ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ ନୟାଗଡ଼ ଜେଲରେ କାର୍ଯ୍ୟରତ ସାରଥୀ ପ୍ରଧାନ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ପାରିବାରିକ କଳହ ପାଇଁ ସାରଥୀ ଆତ୍ମହତ୍ୟା କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର କହିଛନ୍ତି।
ସୂଚନାନୁସାରେ, ସାରଥୀ ୨ବର୍ଷ ହେବ ଝାରପଡା ଜେଲ୍ରୁ ନୟାଗଡ଼ ଜେଲ୍କୁ ବଦଳି ହୋଇଯାଇଥିଲେ ମଧ୍ୟ ଏଠାରେ ପୂର୍ବରୁ ଥିବା କ୍ୱାର୍ଟର୍ସରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅନ୍ତି। ଗତ କିଛିମାସ ହେବ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା। ଗୁରୁବାର ସାରଥୀ ଛୁଟି ନେଇ ଘରକୁ ଆସିଥିବା ବେଳେ ରାତି ୯ଟାରେ ପୁଣି ସ୍ତ୍ରୀଙ୍କ ସହ ଭୀଷଣ ଝଗଡ଼ା ହୋଇଥିଲା। ସ୍ତ୍ରୀ ଓ ପିଲାମାନେ ଗୋଟିଏ ରୁମ୍ରେ ଏବଂ ଅନ୍ୟ ରୁମ୍ରେ ସାରଥୀ ଶୋଇଥିଲେ। ପରିବାର ଲୋକ ଗୋଟିଏ ରୁମ୍ରେ ଶୋଇଥିବା ବେଳେ ଅନ୍ୟ ଏକ ରୁମ୍ରେ ସାରଥି ଶୋଇଥିଲେ। ଶୁକ୍ରବାର ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସାରଥୀ ଶୋଇ ରହିଥିବା ଦେଖିବ ପୁଅ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ପରିବାର ଲୋକେ ସନ୍ଦେହ କରି ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତାଲା ତାଡ଼ି କବାଟ ଖୋଲିବା ପରେ ସାରଥୀଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ବଡ଼ କଥା ହେଲା ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ହଠାତ୍ ତାଙ୍କ ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଷ୍ଟାଟସ୍ ରଖିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ସାରଥୀଙ୍କ ଭାଇ ଏବଂ ସମ୍ପର୍କୀୟମାନେ ପ୍ରଶ୍ନ ଉଠାଇଛନ୍ତି। ସାରଥୀଙ୍କ ମୃତ୍ୟୁର ଠିକ୍ ତଦନ୍ତ କରାଗଲେ ସତ ପଦାକୁ ଆସିବ ବୋଲି ସେମାନେ ଦାବି କରିଛନ୍ତି।

