Categories: ଖେଳ

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ ହୋଇ ପାରିନାହିଁ। ଦୁଇ ଦଳ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି କୌଣସି ବିଜୟ ହାସଲ ନ କରିପାରି ୨ଟି ଡ୍ର ଓ ୫ ପରାଜୟ ସହ ୨ ପଏଣ୍ଟ ପାଇ ଅନ୍ତିମ ତଥା ଏକାଦଶ ସ୍ଥାନରେ ରହିଛି। ସେହିପରି ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ ଡ୍ର ଓ ୪ ପରାଜୟ ସହ ୩ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିପାରି ନାହାନ୍ତି। ତେଣୁ ଏହି ମ୍ୟାଚରେ ଓଡ଼ିଶା ଓ ଇଷ୍ଟ ବେଙ୍ଗଲ ଟୁର୍ନାମେଣ୍ଟର ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି।
ଇଷ୍ଟ ବେଙ୍ଗଲ ଇତିମଧ୍ୟରେ ନାଇଜେରିଆ ଫରଓ୍ବାର୍ଡ ବ୍ରାଇଟ୍‌ ଏନୋବାଖାରେଙ୍କୁ ଦଳରେ ସାମିଲ କରିଛି। ଫଳରେ ଓଡ଼ିଶା ବିପକ୍ଷରେ ଦଳ ତା’ର ଆଟାକ୍‌ରେ ସୁଧାର ଆଣିବାକୁ ପ୍ରୟସା କରିବ। କୋଚ୍‌ ରୋବି ଫୋଲରଙ୍କ ନେତୃତ୍ୱାଧୀନ ଇଷ୍ଟ ବେଙ୍ଗଲ କାଗଜ କଲମରେ ଫେଭରାଇଟ୍‌ ମନେହେଉଛି। ୭ଟି ମ୍ୟାଚରୁ ଇଷ୍ଟ ବେଙ୍ଗଲ ମାତ୍ର ୫ଟି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଦଳ ୧୩ଟି ଗୋଲ ବରଣ କରିଛି। ଓଡ଼ିଶାଠାରୁ ଦଳ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇଛି।
ଅନ୍ୟପଟେ ଓଡ଼ିଶା ମଧ୍ୟ ସମାନ ୭ଟି ମ୍ୟାଚ ଖେଳି ୫ଟି ଗୋଲ ସ୍କୋର କରିଛି। ଓଡ଼ିଶାର ଡିଫେନ୍ସ ସେତେଟା ଦୃଢ ହୋଇପାରି ନାହିଁ । ଏଥିପାଇଁ ଦଳ ଅବଶ୍ୟ ସମାଲୋଚନାର ଶିକାର ହୋଇଛି। ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି ବୋଲି ଫୋଲର ସ୍ବୀକାର କରିଛନ୍ତି। ତେଣୁ ଏହି ମ୍ୟାଚର ଫଳାଫଳ କ’ଣ ହେବ ତାହା କହି ହେବନାହିଁ ବୋଲି ସେ କହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୧୧ଟି ଗୋଲ ବରଣ କରିଛି। ଓଡ଼ିଶା କୋଚ ଷ୍ଟୁଆର୍ଟ ବକ୍ସଟର ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଯୁବ ଦଳ ହୋଇଥିବାରୁ ଆମେ ଟିକିଏ ସମୟ ନେବୁ ବୋଲି ସେ କହିଛନ୍ତି। ଗତ ମ୍ୟାଚରେ ଓଡ଼ିଶା ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଗୋଲ ବରଣ କରିଥିଲା। ଫଳରେ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ବ୍ରାଜିଲ ଫରଓ୍ବାର୍ଡ ମାର୍ସେଲିନୋ ଚମତ୍କାର କରିବେ ବୋଲି ଓଡ଼ିଶା ଆଶା ରଖିଛି। ମାନୁଏଲ ଅନଉଙ୍କ ବଦଳରେ ସେ ଦଳରେ ସାମିଲ ହେବେ। ତେବେ ଷ୍ଟିଭେନ ଟେଲର, ଜ୍ୟାକବ ଟ୍ରାଟ, କୋଲ ଆଲେକଜାଣ୍ଡର, ବିନିତ ରାଏ ଓ ଡିଏଗୋ ମୌର୍ସିଓଙ୍କ ଉପରେ ଦଳରେ ପ୍ରଦର୍ଶନ କେନ୍ଦ୍ରୀଭୂତ ହେବ। ରବିବାର ଦ୍ୱିତୀୟ ମ୍ୟାଚରେ ଏଟିକେ ମୋହନ ବାଗାନ ଓ ନର୍ଥଇଷ୍ଟ ୟୁନାଇଟେଡ ମୁହାଁମୁହିଁ ହେବେ।

Share