ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଅଦାଲତସବୁ ଅନିଚ୍ଛୁକ। ଅନେକ ବର୍ଷଧରି ଜଣଙ୍କ ପରେ ଜଣେ ବିଚାରପତି ଚତୁର୍ବେଦୀଙ୍କ ମାମଲାରୁ ନିଜକୁ ଦୂରେଇ ରଖିଛନ୍ତି, ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଗତ ସପ୍ତାହରେ, ସୁପ୍ରିମକୋର୍ଟ ଏହି କଥାକୁ ସ୍ବୀକାର କରିଥିବା ଜଣାପଡ଼ିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ୪ଜଣ ବିଚାରପତି ଚତୁର୍ବେଦୀଙ୍କ ଏକ ମାମଲାର ଶୁଣାଣିରୁ ଓହରିଯିବା ପରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ଏପରି ଏକ ବେଞ୍ଚ ଗଠନ କରାଯାଉ, ଯେଉଁଠାରେ ଆଉ ଓହରିଯିବାର କୌଣସି ସୁଯୋଗ ରହିବ ନାହିଁ। ସାଧାରଣତଃ ଯେତେବେଳେ ବ୍ୟକ୍ତିଗତ ସ୍ବାର୍ଥ ଜଡ଼ିତ ଥାଏ, ସେତେବେଳେ ବିଚାରପତିମାନେ ମାମଲାରୁ ଓହରିଯାଇ ଥାଆନ୍ତି। କିନ୍ତୁ ଏହିି କାରଣ ନ ଥାଇ ମାମଲାରୁ ଓହରିଯିବା କିମ୍ବା ଫାଇଲକୁ ଅନ୍ୟ ଟେବୁଲକୁ ପଠାଇଦେବା ନ୍ୟାୟିକ ବିକଳ୍ପ ହୋଇପାରିବ ନାହିଁ। ମାମଲାରୁ ଓହରିଗଲେ ବିଚାର ଅଧିକ ବିଳମ୍ବ ହୁଏ ଏବଂ ମାମଲା ଦାଏର କରିଥିବା ବ୍ୟକ୍ତି ଏକ ସୀମାହୀନ ବିଚାର ପ୍ର୍ରକିୟାର ଚକ୍ରବୂ୍ୟହରେ ପଡ଼ିଯାଏ। ତେବେ କେତେଜଣ ଚତୁର୍ବେଦୀଙ୍କୁ ସାହସୀ ହୁଇସିଲ୍‌ବ୍ଲୋୟର ଭାବରେ ଦେଖୁଥିବା ବେଳେ ଅନ୍ୟମାନେ ତାଙ୍କୁ ଜଣେ ଲଢ଼ୁଆ ଅଧିକାରୀ ମନେକରନ୍ତି। ତେବେ ଏହି ଦୁଇ ପ୍ରକାର ଧାରଣା ମଧ୍ୟରୁ କୌଣସି ଗୋଟିଏ ବି ମୂଳ ସମସ୍ୟାକୁ ପରିବର୍ତ୍ତନ କରିପାରିବ ନାହିଁ। ଅଦାଲତରେ, ଏକ ଯୁକ୍ତିଯୁକ୍ତ ସମୟ ମଧ୍ୟରେ, ପ୍ରତ୍ୟେକ ନାଗରିକଙ୍କର ମାମଲାର ଶୁଣାଣି ଏବଂ ନିଷ୍ପତ୍ତି ପାଇବାର ଅଧିକାର ରହିଛି। ଅଦାଲତଗୁଡ଼ିକ ଠିକ୍‌ ସମୟରେ ସେଗୁଡ଼ିକ ଉପରେ ନିଷ୍ପତ୍ତି ନେଲେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇଥାନ୍ତି। ତେବେ ମାମଲାରୁ ଓହରିଯାଇ ନ୍ୟାୟ ବ୍ୟବସ୍ଥାକୁ ଶେଷ ହେବାକୁ ଦିଆଯାଇ ପାରିବ ନାହିଁ।
ଲାଟେରାଲ୍‌ ଏଣ୍ଟ୍ରିରେ ସମସ୍ୟା
ମୋଦି ସରକାରଙ୍କ ଲାଟେରାଲ୍‌ ଏଣ୍ଟ୍ରି ( ବାହାର କ୍ଷେତ୍ରରୁ ବିଶେଷଜ୍ଞ ଆଣି ସରକାରୀ ପଦବୀରେ ଅବସ୍ଥାପିତ କରିବା)ରେ ସଂରକ୍ଷଣ ପାଇଁ ଏଯାବତ କୌଣସି ବ୍ୟବସ୍ଥା ନାହିଁ ବୋଲି ସମାଲୋଚନା ହୋଇଆସିଛି, ଯାହାକୁ ଏବେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ବୀକାର କରିଛନ୍ତି। ଏହି ସ୍ବୀକାରୋକ୍ତି ବିତର୍କର ମୂଳ ବିରୋଧାଭାସକୁ ସାମ୍ନାକୁୁ ଆଣିଛି। ଏହା ସ୍ବୀକାରଯୋଗ୍ୟ ଯେ, ସରକାରଙ୍କୁ ବିଶେଷଜ୍ଞଙ୍କ ଆବଶ୍ୟକତା ଅଛି। ଏବେ ଆଧୁନିକ ଦେଶକୁ ଚଳାଇବା କେବଳ ଫାଇଲ୍‌ କାମ ଏବଂ ପ୍ରଶାସନିକ ଅଭିଜ୍ଞତା ମଧ୍ୟରେ ସୀମିତ ନୁହେଁ। ନୀତି ନିର୍ଦ୍ଧାରକମାନେ କୃତ୍ରିମ ବୁଦ୍ଧିମତ୍ତା, ସାଇବର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ନିୟାମକ ଏବଂ ଶକ୍ତି ପରିବର୍ତ୍ତନ ଭଳି ବିଷୟଗୁଡ଼ିକୁ ସାମ୍ନା କରୁଛନ୍ତି। ସରକାର ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତ କରିବା ଯୁକ୍ତିଯୁକ୍ତ। ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ବଞ୍ଚତ୍ତ ସମୁଦାୟଗୁଡ଼ିକର ନିଷ୍ପତ୍ତି ନେବାରେ ସମାନ ଭାଗୀଦାରି ରହିବ। ତେବେ ଲାଟେରାଲ୍‌ ଏଣ୍ଟ୍ରି ପ୍ରକ୍ରିୟା ସେହି ବ୍ୟବସ୍ଥାକୁ ଏଡ଼ାଇ ଯାଉଥିବା ମନେହୁଏ। ସରକାରଙ୍କ ଯୁକ୍ତି ଯେ, କମ୍‌ ସଂଖ୍ୟକ ସ୍ବତନ୍ତ୍ର ପଦବୀରେ ସଂରକ୍ଷଣ ଲାଗୁ କରିବା କଥା କହିବା ଯେତିକି ସହଜ, କରିବା ସେତିକି କଠିନ। କିନ୍ତୁ ଲାଟେରାଲ ଏଣ୍ଟ୍ରି ଲାଗୁ ହେବାର ଅନେକ ବର୍ଷର ପରେ ଏହା ଜଟିଳ ବା କଠିନ ବୋଲି କହିବା ଏକ ସ୍ପଷ୍ଟୀକରଣ ନୁହେଁ ବରଂ ଏକ ବାହାନା ଭଳି ଜଣାପଡ଼ୁଛି। ଲାଟେରାଲ୍‌ ଏଣ୍ଟ୍ରିକୁ ନେଇ ଚାଲିଥିବା ରାଜନୀତି ଶୀଘ୍ର ଶେଷ ହେବ ନାହିଁ। ଯେପର୍ଯ୍ୟନ୍ତ ସରକାର ସଂରକ୍ଷଣ ପ୍ରଶ୍ନର ସମାଧାନ ନ କରିଛନ୍ତି, ସେ ଯାଏ ପ୍ରତ୍ୟେକ ନୂତନ ନିଯୁକ୍ତି ପ୍ରକ୍ରିୟା ସେହି ସମାନ ବିବାଦକୁ ପୁଣି ସାମ୍ନାକୁ ଆଣିବ।
ଏଫ୍‌ଏଟିଏଫ୍‌ରେ ଭାରତର ନେତୃତ୍ୱ
ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ଉପ-ସଭାପତି ପଦ ଭାରତ ପାଇଛି। ଏହା ସୂଚିତ କରେ ଯେ, ଆର୍ଥିକ ଅଖଣ୍ଡତା, ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦୀ ପାଣ୍ଠି ସଂଗ୍ରହକୁ ରୋକିବା ଦିଗରେ ଚାଲିଥିବା ବିଶ୍ୱସ୍ତରୀୟ ଆଲୋଚନାରେ ଭାରତ ଆଗରେ ଅଛି। ଅନେକ ବର୍ଷ ଧରି ସରକାର ଯୁକ୍ତି ବାଢ଼ିଆସୁଛନ୍ତି ଯେ, ଆତଙ୍କବାଦର ଆର୍ଥିକ ମେରୁଦଣ୍ଡ ନ ଭାଙ୍ଗିଲେ ଏହାର ମୁକାବିଲା ଅସମ୍ଭବ। ଏହା ସହ ଆତଙ୍କବାଦୀ ପାଣ୍ଠି ଯୋଗାଉଥିବା ନେଟୱର୍କ ଉପରେ କଡ଼ା ନଜର ରଖିବା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଉତ୍ତରଦାୟୀ କରିବା ଏବଂ ବେଆଇନ ଅର୍ଥ କାରବାର ବିରୋଧରେ ଅଧିକ ଅନ୍ତର୍ଜାତୀୟ ସହଯୋଗ ପାଇଁ ଦାବି କରିଆସୁଛି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିବେକ ଅଗ୍ରୱାଲ ଏଫ୍‌ଏଟିଏଫ୍‌ ଉପସଭାପତି ହେଉଥିବାରୁ, ଏହିସବୁ ବିଷୟରେ ଗଭୀର ଆଲୋଚନା ଲାଗି ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି। ଏଫ୍‌ଏଟିଏଫ୍‌ ହେଉଛି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ମନି ଲଣ୍ଡରିଂ ଓ ଆତଙ୍କବାଦ ବିରୋଧୀ ପାଣ୍ଠି ନିୟନ୍ତ୍ରଣକାରୀ ସଂସ୍ଥା। ତେବେ ଅଗ୍ରଓ୍ବାଲଙ୍କ ନିଯୁକ୍ତି ବିଶ୍ୱସ୍ତରୀୟ ଶାସନ ବ୍ୟବସ୍ଥାରେ ବୃଦ୍ଧି ପାଉଥିବା ଭାରତର ମର୍ଯ୍ୟାଦାକୁ ପ୍ରତିଫଳିତ କରେ। ଜି୨୦ ଅବା ଜଳବାୟୁ ଆଲୋଚନା କିମ୍ବା ଅନ୍ତର୍ଜାତୀୟ ସଂସ୍ଥା ହେଉ, ଭାରତର ମତକୁ ଗୁରୁତ୍ୱ ଦିଆଯାଉଛି। ପ୍ରଥମ ଥର ପାଇଁ ଏଫ୍‌ଏଟିଏଫ୍‌ରେ ଏକ ନେତୃତ୍ୱ ସ୍ଥାନ ହାସଲ କରିବା ଏହି ବ୍ୟାପକ ଯାତ୍ରାର ପ୍ରତିଫଳନ। ଅବଶ୍ୟ ଗୋଟିଏ ନିଯୁକ୍ତି ଦ୍ୱାରା ବେଆଇନ ଆର୍ଥିକ କାରବାର ବିରୋଧରେ ଚାଲିଥିବା ବିଶ୍ୱସ୍ତରୀୟ ଲଢ଼େଇ ବଦଳିଯିବ ନାହିଁ। କିନ୍ତୁ ନେତୃତ୍ୱ ପଦବୀ ପ୍ରାଥମିକତାକୁ ବିଚାରକୁ ନେବା, ମେଣ୍ଟ ଗଠନ କରିବା ଏବଂ ଜଟିଳ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ଜାରି ରଖିବାରେ ସାହାଯ୍ୟ କରିଥାଏ। ତେବେ ଆହ୍ବାନ ହେଉଛି, ଏହି ପଦବୀକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com