ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ ଏସୀୟ କ୍ରୀଡା ୨୦୨୬ ପାଇଁ ମନୋନୀତ ଭାରତୀୟ ଦଳରେ ସାମିଲ କରାଯାଇଛି। ବୈଭବଙ୍କ ସଫଳତାରେ ସମସ୍ତେ ଉତ୍ସାହିତ ଥିବାବେଳେ, ଭାରତର ପ୍ରଥମ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ବିଶ୍ୱାସ କରନ୍ତି ଯେ ଏହି ଯୁବ ଖେଳାଳିଙ୍କୁ ଏବେ ବି ବହୁତ ଆଗକୁ ଯିବାକୁ ଅଛି ଏବଂ ଆମେ ତାଙ୍କ ଉପରେ ଅଯଥା ଆଶାର ଭାର ଲଦି ଦେବା ଉଚିତ୍ ନୁହେଁ।
କପିଲ ଦେବ ସ୍ପଷ୍ଟ କରିଛନ୍ତି , ଦଳରେ ସ୍ଥାନ ପାଇବା ଗୋଟିଏ କଥା, ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରମାଣିତ କରିବା ଅନ୍ୟ କଥା। କପିଲ ଦେବ କହିଛନ୍ତି, “ସେ ଜଣେ ଅନନ୍ୟ ପ୍ରତିଭା। ତାଙ୍କୁ କିଛି ସମୟ ଦିଅନ୍ତୁ। ସେ ଯେଉଁ ସମ୍ଭାବନା ଦେଖାଇଛନ୍ତି ତାହା ପ୍ରକୃତରେ ଉଲ୍ଲେଖନୀୟ। କିନ୍ତୁ ସେ ଭାରତୀୟ ଦଳରେ ଯୋଗ ଦେବା ପରେ, ତାଙ୍କୁ ତାଙ୍କ ଆଚରଣ ଏବଂ ଫିଟନେସ ଉପରେ ଧ୍ୟାନ ଦେବାକୁ ପଡିବ, ଅନ୍ୟ ସବୁକିଛି ପରେ ଆସିବ। କେବଳ ସେ ହିଁ କହିପାରିବେ ଯେ ସେ ତାଙ୍କ ଖେଳ ଉପରେ କେତେ ଧ୍ୟାନ ଦେଉଛନ୍ତି। ଏହି ଯୁବ ଖେଳାଳିଙ୍କୁ ସମ୍ମାନ ଦେବାରେ କୌଣସି କ୍ଷତି ନାହିଁ, କିନ୍ତୁ ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କଠାରୁ ଅଧିକ ଆଶା କରିବା ଭୁଲ ହେବ।

