Posted inଫୁରସତ

ପ୍ରଦର୍ଶନ ସାଇଡ ଇଫେକ୍ଟ

ପ୍ରଥମେ ଭାବୁଥିଲି ମଣିଷ ବାହା ହେଉଛି କାରଣ ଏହା ସାମାଜିକ ବ୍ୟାପାର। ମଣିଷ ଖାଉଛି କାରଣ ଏହା ଏକ ଜୈବିକ ପ୍ରକ୍ରିୟା । ସାହିତ୍ୟ କରୁଛି କାରଣ ଏହା ଏକ ବୌଦ୍ଧିକ କସରତ। ସେ ଭ୍ରମଣରେ ବାହାରୁଛି କାରଣ ସେ ନିଜ ବ୍ୟସ୍ତବହୁଳ ସମୟରୁ ନିସ୍ତାର ଚାହୁଁଛି। ହେଲେ ଯେବେଠୁ ଫେସ୍‌ବୁକ୍‌କୁ ଆସିଲିଣି ସେବେଠୁ ଏ ସବୁର ପରିଭାଷା କେମିତି ବଦଳି ବଦଳି ଯାଉଛି।

ଲେଖୁଛି କାରଣ ଫେସ୍‌ବୁକ୍‌ରେ ଲେଖା ସହ ତା’ କୃତିର ଫଟୋ ପୋଷ୍ଟ କରିପାରିବ । ମଣିଷ ଖାଉଛି କାରଣ ଘରେ କ’ଣ କ’ଣ ଓ କେମିତି ଖାଉଛି ତା’ ଫଟୋ ପୋଷ୍ଟ କରିପାରିବ । ଏମିତି କି ଯଦି ବିବାହ ବାର୍ଷିକୀ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିବାର ବିଧି ନ ଥାନ୍ତା ତେବେ ହୁଏତ ଅନେକ ବାହା ବି ହୁଅନ୍ତେ ନାହିଁ ଓ ଫେସ୍‌ବୁକ୍‌ ନ ଥିଲେ ମଣିଷ କେହି କୁଆଡେ ବୁଲିବାକୁ ଯାଆନ୍ତେ ନାହିଁ । ଯାହା ଲାଗୁଛି ଫେସ୍‌ବୁକ୍‌ରେ କେବଳ ଦୈନନ୍ଦିନ ଜୀବନର ଗତିବିଧିକୁ ନିଜେ ନିରୀକ୍ଷଣ କରି ପ୍ରମାଣ ସ୍ବରୂପ ଫଟୋ ଛାଡିବାକୁ ମଣିଷ ଜନ୍ମ ନେଇଛି ।

କଥାର ଗୋଟେ ସୀମା ଅଛି । ଗୋଟେ କୁନି ଝିଅ ‘ହାଏ ତୋ ପ୍ରେମର ରଙ୍ଗୋଲି ରାତିରେ କଲା ଦିୱାଲି’ ଗୀତର ତାଳେ ତାଳେ ନାଚୁଥିବା ଭିଡିଓକୁ ପୋଷ୍ଟ କରି ତା’ ମା’ ଲେଖିଛି ମୋ ଝିଅର ଭବିଷ୍ୟତ ପାଇଁ ତାକୁ ଆଶୀର୍ବାଦ କରନ୍ତୁ। ସେ ପୋଷ୍ଟରେ କମେଣ୍ଟ ଦେବା ପୂର୍ବରୁ ମୁଁ ଭାବୁଛି ଏ କୁନି ଝିଅକୁ କେଉଁ ପ୍ରକାରର ଆଶୀର୍ବାଦ ଦେବି ।

ଅନେକ କ୍ଷେତ୍ରରେ ଦେଖୁଛି ସାଧାରଣତଃ ଯାହାର ଲେଖାରେ ଦମ୍‌ ନାହିଁ ସେମାନେ ବେଶି ଫଟୋ ଛାଡ଼ୁଛନ୍ତି । ବେଳେବେଳେ ଲାଗୁଛି ପୋଷ୍ଟରେ ଲେଖା ଗୌଣ ସେମାନଙ୍କ ନିଜ ଫଟୋ ମୁଖ୍ୟ । ଯଦି ଫେସ୍‌ବୁକ୍‌ ନିଜ ଫଟୋ ଦେବା ଉପରେ ପ୍ରତିବନ୍ଧକ ଲଗେଇଦେବ ଅଥବା ସେଥିପାଇଁ ଅତିରିକ୍ତ ପଇସା ଦେବାକୁ ପଡିବ ତେବେ ବୋଧେ ସେମାନେ ଲେଖାଲେଖିରୁ ସନ୍ନ୍ୟାସ ନେଇଯିବେ । ମେକ୍‌ଅପ୍‌ ଓ ଫିଲ୍‌ଟର ଥିବା କାରଣରୁ ସବୁ ଫଟୋ ଷ୍ଟାର ଲୁକ୍‌ ଦିଏ । ନିଜର ଭଲ ଠାଣି, ଚାହାଣିକୁ ବିୟୁଟି ଆପ୍‌ରେ ସଜାଡି ଫଟୋ ପୋଷ୍ଟ କରିଦେଇ କମେଣ୍ଟ କିଛି ହାତେଇ ଦେଲେ ଗଲା । ଗ୍ରୁପ୍‌ ଫଟୋ ହୋଇଥିଲେ ନିଜ ଫଟୋଟିକୁ ସୁନ୍ଦର କରି ଏକଶ୍ଚନ୍ଦ୍ର ସ୍ତମୋହନ୍ତି ନ୍ୟାୟରେ ଗ୍ରୁପ୍‌ରେ ଅନ୍ୟମାନଙ୍କ ଉପସ୍ଥିତିକୁ ହୀନିମାନ କରି ଫଟୋ ଛାଡ଼ିବା ମଧ୍ୟ ଆଉ ଏକ ଅଭ୍ୟାସ । ଆରେ ସାହସ ଅଛି ତ ବିନା ମେକ୍‌ଅପ୍‌ ଓ ବିନା ଫିଲଟରରେ ନିଜ ଫଟୋ ପୋଷ୍ଟ କରିଦେଖ । ଯଦି ଗୋଟିଏ ଦିନରେ ଫଲୋଅରଙ୍କ ସଂଖ୍ୟା ଅଧା ନ ହୋଇଯାଇଛି ତେବେ ମୋତେ କହିବ । ସତ୍ୟ ସ୍ବୀକାର କରିବାରେ ମୋର କୌଣସି ଦ୍ୱିଧା ନାହିଁ । ଅନେକ ବର୍ଷର ଅକ୍ଳାନ୍ତ ସାଧନା ପରେ ବି କବିତା ବୁଝିବା ଭଳି ମଗଜ ତିଆରି କରେଇ ପାରିଲି ନାହିଁ । ତେଣୁ ଉଚ୍ଚାଙ୍ଗ କବିତା ପଢି ମଗଜକୁ ଭାରାକ୍ରାନ୍ତ କରିବା ଅପେକ୍ଷା କବିତା ସହ ସଂଯୋଜିତ ସୁନ୍ଦରିଆ । ଦେଖି ମନକୁ ପ୍ରଫୁଲ୍ଲ ରଖେ । କବିଙ୍କ ଭିନ୍ନ ଭିନ୍ନ ମୁଦ୍ରାର ଅନ୍ତତଃ ଆଠ ଦଶଟା ଫଟୋ ପ୍ରତିଦିନ ଉଠାଉଥିବା ସେହି ଏକନିଷ୍ଠ ଧୈର୍ଯ୍ୟଶୀଳ ଫଟୋଗ୍ରାଫରକୁ ସାବାସି ଦିଏ ।

କୌଣସି ଉତ୍ସବ କି ପର୍ବ ଆସିଲେ ଫେସ୍‌ବୁକ୍‌ରେ ଫଟୋମାନଙ୍କ ମହୋତ୍ସବ ଲାଗେ । ତା’ ଅର୍ଥ ଆମେ ଯାହା କରିବୁ ଢୋଲ ପିଟି କରିବୁ । ଉତ୍କଳମଣିଙ୍କ ଜନ୍ମଦିନରେ ଦେଶସେବା ପାଇଁ ଗୋଟେ କଦଳୀକୁ ଆମେ ଦଶ ଜଣ ମିଶି ରୋଗୀକୁ ଫଳଦାନ କରିବା ଫଟୋ ଛାଡ଼ିବୁ। ଭୁବନେଶ୍ୱର ଲୋକ ପୁରୀ ଯାଇ ସ୍ବିଜ଼ରଲାଣ୍ଡ ଗଲାଭଳି ଫଟୋ ଉଠେଇ ଫେସବୁକ୍‌ରେ ଛାଡ଼ିବୁ । ସେଥିରେ ପୁଣି ସୁବିଧା ଦେଖି ଗତବର୍ଷ କିମ୍ବା ପୂର୍ବରୁ ଉଠାଯାଇଥିବା ଫଟୋ କିଛି ଯୋଡ଼ିବୁ ଓ ଫଟୋ ସୁନ୍ଦର ହୋଇ ନ ଥିଲେ ଗୁଗୁଲରୁ ଫଟୋ ଆଣି ଯୋଡ଼ାଯୋଡ଼ି ଫେଡାଫେଡ଼ି କରି ଦେଖେଇହେବୁ। ଭାଗ୍ୟ ଭଲ ଭାସ୍କୋଡାଗାମା ଭାରତ ଆବିଷ୍କାର କଲାବେଳକୁ ସାଙ୍ଗରେ ତାଙ୍କ ପତ୍ନୀ ନ ଥିଲେ କି ସେତେବେଳକୁ ଫେସ୍‌ବୁକ ନ ଥିଲା । ନଚେତ୍‌ ଭାରତର ପ୍ରତି ଅନୁକୋଣର ଫଟୋ ଫେସ୍‌ବୁକରେ ଆଜି ଯାଏ ସେ ଛାଡୁଥାନ୍ତେ । ଦେଖାଣିଆ ଦୁନିଆର ନିୟମ ହେଲା ଦର୍ଶନ, ପ୍ରଦର୍ଶନ, ମାର୍ଗ ଦର୍ଶନ ଓ ପ୍ରବଚନ। ବୁଲା ବୁଲି ଅର୍ଥାତ୍‌ ବୁଲିବାକୁ ଯିବ ମାନେ ଦର୍ଶନ। ତା’ପରେ ପ୍ରଦର୍ଶନ କରିବ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶହେ ଦେଢ଼ଶହ ଫଟୋ ଛାଡ଼ି। ଫଟୋ ଦେଖି ସାଙ୍ଗସାଥୀ ପଚାରିଲେ ପର୍ଯ୍ୟଟନ ଗାଇଡ୍‌ ଭଳି କେଉଁଠି ଖାଇବ, କେଉଁ ହୋଟେଲରେ ରହିବ ଅନର୍ଗଳ କହିଯିବ। କେଉଁଠି ଶସ୍ତା, କେଉଁଠି ମହରଗ, କେଉଁଠି ନାକରା କେଉଁଠି ଦାମିକା ଜିନିଷ ଭଳି ମାର୍ଗ ଦର୍ଶନ କରେଇବ । ଶେଷରେ ସେ ସ୍ଥାନର ମାହାତ୍ମ୍ୟ ଓ ଅଲୌକିକ ଘଟଣାକୁ ଅତିରଞ୍ଜିତ ତଥା ମହିମାମଣ୍ଡିତ କରି ପ୍ରବଚନ ଦେବ । ଶୁଣିବା ଲୋକ ଭାବୁଥିବ ସତରେ କେତେ ଭାଗ୍ୟବାନ ଏମାନେ ା ପୃଥିବୀର ଏପରି ଏକ ଦର୍ଶନୀୟ ସ୍ଥାନ ଯାଇଛନ୍ତି ଯାହା ପୂର୍ବରୁ ଆଉ କେହି ଯାଇ ନ ଥିଲେ ଏବଂ ଆଗକୁ କେବଳ ୟା’ଙ୍କ ପଥ ଅନୁଗାମୀ ହୋଇ ଯାଇହେବ ।

ସବୁ ଆମ ଧର୍ମପତ୍ନୀଙ୍କୁ ଶୁଣିବାକୁ ଉତ୍କୀର୍ଣ୍ଣ । ଏ ସବୁ ଖବରର ଆଦାନ ପ୍ରଦାନ ପାଇଁ ସବୁ ସ୍ତ୍ରୀମାନଙ୍କ ଗୋଟିଏ ଗୋଟିଏ ଖବରୀ ଗ୍ରୁପ୍‌ ଥାନ୍ତି। ମାର୍କେଟର କେଉଁ ଦୋକାନରେ କେଉଁ ଶାଢି, ଗହଣା ନୂଆ ଡିଜାଇନର ଆସିଛି, କେତେ ଅଫରରେ ଇଲେକ୍ଟ୍ରୋନିକ୍ସ ବିକ୍ରି ହେଉଛି କି କେଉଁଠି ଲଟେରି ଆଦି ଅଫର ଅଛି, କାହା ସ୍ବାମୀ କି ଦିଅର, ବାପଘର କେମିତି ଘରେ ଗଦେଇ ଦେଇଛନ୍ତି ଇତ୍ୟାଦି । କହିବା ଲୋକ ମିଛକୁ ସତ କହି ଯେତିକି ଖୁସି ହେଉଥାଏ ଶୁଣିବା ଲୋକ ମୁହଁରେ ହସ ରଖିଥିଲେ ବି ଭିତରେ ଈର୍ଷାରେ ଜଳୁଥାଏ । ଆଉ ଏ ସବୁର ସାଇଡ୍‌ ଇଫେକ୍ଟ ଭୋଗେ ବିଚରା ପତି ପରମେଶ୍ୱର । କେତେଥର ବୁଝେଇଲିଣି । ଫେସ୍‌ବୁକ୍‌ରେ ଯାହାସବୁ ଭ୍ରମଣ ଫଟୋ ଦେଖୁଛ କିମ୍ବା ଯେଉଁସବୁ ଯୁଗଳ ମୂର୍ତ୍ତିଙ୍କ ପ୍ରେମିଳ ଦାମ୍ପତ୍ୟ ଫଟୋ ଦେଖୁଛ ତାହା ସତ ନୁହଁ । ହେଲେ ଆମ ବୁଦ୍ଧିମତୀଙ୍କୁ ବୁଝେଇବ କିଏ । ତାଙ୍କ ପାଇଁ ସୁଖୀ ଦାମ୍ପତ୍ୟ ଅପେକ୍ଷା ଫେସ୍‌ବୁକ୍‌ ପାଇଁ ସୁଖୀ ଦାମ୍ପତ୍ୟର ଫଟୋ ବେଶି ମହତ୍ତ୍ୱ ରଖେ । ଏଇଟା ଦେଖାଶିଖା ଯୁଗ । ଯିଏ ଯେତେ ଦେଖେଇ ପାରିଲା ସେ ସେତେ ସୁଖୀ । କାହା ହୃଦୟ କି କଲିଜା ଜାଳିପୋଡ଼ି ଦେବାର ସାଡିଷ୍ଟିକ୍‌ ପ୍ଲେଜର । ସେ ସବୁ ଫଟୋ ଦେଖି କେତେଜଣଙ୍କ ଘରେ ଯେ ନିଆଁ ଲାଗୁ ନ ଥିବ କିଏ କହିବ। ଏମିତିକା ବୁଲାବୁଲି ଫଟୋ ସବୁ ଛାଡୁଥିବା ଲୋକମାନେ ଯେ କେତେ ନିର୍ଦ୍ଦୟ, ହୃଦୟହୀନ, ନିଷ୍ଠୁର ତାହା ସେମାନେ ଜାଣିପାରନ୍ତି ନାହିଁ ।

ଆଜି ଦୁଃଖୀ ଦାର୍ଶନିକ ହେବାର କାରଣ ହେଲା, ଆଜି ସକାଳୁ ପତ୍ନୀ ସକାଳ ଚାହା ହାତକୁ ବଢ଼େଇ କହିଲେ, ତୁମ କଲେଜ ସାଙ୍ଗ ନୂଆବର୍ଷକୁ ମୋଗଲ ଗାର୍ଡେନରେ ବୁଲୁଥିବା ଫଟୋ ଫେସ୍‌ବୁକରେ ଛାଡିଛନ୍ତି। ଦେଖିଲଣି ନା ନାହିଁ? ତାଙ୍କ ସ୍ତ୍ରୀ ସକାଳୁ ଦୁଇଥର ଫୋନ କଲେଣି । ମୁଁ ଫୋନ ଉଠଉନାହିଁ, କ’ଣ କହିବି- ନୂଆବର୍ଷର ପ୍ରଥମ ଦିନରେ ମନ୍ଦିର ଯାଇ ଦୀପ ଲଗେଇ ଆସିଛୁ । ତୁମକୁ ତ ସରମ ନାହିଁ, ମୋ ମନ ଜଳିଯାଉଛି । କି ଲୋକ ହାତ ଧରିଲି ଯେ କେଉଁ ଅକାଳେ ସକାଳେ ଟିକେ ବୁଲେଇ ନେବାକୁ କହିଲେ ଲମ୍ବା ଅଭାବୀ ହିସାବ ଦେଖେଇବେ । ଲୋକେ କେତେ କୁଆଡେ ବୁଲୁଛନ୍ତି, ମୋ ଫଟାକପାଳ, ଘର ଭିତରେ ୟାଙ୍କ ସେବା କରି କରି ଶଢ଼ୁଛି ।

କାଲି ଏଜି ଅଫିସ ଦେଇ ଆସିଲାବେଳକୁ ଦୁହିଁଙ୍କୁ ଲାଇନ୍‌ ଟେମ୍ପୋରୁ ଇନ୍ଦିରା ଗାନ୍ଧୀ ପାର୍କ ଛକରେ ଓହ୍ଲେଇବା ଦେଖିଥିଲି। ଆଇଜି ପାର୍କରେ ଫଟୋ ଉଠେଇ ଲେଖିଛି କ’ଣ ନା ଆଉଟିଙ୍ଗ ଆଟ୍‌ ମୋଗଲ ଗାର୍ଡେନ। ତା ବୋପା ଚଉଦପୁରୁଷରେ କିଏ ମୋଗଲ ଗାର୍ଡେନ ଦେଖିଥିବ କି ନା ସନ୍ଦେହ । ଶଳା ଫଟୋ ତ ଉଠେଇଲୁ ତାକୁ ଏମିତି ମିଛ କହି ପୁଣି ଫେସ୍‌ବୁକ୍‌ରେ ଛାଡ଼ିବା କ’ଣ ଦରକାର! କେଉଁ ପ୍ରରୋଚନାର ତାଡନାରେ ସାଙ୍ଗ ବିଚରା ମୋର ପୋଷ୍ଟ କରିଥିବ ଭାବି ମୋ ଆଖି ସମବେଦନାରେ ଓଦା ହୋଇଗଲା ।

କହେ ବେଙ୍ଗୁଲିଲୋ କି କହିବି ଫେସ୍‌ବୁକିଆଙ୍କ କଥା । ଦେଖି ଦେଖି ଆଖି ହୁଏ ତଟକା ।
-ବନମାଳୀ ଭବନ, ଖାନନଗର, କଟକ
ମୋବାଇଲ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri