ଆଖି ବୁଜିଲା କାଳିଆ

କଟକ/ଭୁବନେଶ୍ୱର, ୨୫।୧୧(ବ୍ୟୁରୋ)- ଶେଷରେ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ଭାଇ ଜଗାକୁ ଛାଡି ଚାଲିଗଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ କାଳିଆର ବୁଧବାର ମୃତ୍ୟୁ ଘଟିଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଥିବା କାଳିଆର ଗତ ଦୁଇଦିନ ହେବ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ତାର ହାତ, ଗୋଡ଼ ସବୁ ଫୁଲି ଯିବା ସହିତ ନିଶ୍ବାସ, ପ୍ରଶ୍ବାସ ଠିକ୍ରେ ହେଉ ନ ଥିଲା। ବୁଧବାର ସନ୍ଧ୍ୟାରେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ଅବସ୍ଥା ବିଗିଡ଼ିବାରୁ ତାର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଗଠନ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ରାତି ୯ଟା ୧୦ମିନିଟ୍ରେ ତା’ର ମୃତ୍ୟୁ ହୋଇଥିଲା। କାଳିଆର ସେପ୍ଟିସେମିଆରେ ମୃତ୍ୟୁ ହୋଇଥିବା କଟକ ଏସ୍ସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
କାଳିଆର ମୃତ୍ୟୁ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦୀପ୍ତ କୁମାର ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କାଳିଆ ମୃତ୍ୟୁ ଏକ ଦୁଃଖଦ ଘଟଣା। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ତାକୁ ବଞ୍ଚାଇ ରଖି ହେଲା ନାହିଁ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ୍ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ। ଦୁହିଁଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଉଭୟଙ୍କ ଅସ୍ତ୍ରୋପଚାର ପାଇଁ ୨୦୧୭ ଜୁଲାଇ ୧୩ରେ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଅସ୍ତ୍ରୋପଚାର ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଗଠନ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମଟି ଅଗଷ୍ଟ ୨୮ ଓ ଦ୍ୱିତୀୟଟି ଅକ୍ଟୋବର୨୫ରେ ହୋଇଥିଲା। ଅସ୍ତ୍ରୋପଚାର ପରେ ଜଗାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। କିନ୍ତୁ କାଳିଆର ସ୍ବାସ୍ଥ୍ୟ ଠିକ ନ ଥିଲା। ତେବେ ୨୦୧୯ ସେପ୍ଟେମ୍ବର ୭ତାରିଖରେ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହୋଇଥିଲେ ଓ ୮ରେ ଓଡ଼ିଶା ପହଞ୍ଚତ୍ଥିଲେ। ଓଡ଼ିଶା ଫେରିବା ପରେ ଘରକୁ ନ ପଠାଯାଇ ଉଭୟଙ୍କୁ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ କାଳିଆ ପ୍ରାୟ ସମୟରେ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିଥିଲା। କାଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ଫଳରେ ବିଭିନ୍ନ ସମୟରେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ବୁଧବାର ରାତି ୯ଟା୧୦ରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଥିବା ଏସ୍ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ ନିକଟରେ ସେପ୍ଟିସିମିଆରେ ଆକ୍ରାନ୍ତ ଥିଲେ। ଏହା ଏକ ଦୁଃଖଦ ଘଟଣା। ଆବଶ୍ୟକ ସମସ୍ତ ପ୍ରକ୍ରିୟା ଶେଷ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Share