Categories: ଖେଳ

ଦର୍ଶକଙ୍କ ଉପସ୍ଥିତିରେ ଆଇପିଏଲ୍‌ ପାଇଁ ବିଚାର

ନୂଆଦିଲ୍ଲୀ,୧ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଆୟୋଜନ ହେଲେ ଷ୍ଟାଡିୟମର ୩୦ରୁ ୫୦ ପ୍ରତିଶତ ଆସନ ପୂରଣ କରିବା ଲାଗି ଏମିରେଟ୍ସ କ୍ରିକେଟ ବୋର୍ଡ(ଇସିବି) ଆଗ୍ରହୀ। ତେବେ ଏହା ସେଠିକା ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରେ ବୋଲି ଇସିବି ସାଧାରଣ ସମ୍ପାଦକ ମୁବାସଶିର୍‌ ଉସ୍‌ମାନୀ ପ୍ରକାଶ କରିଛନ୍ତି। ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ତାରିଖ ଘୋଷଣା କରିବା ବେଳେ ଟୁର୍ନାମେଣ୍ଟ ସମୟରେ ଦର୍ଶକ ଉପସ୍ଥିତ ରହିପାରିବେ କି ନା ସେ ନିଷ୍ପତ୍ତି ୟୁଏଇ ସରକାର ନେବେ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ୟୁଏଇରେ ଆଇପିଏଲ୍‌ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରି ରହିଛି। ଉସ୍‌ମାନୀ କହିଛନ୍ତି ବିସିସିଆଇଠାରୁ ସବୁଜ ସଂକେତ ମିଳିଯିବା ପରେ ଆମେ ଆମ ସରକାରଙ୍କ ନିକଟରେ ସମ୍ପୂର୍ଣ୍ଣ ପ୍ରସ୍ତାବ ଏବଂ ବିସିସିଆଇ ଏବଂ ଆମ ଦ୍ୱାରା ପ୍ରସ୍ତୁତ ଏସଓପିକୁ ଉପସ୍ଥାପନ କରିବୁ। ଆମ ଲୋକେ ଏହି ସମ୍ମାନଜନକ ଇଭେଣ୍ଟର ଅଭିଜ୍ଞତା ହାସଲ କରନ୍ତୁ ବୋଲି ଆମେ ଚାହୁଁ, କିନ୍ତୁ ଏହା ସରକାରଙ୍କୁ ନିଷ୍ପତ୍ତି ଉପରେ ନିର୍ଭର କରେ। ସୂଚନାଯୋଗ୍ୟ, ୟୁଏଇରେ କୋଭିଡ୍‌-୧୯ ମହାମାରୀ ମୋଟାମୋଟି ଭାବେ ନିୟନ୍ତ୍ରଣରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬,୦୦୦ରୁ ସାମାନ୍ୟ ଅଧିକ। ଅନ୍ୟପକ୍ଷରେ କରେନାଭାଇରସ୍‌ ଆଶଙ୍କାରେ ୧୯୭୦ ପରେ ପ୍ରଥମଥର ନଭେମ୍ବରରେ ହେବାକୁଥିବା ଦୁବାଇ ରଗ୍‌ବୀ ସେଭେନ ଇଭେଣ୍ଟ ୨୦୨୦କୁ ବାତି କରାଯାଇଛି। ଉସ୍‌ମାନ କହିଛନ୍ତି, ୟୁଏଇ ସରକାର କରୋନା ସଂକ୍ରମଣକୁ ରୋକିବା ଦିଗରେ ଦକ୍ଷ ସାବ୍ୟସ୍ତ ହୋଇଛନ୍ତି। ଆମେ ଏଠାରେ ସ୍ବାଭାବିକ ଜୀବନଯାପନ କରୁଛୁ, ତେବେ କେତେକ ନୀତି ନିୟମ ଓ ପ୍ରୋଟୋକଲ ମାନି ଚଳିବାକୁ ହେଉଛି।

Share