ଲାଞ୍ଜିଗଡ଼,୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ବାତ୍ରା ପୁଣି ଥରେ ନିଜ ଶିକ୍ଷାଦାନ ଏବଂ ସଫଳତା ପାଇଁ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ତାଙ୍କୁ ରାଜ୍ୟ ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ କରାଯାଇଛି।
ଶିକ୍ଷକ ବାତ୍ରା ଲଗାତାର ତିନି ବର୍ଷ ଧରି ଏହି ସମ୍ମାନଜନକ ପୁରସ୍କାର ପାଇବାର ଗୌରବ ହାସଲ କରିଛନ୍ତି। ପୂର୍ବରୁ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଥମ ବର୍ଷରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ଶିକ୍ଷକଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ନିଜର ଅତୁଳନୀୟ ଶିକ୍ଷାଦାନ ଓ ଅବଦାନ ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ସର୍ବଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ଗୌରବ ଆଣିଥିଲେ। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପୁଣି ଥରେ ତୃତୀୟ ଥର ପାଇଁ ସେ ଏହି ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ନିଜ ବିଷୟରେ ଲଗାତାର ୩ ଥର ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ସାରା ରାଜ୍ୟରେ ଏହା ପ୍ରଥମ ଏବଂ ଏକମାତ୍ର ଘଟଣା। ବାତ୍ରାଙ୍କ ଏହି ସଫଳତା ପାଇଁ ଲାଞ୍ଜିଗଡ଼ ବ୍ଲକ, ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଏବଂ କଳାହାଣ୍ଡି ଜିଲାର ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

