କେସିଙ୍ଗା,୧।୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶନିବାର ସକାଳେ ମହାସମାରୋହରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା ବୁଢ଼ାରଜା ବୁଢ଼ା ଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବୀର ବାଦ୍ୟ ଘୁମୁରାବାଦ୍ୟରେ ସହର କମ୍ପି ଉଠିଥିଲା ସହର ପରିକ୍ରମା କରି ବିଦ୍ୟାପୀଠସ୍ଥିତ ବୁଢ଼ାରଜା ମଞ୍ଚ ଯାଏ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରାଯାଇଥିଲା। ଏହି ମଶାଲ ଯାତ୍ରାପରେ ବୁଢ଼ାରଜା ମଞ୍ଚକୁ ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଏସ୍ଡିପଓ ସନ୍ଦୀପ ମାଝୀଙ୍କ ସମେତ ସମସ୍ତ କାଉନ୍ସିଲରବୃନ୍ଦ ଯୋଗଦାନକରି ମଞ୍ଚକୁ ଉଦ୍ଘାଟନ କରିଥିଲେ। ପରେ ପୂର୍ବାହ୍ନରେ ଲୋକଗୀତ, ଲୋକନୃତ୍ୟ, ଝୋଟି, ମୁରୁଜ, କଳାହାଣ୍ଡିଆ ପିଠା, ବିଭିନ୍ନ ଭଜନ, ଦଉଡଡିଆ, ଆଦି ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରତିଯୋଗିତା ହୋଇଥିଲା। ଅପରାହ୍ନରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Dharitri – Odisha’s No.1 Odia Daily


