Categories: ଖେଳ

କମଲପ୍ରୀତ୍‌ ୬ଷ୍ଠ ସ୍ଥାନରେ ରହିଲେ

ଟୋକିଓ, ୩ା୮ (ପି.ଟି.)-ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଡିସ୍‌କସ୍‌ ଥ୍ରୋୟର କମଲପ୍ରୀତ୍‌ କୌର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସୋମବାର ବର୍ଷାରେ ବାଧାପ୍ରାପ୍ତ ଫାଇନାଲରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୩.୭୦ ମିଟର ରହିଥିଲା। ୨୫ ବର୍ଷୀୟା କୌର ଶନିବାର ଦ୍ୱିତୀୟ ଶ୍ରେଷ୍ଠ ଭାବେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ସୋମବାର ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବାରୁ ୮ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବାଧା ସୃଷ୍ଟି ହୋଇଥିଲା। ହେଲେ ସେ ପଦକ ଦାବିଦାର ହୋଇପାରି ନ ଥିଲେ। ତୃତୀୟ ରାଉଣ୍ଡରେ ୬୩.୭୦ମିଟର ଥ୍ରୋ ସହ ସେ ୬ଷ୍ଠ ହୋଇଥିଲେ। ଏହାଦ୍ୱାରା ସେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ କ୍ରିଷ୍ଣା ପୁନିଆଙ୍କ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପ୍ରଦର୍ଶନର ସମକକ୍ଷ ହୋଇପାରିଥିଲେ। କୌରଙ୍କର ଅନ୍ତର୍ଜାତୀୟ ଅଭିଜ୍ଞତା କମ୍‌ ରହିଥିବାରୁ ଆତ୍ମବିଶ୍ୱାସର ଅଭାବ ପରିଲକ୍ଷିତ ହୋଇଥିଲା। ସେ ତାଙ୍କ ବ୍ୟକ୍ତିଗତ କୋଚ୍‌ ଅନୁପସ୍ଥିତି ଅନୁଭବ କରୁଥିଲେ। ପ୍ରତିଯୋଗିତା ସାରା ନର୍ଭସ ଜଣାପଡୁଥିଲେ। ସେ କେବଳ ଏକମାତ୍ର ଅନ୍ତର୍ଜାତୀୟ ପ୍ରତିଯୋଗିତା ୨୦୧୭ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଭାଗ ନେଇଥିଲେ। କୌର ହେଉଛନ୍ତି ପଞ୍ଜାବ ରାଜ୍ୟ ଅନ୍ତର୍ଗତ କବାରଓ୍ବାଲା ଗ୍ରାମର ଜଣେ କୃଷକଙ୍କ ଝିଅ। ଶନିବାର କ୍ୱାଲିଫିକେଶନ ରାଉଣ୍ଡରେ ତାଙ୍କ ଶ୍ରେଷ୍ଠ ଥ୍ରୋ ୬୪ ମିଟର ସହ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଦେଶ ତାଙ୍କଠାରୁ ପଦକ ଆଶା କରୁଥିଲା। ଆମେରିକାର ଭାଲାରି ଅଲମାନ ପ୍ରଥମ ରାଉଣ୍ଡ ଥ୍ରୋ ୬୮.୯୮ମିଟର ସହ ସ୍ବର୍ଣ୍ଣ ଜିତିଥିବାବେଳେ ଜର୍ମାନୀର କ୍ରିଷ୍ଟିନ୍‌ ପୁଡେଞ୍ଜ୍‌ (୬୬.୮୬ମିଟର) ଏବଂ ବର୍ତ୍ତମାନର ବିଶ୍ୱ ଚାମ୍ପିୟନ କ୍ୟୁବାର ୟେମି ପରେଜ (୬୫.୭୨ ମିଟର) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ।

Share