷ କରିବାକୁ ଆସି ବଡ଼ଦାଣ୍ଡରେ ଭେଟ ହୋଇଛନ୍ତି l ସଜନୀ ସାନ, ଚମ୍ପା ବଡ଼ l ପୁରୀରେ ପହିଲି ଦେଖାରେ ସଜନୀ ମାଉସୀ ନାନୀ ବୋଲି ଡାକି ଢେର୍‌ ଲୋକଙ୍କ ଆଗରେ ମୁଣ୍ଡିଆ ମାରିବାରୁ ଚମ୍ପା ମାଉସୀ ଛାତି କୁଣ୍ଢେମୋଟ ହୋଇଗଲା l ତାକୁ କୁଣ୍ଢେଇ ଗଳାରେ ଲଗେଇ ଗେଲକରି କେତେ ଭଲମନ୍ଦ କଥା ପଚାରିଗଲେ l ସଜନୀ ମାଉସୀ ଭାରି ଗରିବ l ଚମ୍ପା ମାଉସୀ ଥିଲାବାଲା l ତିନି ତିନିଟା ରୋଜଗାରିଆ ପୁଅ l ବଡ଼ ଜମିବାଡ଼ି ଖବର ବୁଝେ l ମଝିଆ ରାଜନୀତି ସାଙ୍ଗେ କଣ୍ଟ୍ରାକ୍ଟରି କରେ l ସାନପୁଅ ଦିଲ୍ଲୀରେ ବଡ଼ ଚାକିରିକରି ଲକ୍ଷେରୁ ବେଶି ଟଙ୍କା ମାସକୁ ପଠାଏ l ହେଲେ ସଜନୀ, ଗିରସ୍ତ ମଲାକାଳୁ ଭାରି ଦୁଃଖୀ l ଝିଅ ଜ୍ୱାଇଁଙ୍କ ହାତଟେକା ଦାନରେ ଗାଁରେ ରହି ଦୁଃଖେ ସୁଖେ ଚଳେ l

ଚମ୍ପା ମାଉସୀ ପଚାରିଲା.. ”ହାଇଲୋ ସଜନୀ ! ତୁ କେମିତି କାହା ସାଙ୍ଗେ ପୁରୀ ଅଇଲୁ? କୋଉଠି ରହୁଛୁ ? ତତେ ସରକାର ଆଣିଲେ ନା ନିଜେ ଆସିଛୁ ?“

– ନାଇଲୋ ନାନୀ l ମୋ କପାଳ ତ ଫଟା l ସରକାର କାହାକୁ କେମିତି ଆଣି କୋଉଠି ରଖୁଛନ୍ତି.. ସେ କଥା ମୁଁ ଜାଣିନି l ଗଲା କରୋନl କାଳ ଦି’ବରଷ ଛାଡ଼ିଦେଲେ, ବାକି ଫି ବରଷ ଗିରସ୍ତ ମଲା ପରଠୁ ଜ୍ୱାଇଁ ଟଙ୍କା ହଜାରେ ଦିଅନ୍ତି l ପୁତୁରା ଆଣି ଗୋଟେ ମଠରେ ଛାଡ଼ିଦିଏ l ସେଇଠି ରହେ। ଏ ସାଲେ ମଠ ଭଙ୍ଗା ହେଇଯାଇଥିବାରୁ ଜଣଙ୍କର ବଖୁରେ ଘରକୁ ଭଡ଼ାରେ ନେଇ ରହୁଛି l ହେଲେ ଶାନ୍ତି ଲାଗୁନି l ସଫାସୁତୁରା କିଛି ନାହିଁ l ଖାଲି ମୂତୁରା ମୂତୁରା ଗନ୍ଧାଉଛି l କ’ଣ ଆଉ କରିବି ? ସଉପ ଖଣ୍ଡେ ପକେଇ ରାତିରେ ଗଡିପଡୁଛି l ଅଭଡ଼ା କିଣିକି ଖାଉଛି l ବୁଲି ବୁଲି ଠାକୁର ଦରଶନ, ପୁରାଣ ପଢ଼ା ଶୁଣି ଦିନ ବିତାଉଛି l

— ଏଁ..? ଆଲୋ ସଜନୀ ! ତୁ ଏଡ଼େ ଦୁଃଖରେ ଅଛୁ ? ହେଲେ ମୋ ଭାଗ୍ୟ ଭଲ l ମୋ ମଝିଆପୁଅ ସନା ଭାରି ଚତୁର l ସିଏ ରାଜନୀତିକରି ସବୁଲୋକଙ୍କୁ ଚିହ୍ନିଚି l ମୋ ନାଁ ସରକାରୀ ଖାତାରେ ଲେଖେଇ ମତେ ତା’ କାର୍‌ରେ ଆଣି ଭକତନିବାସରେ ରଖେଇ ମାଗଣା ଅଭଡ଼ାଖିଆଠୁ ଦେହ ପା’ ଯତନର ସବୁ ବ୍ୟବସ୍ଥା କରିଦେଇଛି l କ’ଣ କହିବି ସଜନୀ.. ସେ ଘର ତ ନୁହଁ ଯେମିତି ରାଜଉଆସ l ମୁଁ ଭାରି ଖୁସିରେ ଅଛି l

— ଆଲୋ ନାନୀ! ତୋର କୋଉଥିରେ ତ ଅଭାବ ନାହିଁ l ସରକାର ପରା କୁଆଡେ ଆମ ପରି ଗରିବ ଗୁରୁବାଙ୍କ ପାଇଁ ଏଇସବୁ ମାଗଣା ଯୋଜନା.. ମାଗଣା ହବିଷ ବ୍ୟବସ୍ଥା କରିଛନ୍ତି ! ହେଲେ ତମ ଭଳିଆ ସବୁଥାଇ ଧନୀହେଇ ଯେବେ ସବୁ ସୁବିଧା ହାତେଇନେବ.. ତେବେ ଆମ ଭଳିଆ ମଳିମୁଣ୍ଡିଆ ହଇରାଣ ହରକତ ହେବେ କି ନାହିଁ କହିଲ ?

କଥାଟା ସାଇଁକିନା ଶରବାଗିଆ ଯେମିତି ଚମ୍ପା ମାଉସୀ ଛାତିରେ ପଶିଗଲା l ରାଗ ତମତମ ହେଇ ଚିହିଁକିଉଠି କହିଲା… ହାଇଲୋ ହେ ଦରିଦ୍ରିଆଣୀ! ପତର ଗୋଟେଇ ଛତରଖାଇ ! ତୋ ଦିହ କାହିଁ ସହୁନି ଲୋ ? ଆମ ସରକାର ଆମ ପାଇଁ ସୁବିଧା କରିଛନ୍ତି l ମୋ ପୁଅ ଦଳ ପାଇଁ ବଳ ଖଟେଇ କାମକରୁଛି l ଆଉ ଆମକୁ ସୁବିଧା ନ ମିଳି ତମକୁ କିଆଁ ମିଳିବ ଲୋ ? ଚିହ୍ନିଛୁ ମତେ ! ବେଶି ରଗାନା କି ମୋ ଦେହ ଜଳାନା କହିଦଉଛି l ନଇଲେ ମୋ ପୁଅକୁ କହି ତୋ ବିଧବା ଭତ୍ତା ବନ୍ଦ କରିଦେବି l ତୋ ରାଶନ କାର୍ଡ ଅଚଳ କରିଦେବି l ତତେ ବଡ଼ଦାଣ୍ଡରେ ବସେଇଦେବି l ଆ… ରେ…! ମତେ ନାନୀ ବୋଲି ଡାକି ସୁତୁରେଇ ସୁତୁରେଇ କାନିକାଟି ମୋ ନାକ କାନ କାଟିବାକୁ ବସିଲୁଣି ତ? ମର l ସେଇ ପୁତୁରା ଆଣି ଛାଡ଼ିଥିବା ମୂତୁରା ଜାଗାରେ ପଡ଼ି ପଡ଼ି ମର l

ସଜନୀ ବି ଛାଡ଼ିବାର ନୁହଁ l ଲାଗିଗଲେ ବଡ଼ଦାଣ୍ଡରେ ଝଟାପଟା କଳିକଜିଆ। କହିଲା.. କହିଛି ଆଚ୍ଛା କରିଛି l ଆହୁରି କହିବି l ଛାତିରେ ହାତବାଡେଇ ଦାଣ୍ଡମଝିରେ ଗର୍ଜନକରି ସମସ୍ତଙ୍କୁ ଶୁଣେଇ କହିବି l ତୋ ଇଜ୍ଜତ ମହତ ସାରି କହିବି l ତମେ ଆମକୁ ଲୁଟୁଛ l ତମରି ପାଇଁ ଆମେ ଗରିବଗୁରୁବା ମରୁଛୁ l

–ହେ ହେ ସଜନୀ ! ଆଲୋ ଶୁଣୁ ବା l ଏକା ଗାଁ ପାଖରୁ ଆସିଛେ l ଏଇଠି ଆଉ ଏତେ ଲୋକଙ୍କ ଆଗରେ ଏମିତି ଲୋକହସା କର ନା l ଯଦି ସେମିତି କହୁଛୁ.. ଦେଖିବୁ ଏଇନେ.. ମୋ ପୁଅ ସନିଆକୁ ଫୋନ୍‌ କରିବି ? ଘଡ଼ିଏ ଲାଗିବନି ତୋ ରାଶନ କାର୍ଡ, ବିଧବାଭତ୍ତା କାଟିବାକୁ l ଫୋନ୍‌ କାଢୁ କାଢୁ ସଜନୀ ହାତ ଧରି ନରମେଇ କହିଲା… ”ଆଲୋ ନାନୀ ! ଆମେ ପରା ଶିରୀକ୍ଷେତର ଆଇଛେ l କ’ଣ ଧରମ କରିବାକୁ ନା କଳିକଜିଆ କରି ପାପ ଅରଜିବାକୁ? ଆଲୋ ଆମ ହାତରେ ପରା ତୁଳସୀମାଳ, ମଥାରେ ଚିତା, କଥାରେ କୃଷ୍ଣନାମ, ଚିତ୍ତରେ ପ୍ରଭୁଙ୍କୁ ଚିନ୍ତିବା କଥା l ଛି ଛି ମୁଁ ଅଲକ୍ଷଣୀ କ’ଣ କଲି? ସବୁ ଭୁଲିଯାଉଥିଲି l ହେଇଟି.. ତମେ ପରା ମୋ ବଡ଼ନାନୀ l ମତେ ଗାଳି ନ କରି ଟିକେ ଆକଟକରି ଅଟକେଇଦେଇଥିଲେ କ’ଣ ହେଇ ନ ଥାନ୍ତା ?“ ହଉ ଛାଡ଼ ସେକଥା l

ଚମ୍ପା ମାଉସୀ କହିଲା.. ”ହାଇଲୋ ସଜନୀ ! ତୁ କ’ଣ ମୋ କଥା ଜାଣିନୁ? ମୁଁ କୋଉଦିନ ମାଛିକି ମ ବୋଲି କହେ ନା କାହା ଅମଙ୍ଗଳ ପଞ୍ଚେ ? ତତେ କ’ଣ ମୁଁ ପାଟି ଫିଟେଇ କିଛି କହିଛି ?“

–ନାଇଁ ବା ନାନୀ, ତମ ପେଟରେ କ’ଣ କିଛି ଥାଏ? ଖାଲି ପାଟିଟା ଯାହା ରାଉ ରାଉ ହଉଥାଏ l“ ଆଲୋ ହେ.. କଥାରେ କଥାରେ ବେଳ ବୁଡ଼ିଲାଣି l ଚାଲ ବା ମିଶିକି ଦେଉଳ ଯିବା l ଏକାଠି ପୁରାଣ ଶୁଣିବା l

ମନ୍ଦିରକୁ ପଶିଲାବେଳେ ସଜନୀ ମାଉସୀ ଚମ୍ପା ମାଉସୀର ଚମ୍ପାରଙ୍ଗର ପାଟଶାଢ଼ି କି ଅନେଇଁ ଅନେଇଁ ମନେ ମନେ କହୁଥାଏ.. ”ତୁ ମରୁନୁ ଲୋ ବାଡ଼ିଖାଇ l ଆମ ପାଇଁ ସରକାରୀ ସୁବିଧାରେ ଭାଗ ବସଉଛୁ… ସବୁ ଥାଇ ମାଗଣା ହବିଷକରି ଅଭଡ଼ା ଗିଳିବାକୁ ଧାଇଁଆଇଛୁ… l “
-ମଙ୍ଗରାଜ ପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri