ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭ ଜଣିଆ ଚୁଡ଼ାନ୍ତ ଖେଳାଳି ତାଲିକା ଘୋଷଣା ହୋଇଛି । ଏଥିରେ କଳାହାଣ୍ଡିର ଯୁବ କ୍ରିକେଟ ଖେଳାଳି ଦିନେଶ କୁମାର ମାଝୀ ଅଛନ୍ତି । ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିବାରୁ ଦିନେଶଙ୍କୁ ଜିଲା କ୍ରୀଡା ସଂସ୍ଥା ସମେତ ଜିଲାର ବହୁ କ୍ରୀଡ଼ାବିତ୍ ଓ କ୍ରୀଡ଼ା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ଅକ୍ଟୋବର ୧୧ ରୁ ୧୪ ତାରିଖ ଯାଏଁ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ସହ ଓ ଅକ୍ଟୋବର ୧୮ ରୁ୨୧ ତାରିଖ ଯାଏଁ ତିରୁଭାନନ୍ତପୁରମରେ କେରଳ ସହ ଓଡ଼ିଶା ରଣଜୀ ଦଳର ମୁକାବିଲା ହେବ।
ୱିକେଟ୍ କିପର ବ୍ୟାଟସମ୍ୟାନ୍ ଦିନେଶ ଏହି ଦୁଇଟି ମ୍ୟାଚରେ ଖେଳିବା ସମ୍ଭାବନା ରହିଛି । ପ୍ରକାଶ ଯେ, କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମାଡିଙ୍ଗପଦର ଗ୍ରାମର ଜଗୁରାମ ମାଝୀ ଓ ନଳିନୀ ମାଝୀଙ୍କ ପୁଅ ଦିନେଶ ବର୍ତ୍ତମାନ ମା’ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନି କଳା ଶେଷ ବର୍ଷ ଛାତ୍ର । ସେ ୨୦୧୮-୧୯ ରେ ବିଜୟ ମାର୍ଚ୍ଚେଣ୍ଟ ଟ୍ରଫି, ୨୦୨୧-୨୨ କୋଚ୍ ବିହାର ଟ୍ରଫି ଓ ବିନୁ ମଙ୍କଡ ଟ୍ରଫି, ୨୦୨୪-୨୫ ଓ ୨୦୨୬ ଅଣ୍ଡର ୨୩ ରାଜ୍ୟ ଟ୍ରଫି , ୨୦୨୫-୨୬ ସି କେ ନାଇଡୁ ଓ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ସହ ୨୦୨୬ ମୁଖ୍ୟମନ୍ତ୍ରୀ ଟ୍ରଫି ଓଡ଼ିଶାରେ ସ୍ଥାନ ପାଇଛନ୍ତି । କଳାହାଣ୍ଡିର ପ୍ରଥମ ଖେଳାଳି ଭାବରେ ଦିନେଶ ଚଳିତ ରଣଜୀ ସିଜନରେ ଓଡ଼ିଶା ପାଇଁ ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଦିନେଶ ଭବାନୀପାଟଣାରେ ଓସିଏ କୋଚ୍ ତଥା ଅମ୍ପିଆର ରମେଶ ସାହୁଙ୍କ ଠାରୁ କ୍ରିକେଟ ତାଲିମ ନେଇ କ୍ରିକେଟ ଖେଳାଳି ଭାବରେ ନିଜର ଜୟଯାତ୍ରା ଆରମ୍ଭ କରିଥିଲେ ।

