Categories: ଖେଳ

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ ଏହି ଦୁଇ ଦଳ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିବେ। ଏହି ମୁକାବିଲାରେ ଉଭୟ ଦଳ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି। ଫଳରେ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ନଭେମ୍ବର ୨୩ ତାରିଖରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଏଫ୍‌ସିଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଜାମସେଦପୁର ୧-୨ ଗୋଲରେ ଏହାର ଗୋଟିଏ ଦିନ ପରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଥିଲା। ନୂଆ କୋଚିଂ ଷ୍ଟାଫ୍‌ ଓ ଦଳ ସହ ଏହି ଦୁଇ ଦଳ ପଡିଆକୁ ଏଥର ଓହ୍ଲାଇଛନ୍ତି। ଡିଫେନ୍ସରେ ଓଡ଼ିଶା ତା’ର ସମସ୍ୟା ନେଇ ଚିନ୍ତିତ ଅଛି। ଦଳର ତ୍ରୁଟିକୁ ଆମେ ଚିହ୍ନଟ କରିଛୁ ଓ ଏଥିରେ ସୁଧାର ଆଣିବୁ ବୋଲି ଓଡ଼ିଶା କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଦଳର ସନ୍ତୁଳନରେ କିଛିଟା ତ୍ରୁଟି ଥିଲା।
ଅପରପକ୍ଷରେ ଦଳରେ କେତେଜଣ ଖେଳାଳି ଆହତ ହୋଇଥିବାରୁ ଜାମ୍‌ଶେଦପୁର କୋଚ୍‌ ଓଓ୍ବେନ କୋଏଲ ଚିନ୍ତିତ ଅଛନ୍ତି। ଡିଫେଣ୍ଡର ପିଟର ହାର୍ଟଲି ଓ ନରେନ୍ଦର ଗାହଲଟ ଆହତ ହୋଇଛନ୍ତି। ରବିବାର ଏହି ଦୁଇ ଜଣ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟୁର୍ନାମେଣ୍ଟ ଆଗକୁ ବଢିଲେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଗତ ସଂସ୍କରଣ ତୁଳନାର ଜାମେଶେଦ୍‌ପୁର ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଉଭୟ ଦଳ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ। ଫଳରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

Share