Categories: ଖେଳ

ଏକବିଂଶ ଶତାବ୍ଦୀରେ ଜାଡେଜା ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ ଖେଳାଳି

ନୂଆଦିଲ୍ଲୀ, ୧ା୭: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଖୁସି ଖବର। କ୍ରିକେଟର ବାଇବେଲ ଭାବେ ପରିଚିତ ଓ୍ବିଜଡେନ ଜାଡେଜାଙ୍କୁ ଏକବିଂଶ ଶତାବ୍ଦୀର ସବୁଠାରୁ ମୂଲ୍ୟବାନ ଭାରତୀୟ ଟେଷ୍ଟ ଖେଳାଳିଭାବେ ଅଭିହିତ କରିଛି। ଗତ ୨ ବର୍ଷ ଧରି ଜାଡେଜା ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ଗତବର୍ଷ ଜାଡେଜା ଦ୍ରୁତ ୨୦୦ ଉଇକେଟ ପୂରଣ କରିବାରେ ଦ୍ୱିତୀୟ ଭାରତୀୟ ବୋଲର ମଧ୍ୟ ବିବେଚିତ ହୋଇଥିଲେ। ସେ ୪୪ ଟେଷ୍ଟରୁ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୩୭ ମ୍ୟାଚରେ ଏହି ସଂଖ୍ୟା ସ୍ପର୍ଶ କରିଥିଲେ। ରେକର୍ଡ ବିଶ୍ଳେଷଣ ପାଇଁ ଓ୍ବିଜଡେନ ପକ୍ଷରୁ କ୍ରିକ୍‌ଭିଜ୍‌(କ୍ରିକେଟରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପାଇଁ ବ୍ୟବହୃତ ହେଉଥିବା ଟୁଲ୍‌)ର ସହାୟତା ନିଆ ଯାଇଥିଲା। ଏଥିରେ ମ୍ୟାଚ ଉପରେ ଖେଳାଳିଙ୍କ ପ୍ରଦର୍ଶନର ପ୍ରଭାବକୁ ବିଚାରକୁ ନିଆ ଯାଇଥିଲା। ଏ କ୍ଷେତ୍ରରେ ସେ ଭାରତର ନମ୍ବରଓ୍ବାନ ହୋଇଥିବାବେଳେ ଏକବିଂଶ ଶତାବ୍ଦୀରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ସ୍ପିନ କିମ୍ବଦନ୍ତୀ ମୁଥୟା ମୁରଲୀଧରନ ତାଲିକାର ଶୀର୍ଷରେ ରହିଛନ୍ତି। ଜାଡେଜା ୯୭.୩ ରେଟିଂ ପଏଣ୍ଟ ପାଇଛନ୍ତି।
” ସ୍ପିନ ବୋଲିଂ ଅଲରାଉଣ୍ଡର ଜାଡେଜାଙ୍କୁ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ଦେଖିବା ବିସ୍ମିତ ଲାଗୁ ଥାଇପାରେ, ମାତ୍ର ସେ ଯେତେବେଳେ ଖେଳିଛନ୍ତି ଭାରତର ଆଗଧାଡ଼ିର ବୋଲର ବିବେଚିତ ହୋଇଛନ୍ତି। ଏହା ବ୍ୟତୀତ ସେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ ହେଁ ଦଳପାଇଁ ତାଙ୍କ ଯୋଗଦାନ ଉଚ୍ଚକୋଟୀର ରହିଛି“ ବୋଲି କ୍ରିକ୍‌ଭିଜ୍‌ର ଫ୍ରେଡି ଓ୍ବାଇଲ୍ଡ ପ୍ରକାଶ କରିଛନ୍ତି। ୩୧ ବର୍ଷୀୟ ଜାଡେଜାଙ୍କର ବୋଲିଂ ଆଭରେଜ ୨୪.୬୨। ଯାହାକି ଶେନ ଓ୍ବର୍ନଙ୍କଠାରୁ ଉନ୍ନତ। ସେହିପରି ତାଙ୍କ ବ୍ୟାଟିଂ ଆଭରେଜ ୩୫.୨୬। ଯାହାକି ଶେନ ଓ୍ବାଟସନଙ୍କଠାରୁ ଭଲ। ତାଙ୍କ ବ୍ୟାଟିଂ ଓ ବୋଲିଂ ଆଭରେଜ ମଧ୍ୟରେ ଭିନ୍ନତା ହେଉଛି ୧୦.୬୨ ରନ। ଏହା ତାଙ୍କୁ ୧୦୦୦ରୁ ଊର୍ଦ୍ଧ୍ୱ ରନ ଏବଂ ୧୫୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ଶତାବ୍ଦୀର ଦ୍ୱିତୀୟ ମୂଲ୍ୟବାନ ଖେଳାଳିଭାବେ ପରିଗଣିତ କରିଛି। ଉଚ୍ଚ କ୍ୱାଲିଟି ବିଶିଷ୍ଟ ସେ ଜଣେ ଅଲରାଉଣ୍ଡର ବୋଲି ଫ୍ରେଡି କହିଛନ୍ତି।
୨୦୧୨ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଜାଡେଜା ୨୦୧୯ ବେଳକୁ ଜଣେ ସଫଳ ଅଲରାଉଣ୍ଡରଭାବେ ପ୍ରତିଷ୍ଠିତ ହୋଇ ସାରିଥିଲେ। ସୌରାଷ୍ଟ୍ରରେ ଜନ୍ମିତ ଏହି କ୍ରିକେଟର ୪୯ଟି ଟେଷ୍ଟ ଖେଳି ୧ ଶତକ ଏବଂ ୧୪ ଅର୍ଦ୍ଧଶତକ ସହ ୧୮୬୯ ରନ ସ୍କୋର କରିଛନ୍ତି। ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ ରାଜକୋଟଠାରେ କ୍ୟାରିୟରର ଏକମାତ୍ର ଟେଷ୍ଟ ଶତକ ହାସଲ କରିଥିଲେ। ସେହିପରି ବୋଲିଂରେ ସେ ୨୧୩ଟି ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି। ସେ ୯ ଥର ୫ ଉଇକେଟ ନେଇଥିବାବେଳେ ଥରେ ୧୦ ଉଇକେଟ ସଫଳତା ପାଇଥିଲେ।

Share