Categories: ଖେଳ

କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ

ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ସିଟି ମାରାଥନ ତିନୋଟି ବିଭାଗ ଯଥା ୫ କିମି, ୧୦କିମି ଓ ୨୧ କିମି ବିଶିଷ୍ଟ ହେବ। ଅଂଶଗ୍ରହଣକାରୀଙ୍କ ଲାଗି ଟିଶାର୍ଟ, ଚିପ୍‌, ବିଆଇବି, ପଦକ ଏବଂ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା କରାଯାଇଛି। ବିଜେତାମାନଙ୍କ ଲାଗି ମୋଟ ପୁରସ୍କାର ରାଶି ୭୫,୦୦୦ ଟଙ୍କା ରଖାଯାଇଛି। ୫ କିମି ଅଂଶଗ୍ରହଣକାରୀଙ୍କ ଲାଗି ରିପୋର୍ଟିଂ ସମୟ ସକାଳ ୬ଟା ରଖାଯାଇଥିବା ବେଳେ ୧୦କିମି ପାଇଁ ସକାଳ ୫ଟା ୩୦ ଏବଂ ୨୧ କିମି ପାଇଁ ସକାଳ ୫ଟା ସମୟ ରଖାଯାଇଛି। ମାରାଥନ ଦୌଡ଼ ଶିଖରଚଣ୍ଡୀଠାରୁ ଆରମ୍ଭ ହେବ। ଓଡ଼ିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ ଏହି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳିଙ୍ଗ ରନର୍ସର ସଭାପତି ଦୁଃଖୀଶ୍ୟାମ ପାଢ଼ୀ, ସମ୍ପାଦକ ସଂଗ୍ରାମ କେଶରୀ ଜେନା, ସହସମ୍ପାଦକ ଅୟସକାନ୍ତ ମହାନ୍ତି, ରେସ୍‌ର ନିର୍ଦ୍ଦେଶକ ଦୀପକ କୁମାର ମିଶ୍ର, କାର୍ଯ୍ୟକ୍ରମର ଆୟୋଜକ ଯଯାତି ବଡୁ ଓ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share