Categories: ଖେଳ

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ ଖେଳାଯିବାକୁ ଥିବା ବେଳେ ଏହାର ନାମ କଳିଙ୍ଗ ସୁପର କପ୍‌ ରଖାଯାଇଛି। ଉଭୟ ଆଇଏସ୍‌ଏଲ ଓ ଆଇ ଲିଗ୍‌ର ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ଏହାର ଫାଇନାଲ ଜାନୁୟାରୀ ୨୮ ତାରିଖରେ ଅନୁଷ୍ଠିତ ହେବ। ୪ଟି ଲେଖାଏ ଦଳକୁ ନେଇ ଗ୍ରୁପ ପର୍ଯ୍ୟାୟ ଖେଳାଯିବ। ସେହିପରି ୪ ଗ୍ରୁପ୍‌ର ପ୍ରଥମ ସ୍ଥାନରେ ରହିଥିବା ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

ଆଇଏସଏଲ୍‌ର ଦଳ ଗୁଡିକ ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୪ଟି ଆଇ ଲିଗ୍‌ ଦଳ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ଅନ୍ୟ ପକ୍ଷରେ ପ୍ରତି ଗ୍ରୁପ୍‌ରେ ୩ଟି ଲେଖାଏ ଆଇଏସଏଲ୍‌ ଦଳ ସ୍ଥାନ ପାଇବେ। ଫାଇନାଲରେ ବିଜେତା ଦଳ ଏଏଫ୍‌ସି କପ୍‌ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହା ସହ ଏସିଆନ୍‌ ଚାମ୍ପିୟନ୍ସ ଲିଗ୍‌ର ଦ୍ୱିତୀୟ ଚରଣରେ ମଧ୍ୟ ଏହି ଦଳ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିବ।

ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ସୁପର କପ୍‌କୁ ଚଳିତ ବର୍ଷ କଳିଙ୍ଗ ସୁପର କପ୍‌ ଭାବରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଏଆଇଏଫଏଫ୍‌ ସଭାପତି କଲ୍ୟାଣ ଚୌବେ କହିଛନ୍ତି। ଏହା ସହିତ ପୂର୍ବାପେକ୍ଷା ଏହି ଟୁର୍ନାମେଣ୍ଟର କାୟାକଳ୍ପକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କଳିଙ୍ଗ ସୁପର୍‌ କପ୍‌ ଆଗାମୀ ଦିନରେ ଦର୍ଶକୀୟ ଆଦୃତି ଲାଭ କରିବା ସହ ସଫଳ ହେବ ବୋଲି ସେ କହିଛନ୍ତି।

Share