Odisha Elections 2024

ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟ ପ୍ରସଙ୍ଗ

ଅଧ୍ୟାପକ ଗୋପବନ୍ଧୁ

ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟକୁ ଏକ ରାଜନୈତିକ ଇସ୍ୟୁ ଭାବେ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଭାରତବର୍ଷର ଅନେକ ରାଜ୍ୟରେ ଏହାକୁ ନେଇ ରାଜନୀତି ହୋଇଛି ଏବଂ ସଫଳତା ମଧ୍ୟ ମିଳିଛି। ରାଷ୍ଟ୍ରୀୟ ସ୍ତରରେ ମଣ୍ଡଳ କମିଶନ ସୁପାରିସର କାର୍ଯ୍ୟକାରିତା ପରେ ଏ ବିଷୟ ରାଜନୀତିର ପରିସରକୁ ଆସିଛି। ପୂର୍ବରୁ ବାମପନ୍ଥୀମାନେ ଓ ସମାଜବାଦୀମାନେ ଏ ବିଷୟକୁ ଶ୍ରମିକଶ୍ରେଣୀ ସହିତ ମିଶାଇ ଭିନ୍ନ ରୂପରେ ଉପସ୍ଥାପନ କରିଆସିଥିଲେ। ଫଳରେ ଏହାର ସ୍ବତନ୍ତ୍ର ସ୍ଥିତି ନଥିଲା। ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ପରେ ଏହା ଏକ ସ୍ବତନ୍ତ୍ର ରାଜନୈତିକ ପ୍ରସଙ୍ଗଭାବେ ଆତ୍ମପ୍ରକାଶ କରିଛି। ହେଲେ ଓଡ଼ିଶା ରାଜନୀତିରେ ଏ ବିଷୟ କାହିଁକି ଦାନା ବାନ୍ଧିପାରିନାହିଁ ତାହା ଅନୁଧ୍ୟାନର ବିଷୟ। ଉତ୍ତର ଭାରତରେ ଏହା ଦାନା ବାନ୍ଧିଛି। ଦକ୍ଷିଣ ଭାରତରେ ଏହା ପୂର୍ବରୁ ଦାନା ବାନ୍ଧି ସାରିଛି। ହେଲେ ଓଡ଼ିଶା ପରି ଗରିବ ଓ ସାମାଜିକ ଭାବେ ସର୍ବାଧିକ ଉପେକ୍ଷିତ ଲୋକ ବସବାସ କରୁଥିବା ରାଜ୍ୟରେ ଏହା ରାଜନୈତିକ ଭାବେ ଆଗେଇ ନ ପାରିବା ଆଶ୍ଚର୍ଯ୍ୟର ବିଷୟ।
ଓଡ଼ିଶାରେ ସାମାଜିକ ନ୍ୟାୟକୁ ଆଧାର କରି ରାଜନୈତିକ ବାତାବରଣ ତିଆରି ହୋଇ ନ ପାରିବା ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଦୃଢ଼ ନେତୃତ୍ୱର ଅଭାବ ଓ ଅନ୍ୟଟି ହେଉଛି ରାଜନୈତିକ ସଚେତନତାର ଅଭାବ। ଦେଶରେ ବ୍ୟାପକ ପ୍ରତିକ୍ରିୟାଶୀଳ ନେତୃତ୍ୱର ତିଆରି ଜରୁରିକାଳୀନ ପରିସ୍ଥିତିରୁ ପ୍ରାରମ୍ଭ ହୋଇଥିଲା। ଏହି ସମୟରେ ଯେଉଁ ନେତୃମଣ୍ଡଳୀ ତିଆରି ହୋଇଥିଲା, ତାଙ୍କ ମଧ୍ୟରୁ କିଛି ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରିତାର ପକ୍ଷଧର ଥିଲେ। ଏହା କାର୍ଯ୍ୟକାରୀ କରାଯିବାର ଘୋଷଣା ପରେ ଏହାକୁ ପ୍ରତିରୋଧ କରିବା ପାଇଁ ଯେଉଁ କମଣ୍ଡଳ ରାଜନୀତି ଆସିଲା ଓ ତର୍କବିତର୍କର ପରିବେଶ ତିଆରି ହେଲା, ତାହାରି ଭିତରୁ ସାମାଜିକ ନ୍ୟାୟ ପ୍ରସଙ୍ଗ ରାଜନୈତିକ ରୂପ ନେଲା ଏବଂ ଏହାର ପୃଷ୍ଠପୋଷକ ଭାବେ ରାଷ୍ଟ୍ରୀୟ ଓ ପ୍ରାନ୍ତୀୟ ନେତାଙ୍କ ମଧ୍ୟ ଆବିର୍ଭାବ ହେଲା। ଏମାନଙ୍କ ମଧ୍ୟରୁ କେତେକେ ନିଜ ନିଜ ରାଜ୍ୟରେ ପ୍ରମାଣ କରି ଦେଇଛନ୍ତି ଯେ ସାମାଜିକ ନ୍ୟାୟ ଏକ ଦୃଢ଼ ରାଜନୈତିକ ପ୍ରସଙ୍ଗ ଓ ଏହାକୁ ନେଇ କ୍ଷମତା ଦଖଲ କରାଯାଇ ପାରିବ।
ଓଡ଼ିଶାରେ ପ୍ରତିକ୍ରିୟାଶୀଳ ରାଜନୀତିର ପ୍ରାରମ୍ଭ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜରୁରିକାଳୀନ ପରିସ୍ଥିତିରେ ହୋଇ ଯାଇଥିଲା। କିନ୍ତୁ ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ଘୋଷଣା ପରେ ଏହା ମଣ୍ଡଳ ବିରୋଧୀ ସ୍ବରୂପକୁ ବଦଳି ଯାଇଥିଲା। ସେ ସମୟରେ ବିଜୁ ପଟ୍ଟନାୟକ ଗରିବର କୌଣସି ଜାତି ନାହିଁ କହି ଏହାକୁ ବିରୋଧ କରିଥିଲେ। କିନ୍ତୁ ସେ ସମୟର କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଣ୍ଡଳ ରିପୋର୍ଟର କାର୍ଯ୍ୟକାରିତାକୁ ଦୃଢ଼ ସମର୍ଥନ କରିଥିଲେ, ଯାହାଫଳରେ ଦୁହଁିଙ୍କ ମଧ୍ୟରେ ଏକ ମୁକାବିଲାର ବାତାବରଣ ତିଆରି ହୋଇଥିଲା। କିନ୍ତୁ ସେ ସମୟରେ ଜେନା ଖୋଲାଖୋଲି ଭାବେ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଆଧାର କରି ରାଜ୍ୟରେ ଏକ ବିକଳ୍ପ ରାଜନୀତିର ସମ୍ଭାବନା ତିଆରି କରିବାକୁ ବୋଧହୁଏ ସାହସ କରିପାରିଲେ ନାହିଁ, ଯଦିଓ ରାଜ୍ୟରେ ମଣ୍ଡଳ ସପକ୍ଷରେ ଏକ ପ୍ରଭାବଶାଳୀ ସମର୍ଥକ ଗୋଷ୍ଠୀ ତିଆରି ହୋଇସାରିଥିଲା। ତେବେ ନେତୃତ୍ୱ ଅଭାବରେ ଏ ଆନ୍ଦୋଳନ ରାଜନୈତିକ ରୂପ ନେଇପାରି ନାହିଁ ବୋଲି ଅନେକେ ବିଶ୍ବାସ କରନ୍ତି। ଏହା ସତ୍ୟ ଯେ, ଏ ଦିଗରେ ନେତୃତ୍ୱର ଅଭାବ ରହିଲା। ଆଉ କେହିବି ଏହାର ନେତୃତ୍ୱ ନେଇପାରି ଥାଆନ୍ତେ। ସେପରି ନେତୃତ୍ୱ ଆଉ ଉଭା ହେଲେ ନାହିଁ।
ଦ୍ୱିତୀୟ କାରଣ ହେଉଛି ସଚେତନତାର ଅଭାବ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଯେଉଁ ପ୍ରକାର ରାଜନୈତିକ ସଚେତନତା ରହିଛି, ନିଜ ଭାଗୀଦାରି ପ୍ରତି ସତର୍କତା ରହିଛି, ସେ ତୁଳନାରେ ଓଡ଼ିଶାରେ ଏହା ଥିବାପରି ମନେହୁଏ ନାହିଁ। ରାଜ୍ୟରେ ସଂଖ୍ୟାଧିକ ଅଧିବାସୀ ନିଜ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ ନୁହନ୍ତି। ସେଇଥିପାଇଁ ରାଜ୍ୟର ୪୦% ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ତାଙ୍କ ସଂଖ୍ୟାନୁପାତିକ ଭାବେ ଶିକ୍ଷାରେ ସଂରକ୍ଷଣ ନ ମିଳି ୨୦% ମିଳୁଥିଲେବି ସେମାନେ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ସେହିପରି ରାଜ୍ୟର ୫୪% ଓବିସିଙ୍କୁ ଶିକ୍ଷା ଓ ଚାକିରିରେ ୨୭% ସଂରକ୍ଷଣ ମିଳିବା ପରିବର୍ତ୍ତେ କେବଳ ଚାକିରିରେ ୧୧.୨୫% ମିଳୁଥିଲେ ହେଁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ଯଦି ସଚେତନ ଥାଆନ୍ତେ, ତେବେ ଓଡ଼ିଶାରେ କେବେଠାରୁ ଅଭୂତପୂର୍ବ ଆନ୍ଦୋଳନ ଠିଆ ହୋଇ ସାରନ୍ତାଣି। ତେଣୁ ଏହା ସ୍ପଷ୍ଟ ଯେ, ରାଜ୍ୟରେ ସଚେତନତା ଅଭାବରୁ ସାମାଜିକ ନ୍ୟାୟ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇ ପାରିନାହିଁ।
ରାଜନୈତିକ ସଚେତନତା ଓଡ଼ିଶାରେ ମନ୍ଥର ହେଲେବି ଚଳମାନ ଅବସ୍ଥାରେ ଅଛି। ସାମାଜିକ ନ୍ୟାୟ ସଚେତନତା ବୃଦ୍ଧି ଦିଗରେ ବିଭିନ୍ନ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଆଗଭର ହେଲେଣି। ନିକଟରେ ଭାଜପା ଓ ବିଜେଡିକୁ ଛାଡ଼ି ୧୦ଟି ବିରୋଧୀ ଦଳର ପ୍ରତିନିଧିମାନେ ‘ସାମାଜିକ ନ୍ୟାୟ ଅଭିଯାନ’ ମଞ୍ଚର ଆନୁକୂଲ୍ୟରେ ଏ ବାବଦରେ ସଚେତନତା ସଭା କରିଛନ୍ତି ଏବଂ ‘ଯାହାର ସଂଖ୍ୟା ଯେତେ, ଭାଗ ପାଇବେ ସେମାନେ ସେତେ’ର ନାରା ଦେଇଛନ୍ତି। ଏମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବରିଷ୍ଠ ସଂଗଠକଙ୍କ ସମେତ ଯୁବ ଓ ଛାତ୍ର ନେତୃତ୍ୱଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହପ୍ରଦ କରିଛି।
ସମସ୍ତେ ଦୁଇଟି ବିନ୍ଦୁ ଉପରେ ଆନ୍ଦୋଳନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଗୋଟିଏ ହେଉଛି ରାଜ୍ୟରେ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯାଉ। ଅନ୍ୟଟି ହେଉଛି ଏସ୍‌ଟି ଓ ଏସ୍‌ସିଙ୍କୁ ତାଙ୍କ ସଂଖ୍ୟା ଅନୁପାତରେ ଶିକ୍ଷା କ୍ଷେତ୍ରରେ ୪୦% ସଂରକ୍ଷଣ ପ୍ରଦାନ କରାଯାଉ। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମସ୍ତ ଅଣବିଜେଡି ଓ ଅଣଭାଜପା ବିରୋଧୀ ଦଳ ମିଳିତ ଭାବେ ପଦକ୍ଷେପ ନେବାର ସମ୍ଭାବନା ତିଆରି ହୋଇଛି। ଆନ୍ଦୋଳନକୁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚାଇବାର ଦୃଢ଼ ଘୋଷଣା ନେତାମାନେ କରିଛନ୍ତି। ଆଗକୁ ଦେଖାଯିବ ଆନ୍ଦୋଳନ କେତେ ଦୃଢ଼ତାର ସହିତ ବଢୁଛି ଅଥବା ପୂର୍ବ ସ୍ଥିତିକୁ ଫେରିଆସୁଛି।
ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହି ଅଭାବକୁ ଏ ମଞ୍ଚ କେତେ ପୂରଣ କରିପାରିବ, ତାହା ଭବିଷ୍ୟତ କହିବ। ଯେଉଁ ଦୁଇଟି ବିନ୍ଦୁକୁ ନେଇ ଆନ୍ଦୋଳନ କରିବାର ଘୋଷଣା ଆୟୋଜକମାନେ କରିଛନ୍ତି, ତାହାର ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସପକ୍ଷରେ ଅନୁକୂଳ ବାତାବରଣ ତିଆରି ହେଉଥିବା ପରି ମନେହେଉଛି। ଏ ଆନ୍ଦୋଳନ ଆଗାମୀ ଦିନରେ କେଉଁ ପ୍ରକାର ରାଜନୈତିକ ପ୍ରଭାବ ପକାଇବ ତାହା ଜାଣିବା ମଧ୍ୟ ସମୟସାପେକ୍ଷ। ସାମାଜିକ ନ୍ୟାୟ ପ୍ରସଙ୍ଗକୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ କିଛି ଚମତ୍କାରିତା ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri