ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ ଧାନ ଭିଜି ଯାଇଛି। ସେହିପରି କ୍ଷେତରେ ଧାନ ଫସଲ ଜମିରେ ଶୋଇ ପଡିଛି।ଅମଳ ସମୟରେ ଏଭଳି ଝଡ଼ବର୍ଷା ଚାଷୀମାନଙ୍କ ଦୁଃଖ ବଢାଇ ଦେଇଛି । ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଥିବାବେଳେ ରାସ୍ତା ଅବରୋଧ ହୋଇ ପଡିଥିବା ସୂଚନା ମିଳିଛି। ବରଗଡ଼ ସହର ଗୁରୁଦ୍ୱାରା ଛକରେ ଏକ ଗଛ ଉପୁଡି ଯାଇ ରାସ୍ତା ଉପରେ ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଯୋଗୁଁ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡିଛି । ରାସ୍ତାରେ ପଡିଥିବା ଗଛ ଉଠାଇବାରେ ବିଭାଗୀୟ କର୍ମଚାରୀମାନେ ଲାଗି ପଡ଼ିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇ ପାରି ନାହିଁ।