କାଞ୍ଜିଆହୁଦା ପରିକଳ୍ପନା ଯୋଜନା ଦିଗହରା

ପଟ୍ଟାମୁଣ୍ଡାଇ,୧୭ା୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଗଳିକନ୍ଦିରୁ ମୁଖ୍ୟ ରାସ୍ତା ଉପରେ ମାଳମାଳ ବୁଲା ଗୋରୁ ବୁଲୁଛନ୍ତି। ସହରର ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ଷଣ୍ଢ ଲଢ଼େଇ ଚିନ୍ତାର ବିଷୟ ପାଲଟିଛି। ପ୍ରତି ରାତିରେ ଗୋରୁଙ୍କ ପାଇଁ କେଉଁଠି ନା କେଉଁଠି ପଥଚାରୀମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ବାଟ ବଦଳାଇ ଗଳିକନ୍ଦିରେ ଗଲେ ବୁଲା କୁକୁରଙ୍କ ଭୟ ମଧ୍ୟ ରହୁଛି। ଏହା ସହରବାସୀ ଓ ପଥଚାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଷଣ୍ଢ, ଗାଈ, ଛେଳି, ମେଣ୍ଢା,ମାଙ୍କଡ଼ ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନି ହେଉଥିବା ବେଳେ କାଞ୍ଜିଆହୁଦାର ପରିକଳ୍ପନା ଦିଗହରା ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ, ପି.ଏନ୍‌. ଗୌରାଙ୍ଗ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଦିନରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ଥିବା ବେଳେ ବାସ୍ତବ କ୍ଷେତ୍ରରେ ଅନେକ ଉପକାର ହେଉଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ କ୍ଷୟକ୍ଷତି ଯେପରି ନ ହେବ ସେନେଇ ପଦକ୍ଷେପ ନିଆଯାଉଥିଲା। ଏଥିଯୋଗୁ କୌଣସି ବ୍ୟକ୍ତି ପାଳିଥିବା ଗୋରୁଙ୍କୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। କାରଣ ଫସଲ ଖାଉଥିବା ବା ନଷ୍ଟ ହେଉଥିବା ଅଭିଯୋଗ ଉପରେ କାଞ୍ଜିଆହୁଦାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏଥିରେ ନିଯୁକ୍ତ କର୍ମଚାରୀ ଗୋମଇଁଷି ଆଦିଙ୍କୁ ଧରି ନେଇ କାଞ୍ଜିଆହୁଦାରେ ଭର୍ତ୍ତିକରି ଦେଉଥିଲେ। ତା’ପରେ ଗାଈ, ମଇଁଷି ମାଲିକ ଜରିମାନା ଦେଇ ମୁକୁଳାଉଥିଲେ। ଏହାଦ୍ୱାରା ଲୋକେ ସତର୍କ ହେବା ସହ ପୁଣି ଭୁଲ୍‌ କରିବାକୁ ଡରୁଥିଲେ। ଯଦି କୌଣସି ବ୍ୟକ୍ତି ଗୋରୁଙ୍କୁ ଚରାଇବାକୁ ନେଉଥିଲେ ତେବେ ନିଜେ କିମ୍ବା କାହା ମାଧ୍ୟମରେ ଜଗୁଥିଲେ। ଅନ୍ୟପକ୍ଷରେ ସରକାର ସେମାନଙ୍କ ରହିବା, ଖାଇବା, ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ। କିନ୍ତୁ ଏବେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି। ସେହିପରି ସାମାଜିକ କର୍ମୀ ଅଶୋକ ଲେଙ୍କା, ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାସ୍ତି ଭିତରେ ଏକ କାଞ୍ଜିଆହୁଦା ବହୁଦିନ ହେବ ରକ୍ଷଣାବେକ୍ଷଣ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ନା ସେଠାରେ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ନା ଗୋରୁଙ୍କ ପାଇଁ ଖାଦ୍ୟ, ପାଣି ବ୍ୟବସ୍ଥା ଅଛି। କେତେବେଳେ କେମିତି ପୌର କର୍ତ୍ତୃପକ୍ଷ ବୁଲା ଗୋରୁଙ୍କୁ ଧରି ରଖିଲେ ସେମାନେ ସେହିଭଳି ଠିଆଠିଆ ରୁହନ୍ତି। ପରେ ଛାଡି ଦିଆଯାଏ। ଏବେ ପଟ୍ଟାମୁଣ୍ଡାଇ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗାଈଙ୍କ ଚାହିଦା ବଢ଼ିଥିବାରୁ ଲୋକେ ଏ ପ୍ରକାର ଗାଈ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଗାଈ ଜନ୍ମଦେଲା ପରେ ମାଈ ଛୁଆ ହେଲେ ଗୁହାଳରେ ରଖନ୍ତି, ଅଣ୍ଡିରା ହେଲେ ବାହାରେ ଛାଡି ଦେଉଛନ୍ତି। କାରଣ ଆଗ ପରି ଆଉ ବିଲରେ ବଳଦ ଆବଶ୍ୟକତା ପଡୁନାହିଁ। ଟ୍ରାକ୍ଟର ସମେତ ଉନ୍ନତ କୃଷି ଯନ୍ତ୍ରପାତି ଚାରିଆଡ଼େ ବହୁଳ ବ୍ୟବହାର ହେଉଛି। ଅପରପକ୍ଷେ ଅଣ୍ଡିରା ବାଛୁରି ବଡ଼ ହୋଇ ଷଣ୍ଢ ହେଉଛନ୍ତି। ତା’ପରେ ସେମାନେ ଚାରିଆଡ଼େ ବୁଲି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଆଗେ କମ୍‌ ସଂଖ୍ୟକ ଷଣ୍ଢ ଥିବାବେଳେ ଏବେ ଏହି ସଂଖ୍ୟା ଆଶାତୀତ ଭାବେ ବଢ଼ି ପାଖଆଖ ଜମିର ଫସଲହାନି କରୁଛନ୍ତି। ସହରର ରାସ୍ତାଘାଟରେ ବୁଲାବୁଲି କରିବା ଯୋଗୁ ସାଧାରଣ ଜୀବନଯାତ୍ରାରେ ବାଧାହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଲୋକେ ନିରାପଦରେ ଯାତାୟାତ କରିପାରୁନାହାନ୍ତି। ଏପରି କି ସହରରେ କାଞ୍ଜିଆହୁଦାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ କରାଯାଉନାହିଁ। ସହରାଞ୍ଚଳରେ ଗୋ-ମଇଁଷାଦି ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ଲୁଚି ରହିଛି। ଗୋ ଚାଲାଣକାରୀମାନେ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି। ସେମାନେ ରାତିରେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣକରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର କାଞ୍ଜିଆହୁଦାର ମରାମତି କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।