କଶ୍ମୀର ଚିନ୍ତା

ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ନେତ୍ରୀ ମେହବୁବା ମୁଫ୍‌ତି ୧୪ ମାସ ଅଟକ ରହିବା ପରେ ୧୪ ଅକ୍ଟୋବରରେ ମୁକ୍ତିଲାଭ କରିଥିଲେ। ଏହା ପରଠାରୁ ଜମ୍ମୁ ଓ କଶ୍ମୀରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃସ୍ଥାପନ କରିବା ସକାଶେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ପିଡିପି, ଆଓ୍ବାମି ନ୍ୟାଶନାଲ କନ୍‌ଫରେନ୍ସ, ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ଏବଂ ସିପିିଏମ୍‌ ଆଦି ରାଜନୈତିକ ଦଳ ଭୋଟ ରାଜନୀତିକୁ ପଛରେ ପକାଇ ଏକତ୍ର ହୋଇଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରବାସୀଙ୍କ ମାନବ ଅଧିକାର ଘୋର ଉଲ୍ଲଂଘନ ହୋଇଚାଲିଛି। ସେଠାକାର ନେତାମାନେ ଧରିନେଲେଣି ଯେ ସବୁ ଦଳ ଏକାଠି ହୋଇ କେନ୍ଦ୍ର ବିରୋଧରେ ସ୍ବର ନ ଉଠାଇଲେ ସେମାନେ ସ୍ବାଧୀନତା ହରାଇ ବସିବେ। ବିଶେଷଜ୍ଞମାନେ ଏହାକୁ ନିର୍ବାଚନୀ ମେଣ୍ଟ ଲାଗି ଏକତ୍ରୀକରଣ ନୁହେଁ, ବରଂ କଶ୍ମୀର ମାନ୍ୟତା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କହୁଛନ୍ତି। ଏପରିସ୍ଥଳେ କଶ୍ମୀରରେ ନୂଆ ଏକ ଆରମ୍ଭ ପାଇଁ ହୋଇଥିବା ପ୍ରୟାସକୁ କେନ୍ଦ୍ର ସରକାର ଭଲ ଭାବେ ବୁଝିବା ଉଚିତ। ନିଜ ଝୁଙ୍କରେ ରହି ଦୀର୍ଘଦିନ କଶ୍ମୀରବାସୀଙ୍କୁ ଚାପି ରଖିଲେ ଭବିଷ୍ୟତରେ ଭିନ୍ନ ଚିତ୍ର ସୃଷ୍ଟି ହୋଇପାରେ। ଏହା କହିଲା ବେଳେ ଏନ୍‌ସି ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ମନ୍ତବ୍ୟକୁ ମଧ୍ୟ ଆଲୋଚନା ପରିସରକୁ ଅଣାଯିବା ଦରକାର। ଗତ ମାସ ଶେଷ ଆଡ଼କୁ ଏକ ସାକ୍ଷାତ୍‌କାର ଦେବା ବେଳେ ଫାରୁକ୍‌ କହିଥିଲେ ଯେ, କଶ୍ମୀରବାସୀ ଭାରତୀୟ ଭାବେ ଅନୁଭବ କରିବା ଅପେକ୍ଷା ଚାଇନା ଶାସନରେ ରହିବାକୁ ପସନ୍ଦ କରୁଛନ୍ତି। ଗଣତନ୍ତ୍ର ପରିବର୍ତ୍ତେ ଏକଚ୍ଛତ୍ରବାଦ ଶାସନକୁ କାହିଁକି ଫାରୁକ୍‌ ପସନ୍ଦ କରିବା କଥା କହିଛନ୍ତି, ତାହା ବିଶେଷ ବିତର୍କର ବିଷୟ ହୋଇ ନ ପାରେ। କଶ୍ମୀରକୁ ଯେଉଁଭଳି ଭାବେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଲକ୍‌ଡାଉନ୍‌ କରି ରଖାଯାଇଛି, ସେଥିରେ ସେଠାରେ ସାଧାରଣ ନାଗରିକ ଭାରତ ସରକାର ଉପରେ ବ୍ୟତିବ୍ୟସ୍ତ ହେବା ସ୍ବାଭାବିକ। ଏହା ବୁଝିବା କଷ୍ଟକର ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୪ ମାର୍ଚ୍ଚ ମଧ୍ୟରାତ୍ରରୁ କରାଯାଇଥିବା ଲକ୍‌ଡାଉନ୍‌ ଦ୍ୱାରା ଦେଶବ୍ୟାପୀ ଯେଉଁ ସମସ୍ୟା ଉପୁଜିଥିଲା, ତାହାର ସମାପ୍ତି ଏବେ ମଧ୍ୟ ଘଟିନାହିଁ। ସେହି ଅଳ୍ପ କେତେକ ମାସର ବନ୍ଦୀ ହୋଇ ରହିଥିବାରୁ ଆମେ ସମସ୍ତେ ବିବ୍ରତ ଓ ଗରିବ ହୋଇଯାଇଛେ। ସେହିଭଳି ସ୍ଥିତି କଶ୍ମୀରରେ ଉପୁଜିଛି। ସେଠାରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଦାରିଦ୍ର୍ୟ ମଧ୍ୟ ବଢ଼ିଛି। କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଟେଲିଫୋନ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଥିବାରୁ ସେଠାରେ ଜନସାଧାରଣ ବିନା କୌଣସି ରୋଜଗାର ଯୋଗୁ ଭୋକ ଉପାସରେ ପଡ଼ି ରହିଛନ୍ତି। ସେମାନଙ୍କ ମନରେ ଭାରତ ପ୍ରତି କ୍ରୋଧ ସୃଷ୍ଟି ହେବା ସ୍ବାଭାବିକ। କଶ୍ମୀରରେ ଉପୁଜିଥିବା ସମସ୍ୟା ବୁଝିବା ନିମନ୍ତେ ଭାରତର ଅନ୍ୟ ପ୍ରାନ୍ତର ଜନସାଧାରଣ ଚେଷ୍ଟା କିମ୍ବା ଇଚ୍ଛା ପ୍ରକାଶ କରୁନାହାନ୍ତି। ସେଥିପାଇଁ ସ୍ଥାନୀୟ ରାଜନେତାମାନେ ଜନମତ ସହିତ ଏକଜୁଟ ହୋଇ ରହିବାର ଉଦ୍ୟମରେ ଲୋକଙ୍କ କଥା କହୁଛନ୍ତି। ଫାରୁକ୍‌ଙ୍କ ମତ ବ୍ୟକ୍ତିଗତ ଭାବେ ଦେଖିବା ପରିବର୍ତ୍ତେ ତାହାକୁ ଭାରତୀୟମାନେ ଗମ୍ଭୀରତାର ସହିତ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri