୩ ଦିନ ପରେ ବି ନାବାଳକ ଛାତ୍ରଙ୍କ ପତ୍ତା ମିଳୁନି, ସନ୍ଦେହଘେରକୁ ଆସିଲା ପାଲଟଣା ଭ୍ୟାନ

ନୟାଗଡ଼ ଅଫିସ/ଓଡ଼ଗାଁ, ୧୮ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର(୧୨) ନିଖୋଜ ହେବାର ଆଜିକୁ ୩ ଦିନ ବିତିବାକୁ ବସିଛି। ହେଲେ ତାଙ୍କର ଟେର ମିଳୁନି। ଘର ନିକଟ ବାଉଁଶବୁଦା ମୂଳରୁ ତାଙ୍କ ସାଇକେଲକୁ ପୋଲିସ ଜବତ କରିବା ଓ ଏକ ପାଲଟଣା ଭ୍ୟାନ ସନ୍ଧ୍ୟାରେ ଗାଁରେ ପଇଁନ୍ତରା ମାରିବା ଅପହରଣ ସନ୍ଦେହକୁ ବଢ଼ାଇଛି। ଏହି ଘଟଣାର ତଦନ୍ତ ପାଇଁ ଶନିବାର ଡଗ୍‌ ସ୍କ୍ବାଡ୍‌ କୁରାଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ତେବେ କୌଣସି ଟେର ପାଇନାହିଁ। ସେହିଭଳି ନୟାଗଡ଼ ଏସ୍‌ପି ଅଲେଖଚନ୍ଦ୍ର ପହି, ଶରଣକୁଳ ଏସ୍‌ଡିପିଓ କିରଣ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ଛାତ୍ର ନିଖୋଜ ଅଥବା ଅପହରଣ ଘଟଣାର ତଦନ୍ତ କରି ଫେରିବା ପରେ ପୋଲିସ ପ୍ରଶାସନର ଟେନସନ ବଢ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୭ମ ଶ୍ରେଣୀର ଛାତ୍ର ଅମ୍ରିତ ବେଙ୍ଗେଇସାହିକୁ ଟ୍ୟୁଶନ ଯାଇଥିଲେ। ରାତି ସାଢେ ୭ଟାରେ ଏକୁଟିଆ ଘରକୁ ଫେରୁଥିଲେ। ହେଲେ ବାଉଁଶବୁଦା ମୂଳରୁ କୁଆଡେ ଉଭାନ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ଖୋଜଖୋଜି ଚାଲିଲା। ହେଲେ ଅମ୍ରିତଙ୍କ ପତ୍ତା ମିଳିଲାନି। ରାତି ପ୍ରାୟ ୧୨ଟାରେ ବାଉଁଶ ବୁଦାମୂଳରୁ ତାଙ୍କ ସାଇକେଲ ମିଳିଥିଲା। ପୁଣି କେତେଜଣ ଲୋକ ବାଉଁଶ ବୂଦାମୂଳରେ ଏକ ପାଲଟଣା ଭ୍ୟାନକୁ ଦେଖିବାକୁ ପାଇଥିଲେ। ଭ୍ୟାନଟି ଗାଁରେ ୩ରୁ ୪ଦିନ ହେଲା ବୁଲୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ସେହି ପାଲଟଣା ଭ୍ୟାନ ନେଇ କୌଣସି ସୁରାକ ମିଳୁନି। ପାଲଟଣା ଭ୍ୟାନଟି କୁରାଳଠାରୁ ଗୋଡିପଲ୍ଲୀ ଓ ଓଡ଼ଗାଁ ଦେଇ ଯାଇଥିବା କେତେଜଣ ଲୋକ ଦେଖିଛନ୍ତି। ସଂପୃକ୍ତ ଭ୍ୟାନରେ ଅମ୍ରିତଙ୍କୁ ଅପହରଣ କରି ନିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଛାତ୍ର ନିଖୋଜ ସମୟରେ ଏକ ପାଲଟଣା ଭ୍ୟାନ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି, ଯାହା ତଦନ୍ତସାପେକ୍ଷ ବୋଲି ଅମ୍ରିତଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାରେ ଅମ୍ରିତଙ୍କ ସମ୍ପର୍କୀୟମାନଙ୍କ ହାତ ରହିଛି ବୋଲି ପୋଲିସ ସନ୍ଦେହ କରୁଛି। ଜମିବାଡ଼ି ବିବାଦ କିମ୍ବା ପାରିବାରିକ ଶତ୍ରୁତା ଯୋଗୁ ଏପରି ଘଟଣା ଘଟିଥାଇପାରେ ବୋଲି ପୋଲିସ କହିଛି। ଏଥିପାଇଁ କେତେଜଣ ସମ୍ପର୍କୀୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।