ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି ଖବର ସାର୍ବଜନୀନ କରିଛନ୍ତି।
A new journey began yesterday 💍@Nidhi https://t.co/BXbdLq2d1H
— Omar Abdullah (@OmarAbdullah) October 31, 2026
୫୬ ବର୍ଷୀୟ ଅବଦୁଲ୍ଲା ‘ଏକ୍ସ’ (X)ରେ ନିଜର ଏବଂ ନିଧିଙ୍କର କିଛି ଫଟୋ ଶେୟାର କରି ଲେଖିଛନ୍ତି, “ଗତକାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା” ଏବଂ ପୋଷ୍ଟରେ ନିଧି ରାଜଦାନଙ୍କୁ ଟ୍ୟାଗ୍ କରିଛନ୍ତି। ଏହାର ଉତ୍ତରରେ ୪୯ ବର୍ଷୀୟା ସାମ୍ବାଦିକା ନିଧି ରାଜଦାନ ମଧ୍ୟ ଫଟୋ ଶେୟାର କରି ଲେଖିଛନ୍ତି, “It’s done bro.”
ଏହି ବିବାହ ପୂର୍ବରୁ ଶ୍ରୀନଗରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା, ଯେଉଁଠାରେ ଉଭୟ ପରିବାରର ନିକଟସ୍ଥ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଓମାର ଅବଦୁଲ୍ଲାଙ୍କ ମାତାପିତା ନ୍ୟାଶନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ଏବଂ ମଲି ଅବଦୁଲ୍ଲାଙ୍କ ସମେତ ତାଙ୍କର ତିନି ଭଉଣୀ ଓ ଅନ୍ୟାନ୍ୟ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ସେହିପରି ନିଧି ରାଜଦାନଙ୍କ ମାତାପିତା, ବରିଷ୍ଠ ସାମ୍ବାଦିକ ଏମ୍.କେ. ରାଜଦାନ ଏବଂ ସରଲା ରାଜଦାନ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଓମାର ଅବଦୁଲ୍ଲା ଏବଂ ତାଙ୍କର ପୂର୍ବତନ ସ୍ତ୍ରୀ ପାୟଲ ଅବଦୁଲ୍ଲାଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁର କରିଥିଲେ, ଯାହାଦ୍ୱାରା ଦୀର୍ଘ ଦିନର ଆଇନଗତ ପ୍ରକ୍ରିୟା ଏବଂ ପାରିବାରିକ ବିବାଦର ଅନ୍ତ ଘଟିଥିଲା।

