Categories: ଖେଳ

ଇଂଲଣ୍ଡ ଦଳରେ ଯୋଗ ଦେଲେ ଜୋଫ୍ରା ଆର୍ଚର

ଲଣ୍ଡନ, ୨୬ା୬ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଦ୍ୱିତୀୟ ଥର ନେଗେଟିଭ୍‌ ଆସିବା ପରେ ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କ ଇଂଲଣ୍ଡ କ୍ରିକେଟ ଦଳରେ ଯୋଗଦେଇଛନ୍ତି। ଇଂଲଣ୍ଡ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ସହିତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ସାଉଥାମ୍ପଟନର ଏଜାସ୍‌ ବାଓଲଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ୨୫ବର୍ଷୀୟ ଆର୍ଚରଙ୍କ ପରିବାରର ଜଣେ ସଦସ୍ୟ ଅସୁସ୍ଥ ହୋଇପଡ଼ିବାରୁ ସେ ଦଳର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇ ପାରି ନ ଥିଲେ। ପ୍ରଥମ ଥର କୋଭିଡ୍‌-୧୯ ଟେଷ୍ଟରେ ତାଙ୍କର ନେଗେଟିଭ୍‌ ଆସିଥିଲା। କିନ୍ତୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ତାଙ୍କର ଆଉଥରେ କରୋନା ଟେଷ୍ଟ ହୋଇଥିଲା। ସେଥିରେ ମଧ୍ୟ ତାଙ୍କର ନେଗେଟିଭ୍‌ ଆସିଛି। ଗୁରୁବାର ସେ ଏଜାସ ବାଓଲଠାରେ ଚାଲିଥିବା ଟ୍ରେନିଂ କ୍ୟାମ୍ପରେ ସେ ତାଙ୍କ ଦଳର ସଦସ୍ୟମାନଙ୍କ ସହ ଯୋଗ ଦେଇଛନ୍ତି। ଶୁକ୍ରବାରଠାରୁ ସେ ଟ୍ରେନିଂ ଆରମ୍ଭ କରିବେ। ଟେଷ୍ଟ ସିରିଜ ଜୈବ ସୁରକ୍ଷିତ ଭେନ୍ୟୁ ଏଜାସ ବାଓଲ ଏବଂ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡଠାରେ ଅନୁଷ୍ଠିତ ହେବ। ଏଥିଲାଗି ଖେଳାଳିଙ୍କ ସମେତ ସପୋର୍ଟ ଷ୍ଟାଫ୍‌, ମ୍ୟାଚ୍‌ ଅଫିସିଆଲ, ଇସିବି ଷ୍ଟାଫ୍‌, ଭେନ୍ୟୁ ଏବଂ ହୋଟେଲ କର୍ମଚାରୀ ଆଦି ମୋଟ ୭୦୨ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି। ପ୍ରଥମ ଟେଷ୍ଟ ଏଜାସ ବାଓଲଠାରେ ଜୁଲାଇ ୮ରୁ ଏବଂ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡଠାରେ ଖେଳାଯିବ। ଏହି ସିରିଜ ସହିତ କରୋନା ଭାଇରସ ଯୋଗୁ ସ୍ଥଗିତ ରହିଥିବା ଅନ୍ତର୍ଜାତୀୟ କ୍ରିକେଟର ପୁନଃଆରମ୍ଭ ହେବ।

Share