ନୂଆଦିଲ୍ଲୀ,୨୪ା୬ (ପି.ଟି.): ନିର୍ଦ୍ଦିଷ୍ଟ ବର୍ଗର ଏକକ ମା’ଙ୍କ ପିଲାଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାର୍ଟିଫିକେଟ ଇସ୍ୟୁ ପାଇଁ ନିୟମାବଳୀରେ ସଂଶୋଧନ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ଗାଇଡ୍ଲାଇନ ଆଣିବାକୁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି, ଯାହା ଦ୍ୱାରା ପିତୃତ୍ୱ ପକ୍ଷର କାଗଜାତ ବିନା ଏକକ ମା’ଙ୍କ ପିଲା ସାର୍ଟିଫିକେଟ ପାଇପାରିବେ ବୋଲି ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ଏବଂ ଏନ୍. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ପିଟିଶନ୍ର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨କୁ ଧାର୍ଯ୍ୟ ହୋଇଛି। ଦିଲ୍ଲୀର ଜଣେ ମହିଳା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଜାନୁଆରୀ ୩୧ରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଥିଲେ। ସତ୍ୟପାଠ ଦାଖଲ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ଓକିଲ ଜଣାଇଥିଲେ। ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଅଧିକ ଶୁଣାଣି ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।


