ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ ଛାଡୁ ନ ଥିଲେ। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ଗୁରୁବାର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଛନ୍ତି।
ସୂଚନାନୁଯାୟୀ, ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ଅତି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଗତ ମଙ୍ଗଳବାର ଠାରୁ ପିଲାଙ୍କୁ ସ୍କୁଲ ପଠାଇବା ବନ୍ଦ କରିଦେଇଥିଲେ। ଘଟଣାର ତିନି ଦିନ ପରେ ଆଜି କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ (BEO) ମହେଶ କୁମାର ଭାଟି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ଓ ସିଆରସିସି ସୁମନ୍ତ କୁମାର ଠାକୁର ସ୍କୁଲରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ସେମାନେ ବୁଝିବା ପରେ ବିଇଓ ଭାଟି ସ୍କୁଲ ପରିଚାଳନା କମିଟି ସହିତ ଗ୍ରାମର ଘର ଘର ବୁଲି ଅଭିଭାବକଙ୍କୁ ବୁଝାଇ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନୁରୋଧ କରିଥିଲେ। ଏହାପରେ ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ।
ଏହାପରେ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନଙ୍କୁ ସୂଚନା ଦିଆଯାଇଥିଲା। ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ  ୧୮ ଲକ୍ଷ ୩୩ ହଜାର ଟଙ୍କା** ମଞ୍ଜୁର ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଶ୍ରେଣୀଗୃହ ର୍ନିମାଣ କାର୍ଯ୍ୟ ଶେଷ ହେବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଛନ୍ତି। ଟେଣ୍ଡର ପ୍ରକ୍ରିୟା ପରେ ତୁରନ୍ତ କାମ ଆରମ୍ଭ ହେବ।
ବର୍ତ୍ତମାନ ବିଦ୍ୟାଳୟର ୧୬୯ ଜଣ ଛାତ୍ରଛାତ୍ରୀ ଅସ୍ଥାୟୀ ଭାବେ ପିଇଓ ବସା ଓ କଲ୍ୟାଣ ମଣ୍ଡପରେ ଅତି କଷ୍ଟରେ ପାଠ ପଢୁଛନ୍ତି। ଯଦି ପ୍ରତିଶ୍ରୁତି ମୁତାବକ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ ନହୁଏ, ତେବେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily

Share