Posted inଫୁରସତ

ଡ୍ରଗ୍ସର ଉତ୍ସ ନ ଜାଣିଲେ ଲଗାମ କଷ୍ଟକର: ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣ ପ୍ରଧାନ

ଭୁବନେଶ୍ୱର ଶହୀଦନଗର ଅଞ୍ଚଳରେ ପିଲାବେଳୁ ବଢ଼ିଥିବା ସତ୍ୟନାରାୟଣ ପ୍ରଧାନ ଏବେ ଦେଶର ୨ ପ୍ରମୁଖ ପଦବୀରେ ଅବସ୍ଥାପିତ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌)ର ମହାନିର୍ଦ୍ଦେଶକ ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ପ୍ରଧାନ ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଶା ସାମଗ୍ରୀ ଚୋରା କାରବାରର ଆନ୍ତଃରାଜ୍ୟ ରୁଟ୍‌କୁ ଚିହ୍ନଟ କରାଯିବା ସହ ଏନେଇ ତୀକ୍ଷ୍ଣ ନଜର ରଖାଯାଇଛି। ଏନ୍‌ସିବିର ପୁନର୍ଗଠନ ଏବଂ ବଢ଼ିଚାଲିଥିବା ନିଶାର ଆତଙ୍କ ଉପରେ ରୋକ ଲଗାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦିଲ୍ଲୀର ସ୍ବତନ୍ତ୍ର ଖବରଦାତାଙ୍କୁ ଧରିତ୍ରୀ ଆଳାପ ପାଇଁ ସାକ୍ଷାତ୍‌କାର ଦେବା ଅବସରରେ ପ୍ରଧାନ ଏହା କହିଛନ୍ତି।

୧. ଆପଣଙ୍କ ପିଲାବେଳର ସ୍ବପ୍ନ ଏବଂ ବର୍ତ୍ତମାନର ପଦବୀକୁ ନେଇ କ’ଣ କହିବେ?
ଉ: ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରୁ ଉଚ୍ଚଶିକ୍ଷା ଶେଷ କରିବା ପରେ ଭାରତୀୟ ବୈଦେଶିକ ସେବା ପାଇଁ ଆଗ୍ରହୀ ଥିଲି। ତେବେ ପରବର୍ତ୍ତୀ ସମୟରେ ଆଇପିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ପଦପଦବୀରେ ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଛି।
୨. ନିକଟରେ ଆପଣଙ୍କୁ ଏନ୍‌ସିବିର ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ଉପରେ କ’ଣ ଯୋଜନା ରଖିଛନ୍ତି?
ଉ: ଏହି ଦାୟିତ୍ୱ ସାମୟିକ। ମୁଁ ଜାଣିନାହିଁ କେତେଦିନ ଏହି ଦାୟିତ୍ୱରେ ରହିବି। ହେଲେ ଯେତେଦିନ ବି ରହିବି, ସେପର୍ଯ୍ୟନ୍ତ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରିବି। ବିଶେଷକରି ଭାରତ ହେଉଛି ଏପରି ଏକ ଦେଶ ଯେଉଁଠି ନିଶା କାରବାର ଆରମ୍ଭ, ଚାଲାଣ ଏବଂ ବ୍ୟବହାର ହୋଇଥାଏ। ତେଣୁ ଏହାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ। ଯେଉଁ ଦେଶଗୁଡ଼ିକରୁ ନିଶା ଚାଲାଣ ହୋଇ ଆମ ଦେଶକୁ ଆସୁଛି, ସେଗୁଡ଼ିକ ସହ ଆମ ଦେଶର ସ୍ଥଳ ଓ ସାମୁଦ୍ରିକ ସୀମା ସଂଲଗ୍ନ ରହିଛି। ଯେପର୍ଯ୍ୟନ୍ତ ଏହା କେଉଁଠୁ ଆସୁଛି ଏବଂ ଏହାର ଚାଲାଣକାରୀ କିଏ ବୋଲି ଆମେ ନ ଜାଣିଛେ, ସେପର୍ଯ୍ୟନ୍ତ ଡ୍ରଗ୍ସ ଉପରେ ଲଗାମ ଲଗାଯାଇପାରିବ ନାହିଁ। ତେଣୁ ରାଜ୍ୟ ପୋଲିସ, ଗୋଇନ୍ଦା ସଂସ୍ଥା ଏବଂ ଅନ୍ତର୍ଜାତୀୟ ଡ୍ରଗ୍ସ ନିରୋଧୀ ଏଜେନ୍ସିଗୁଡ଼ିକ ସହ ମିଶି କାମ କରିବାକୁ ପଡ଼ିବ।
୩. ନିଶା କାରବାର ରୋକିବାରେ ଏନ୍‌ସିବି ନିଜକୁ ପ୍ରସ୍ତୁତ କରିପାରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ। ଆପଣ ଏହାକୁ କେମିତି ନେଉଛନ୍ତି?
ଉ: ପ୍ରତ୍ୟେକ ସଂସ୍ଥା ଓ ବିଭାଗ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରଖେ। ଏନ୍‌ସିବି ମଧ୍ୟ ଏହା କରୁଛି। ବର୍ତ୍ତମାନ ଏବଂ ଭବିଷ୍ୟତର ଡ୍ରଗ୍ସ ଚ୍ୟାଲେଞ୍ଜର ମୁକାବିଲା ଲାଗି ଏନ୍‌ସିବିର ପରିସର ବୃଦ୍ଧି ପାଇଁ ସରକାର ମଧ୍ୟ ପ୍ରତିଶ୍ରୁତିବଦ୍ଧ।
୪. ଏନ୍‌ସିବିରେ ମାନବସମ୍ବଳର ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ଏହାର ସାମର୍ଥ୍ୟକୁ ପ୍ରଭାବିତ କରିଛି କି?
ଉ: ଏନ୍‌ସିିବିର ପରିସର ବୃଦ୍ଧି ଯୋଜନା କେବଳ ମାନବ ସମ୍ବଳରେ ସୀମତି ନୁହେଁ ବରଂ ନୂଆ ଅଫିସ, ଆଞ୍ଚଳିକ କାର୍ଯ୍ୟାଳୟ, ବୈଷୟିକ ବ୍ୟବସ୍ଥା, ଯାନବାହନ ଆଦି କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତାବ ରହିଛି। ଏନ୍‌ସିବିର ଟେକ୍ନୋଲୋଜି ଅପ୍‌ଡେଟ କରିବା ପାଇଁ ଆମେ ଏକ ଆଭ୍ୟନ୍ତରୀଣ ସମୀକ୍ଷା କରିଛୁ, ତାହା ଉପରେ କାମ ଚାଲିଛି।
୫. ଓଡ଼ିଶା ଆପଣଙ୍କ ନିଜ ରାଜ୍ୟ। ଏଠାରେ ଗଞ୍ଜେଇ କାରବାର ବହୁଳ ମାତ୍ରାରେ ଚାଲିଥିବା କୁହାଯାଏ। ଏବେ ରାଜ୍ୟରେ ବ୍ରାଉନ୍‌ସୁଗାର ଚାଲାଣ କରାଯିବାରେ ଛାତ୍ରଗୋଷ୍ଠୀକୁ ଅପରାଧୀମାନେ ଟାର୍ଗେଟ କରୁଛନ୍ତି। ଏନେଇ ଏନ୍‌ସିବିର ରଣନୀତି କ’ଣ ରହିଛି?
ଉ: ଆମେ କେବଳ ଓଡ଼ିଶା ନୁହେଁ, ବରଂ ସବୁ ରାଜ୍ୟ ଉପରେ ନଜର ରଖିଛୁ। କେଉଁ ରାଜ୍ୟରେ କିଭଳି ଏବଂ କିପରି ଡ୍ରଗ୍ସ ଚାଲାଣ ହେଉଛି, ତାକୁ ଦୃଷ୍ଟିରେ ରଖି ସବୁଠି ଭିନ୍ନ ଭିନ୍ନ ରଣନୀତି ଆପଣାଉଛୁ। ଓଡ଼ିଶା ଏଥିରୁ ବାଦ୍‌ ପଡ଼ିବ ନାହିଁ।
୬. ବଙ୍ଗୋପସାଗର ଡ୍ରଗ୍ସ ଚାଲାଣ ପାଇଁ ଏକ ଟ୍ରାନ୍‌ଜିଟ ରୁଟ୍‌ ପାଲଟିଛି। ଏନ୍‌ସିବି ଏହା ଉପରେ କେତେ ସଚେତନ?
ଉ: ଆମେ ଯେତେବେଳେ କୌଣସି ରାଜ୍ୟ ଉପରେ ଅନୁଧ୍ୟାନ କରୁ, ସେଠାକୁ ଚାଲାଣ ହେଉଥିବା ବିଭିନ୍ନ ପ୍ରକାର ଡ୍ରଗ୍ସ, କେଉଁମାନେ ଏହାକୁ ଚାଲାଣ କରୁଛନ୍ତି, ଏହାର ବ୍ୟବହାର, କିଏ ପାଣ୍ଠି ଯୋଗାଉଛନ୍ତି ଏସବୁ ଉପରେ ଧ୍ୟାନ ଦେଇଥାଉ। ମାଓବାଦୀ ଓ ଆତଙ୍କବାଦୀଙ୍କୁ ଡ୍ରଗ୍ସ ଦିଆଯାଉଛି କି, ସେନେଇ ମଧ୍ୟ ଦୃଷ୍ଟି ଦିଆଯାଉଛି।
୭. ବଙ୍ଗୋପସାଗର ଓ ଓଡ଼ିଶା ଦେଇ କେଉଁ ପ୍ରକାରର ନିଶାଦ୍ରବ୍ୟ ଚାଲାଣ ହେଉଛି?
ଉ: ବୃତ୍ତିଗତ ଗୋପନୀୟତା ଦୃଷ୍ଟିରୁ ଏ ପ୍ରସଙ୍ଗରେ କିଛି କହିବା ଠିକ୍‌ ହେବ ନାହିଁ।
୮. ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ୨୦୨୦ରେ ୩୫କେଜି ବ୍ରାଉନସୁଗାର ଜବତ କରିଥିବାବେଳେ ଏନ୍‌ସିବି ଭୁବନେଶ୍ୱର ଶାଖାକୁ ସେଭଳି ସଫଳତା ମିଳିପାରି ନାହିଁ। ଏନେଇ କ’ଣ କହିବେ?
ଉ: ମୋ ମତରେ ଏହା ଏକ ଭୁଲ ଧାରଣା। ଭୁବନେଶ୍ୱର, ଗୟା ଓ ପାଟଣାରେ ଥିବା ଏନ୍‌ସିବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ସାରା ଦେଶରେ ଏକ ବଡ଼ ନେଟ୍‌ଓ୍ବର୍କର ରହସ୍ୟ ଉନ୍ମୋଚିତ କରିବାରେ କୋଲ୍‌କାତାସ୍ଥିତ ଜୋନାଲ ଅଫିସକୁ ସହଯୋଗ କରୁଛନ୍ତି। ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟର କାମ ରାଜ୍ୟ ପୋଲିସ ଭଳି କେବଳ ଭୁବନେଶ୍ୱରରେ ସୀମିତ ନୁହେଁ। ସାରା ଦେଶ ପାଇଁ ଏନ୍‌ସିବି କାମ କରୁଛି।
୯. ଏନ୍‌ଡିଆର୍‌ଏଫ୍‌ର ଆପଣ ମହାନିର୍ଦ୍ଦେଶକ ଅଛନ୍ତି। ବାତ୍ୟା ସମୟରେ ଲୋକଙ୍କ ଜୀବନହାନିକୁ ରୋକିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। କିନ୍ତୁ ବାରମ୍ବାର ସାମୁଦ୍ରିକ ଝଡ଼ ଆସୁଥିବାରୁ ରାଜ୍ୟର ଆର୍ଥିକ ଭିତ୍ତିଭୂମି ଉପରେ ଏହାର ପ୍ରଭାବ ପଡ଼ୁଛି। ଏ ଦିଗରେ କିଛି ରଣନୀତି ସ୍ଥିର କରିଛନ୍ତି କି?
ଉ: ଜନସାଧାରଣଙ୍କ ଜୀବନ ରକ୍ଷାରେ ଆମେ ବହୁତ ବଡ଼ ପଦକ୍ଷେପ ନେବାରେ ସକ୍ଷମ ହୋଇଛୁ। ଏବେ ଭିତ୍ତିଭୂମିଗତ ଢାଞ୍ଚା, ସାଧାରଣ ସମ୍ପତ୍ତି ଓ ଗରିବ ହାଉସିଂ କଲୋନିଗୁଡ଼ିକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବୁ। ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲିଶନ୍‌ ଅଫ୍‌ ଡିଜାଷ୍ଟର ରେଜିଲିଆଣ୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର(ସିଡିଆର୍‌ଆଇ) ଆରମ୍ଭ କରିଛନ୍ତି, ଯାହାକୁ ବିଶ୍ୱବ୍ୟାପୀ ସ୍ବୀକୃତି ମିଳିଛି।
୧୦. ସିଭିଲ୍‌ ସର୍ଭାଣ୍ଟ ହେବା ପାଇଁ ଯାତ୍ରା କିପରି ଥିଲା?
ଉ: ସିଭିଲ ସର୍ଭିସ୍‌ କରିବା ପାଇଁ ମୁଁ ସ୍ଥିର କରି ନ ଥିଲି। ମୋତେ କେବଳ ଗୋଟିଏ ଜବ୍‌ ଦରକାର ଥିଲା। ଭୁବନେଶ୍ୱରର ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛି। ଅନ୍ୟ ବନ୍ଧୁମାନଙ୍କ ଭଳି ଜେଏନ୍‌ୟୁରେ ନାମ ଲେଖାଇଥିଲି। ସବୁବେଳେ କ୍ରିକେଟରେ କ୍ୟାରିୟର ଗଢ଼ିବା କିମ୍ବା ଯେକୌଣସି ଏକ ଚାକିରି ପାଇବା ଆଶାରେ ଥିଲି। ତେବେ ପରୀକ୍ଷା ଦେଇଯିବା ସମୟରେ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌) ପ୍ରତି ଆଗ୍ରହୀ ଥିଲି। କିନ୍ତୁ ପୋଲିସ ସେବାରେ ଯୋଗଦାନ ପରେ ଅଧିକ ଖୁସି ଓ ସନ୍ତୋଷ ଲାଗୁଛି।
୧୧. ଆପଣ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏଜେନ୍ସିର ପରିଚାଳନା କରୁଛନ୍ତି। ଏକସଙ୍ଗେ ଉଭୟ ପଟେ କିପରି ସମୟ ଦିଅନ୍ତି? ଅବସର ବେଳେ କ’ଣ କରନ୍ତି?
ଉ: କାର୍ଯ୍ୟ ସମ୍ପାଦନକୁ ଟେକ୍ନୋଲୋଜି ସହଜ କରିଦେଇଛି। ମୁଁ ଇଲେକ୍ଟ୍ରୋନିକ୍‌ ମୋଡ୍‌ରେ ସମସ୍ତ ଫାଇଲ ପାଇଥାଏ। ସେସବୁକୁ ନେଇ କାମ କରିବାରେ କିଛି ଅସୁବିଧା ହୋଇ ନ ଥାଏ। ସମୟ ମିଳିଲେ ବହି ପଢ଼େ ଓ ପରିବାର ସହ ଗୀତ ଶୁଣେ।
୧୨. ଦିଲ୍ଲୀରେ ଓଡ଼ିଆ ଖାଦ୍ୟ ଖାଆନ୍ତି?
ଉ: ଆମ ରୋଷେୟା ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଶିଖିଛନ୍ତି। ମୋତେ ପଖାଳ ବହୁତ ଭଲ ଲାଗେ। ଏପରି କି ଲଣ୍ଡନରେ ଥିବାବେଳେ ମଧ୍ୟ ପଖାଳ ଖାଉଥିଲି। ଏହାକୁ ଛାଡ଼ି ଚଳିପାରିବି ନାହିଁ। ଦହି ବାଇଗଣ ମଧ୍ୟ ମୋର ପ୍ରିୟ ଖାଦ୍ୟ। ମକା ରୁଟି ଓ ସୋରିଷ ଶାଗ ବି ଭଲ ଲାଗେ।
୧୩. କର୍ମମୟ ଜୀବନରେ କେଉଁ ଶିକ୍ଷା ପାଇଛନ୍ତି?
ଉ. ସବୁଠୁ ବଡ଼ ଶିକ୍ଷା ହେଉଛି ମାନବିକତା। ପ୍ରତ୍ୟେକ ବିଜ୍ଞ ବ୍ୟକ୍ତିଙ୍କୁ ନମ୍ର ହେବାକୁ ପଡ଼ିବ। ଜୀବନ ବହୁ ସୀମିତ। ଅଭିଜ୍ଞତା ମଧ୍ୟ ସୀମିତ। ବ୍ରହ୍ମାଣ୍ଡ ହେଉଛି ବିଶାଳ। ଭଗବାନଙ୍କ ନିକଟରେ ସବୁବେଳେ ଗୋଟିଏ ପ୍ରାର୍ଥନା କରିଥାଏ ଯେ ମୋତେ ନମ୍ର କରି ରଖିଥାଆନ୍ତୁ। ଆପଣ ଯେତେ ଉଚ୍ଚ ପଦ ପଦବୀରେ ରହିଲେ ମଧ୍ୟ ଜୀବନରେ ନମ୍ରତା ରହିବା ଜରୁରୀ।
– ସାକ୍ଷାତ୍‌କାର: କୁଲ୍‌ଦୀପ ସିଂ


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?