Categories: ଖେଳ

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ନର୍ଥଇଷ୍ଟ ମ୍ୟାଚ ଡ୍ର

ଫତୋର୍ଦା, ୮।୧୨-
ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ମଙ୍ଗଳବାର ବେଙ୍ଗାଲୁରୁ ଏଫସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି। ମ୍ୟାଚ୍‌ଟି ୨-୨ ଗୋଲରେ ଡ୍ର ରହିଛି। ମ୍ୟାଚର ୪ର୍ଥ ମିନିଟରେ ଲୁଇସ ମାଚାଡୋ ଏକ ଗୋଲ ଦେଇ ନର୍ଥଇଷ୍ଟକୁ ଅଗ୍ରଣୀ କରାଇଥିଲେ। ତେବେ ୧୩ତମ ମିନିଟରେ ବେଙ୍ଗାଲୁରୁର ଜୁଆନାନ ଗୋଲଟି ପରିଶୋଧ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ପ୍ରଥମାର୍ଦ୍ଧ ୧-୧ ଗୋଲରେ ଶେଷ ହେବାପରେ ଦ୍ୱିତୀୟାର୍ଦ୍ଧ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୭୦ତମ ମିନିଟରେ ବଦଳ ଖେଳାଳି ଉଦାନ୍ତ ସିଂ ଗୋଲ ସ୍କୋର କରି ବେଙ୍ଗାଲୁରୁକୁ ଅଗ୍ରଣୀ ଦେଇଥିଲେ। ମାତ୍ର ଦଳର ଏହି ଖୁସି ବେଶୀ ସମୟ ରହି ନ ଥିଲା। ୭୮ତମ ମିନିଟରେ ମାଚାଡୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ପୁଣି ବରାବର ସ୍ଥିତିକୁ ନେଇ ଆସିଥିଲେ। ଫଳରେ ନର୍ଥଇଷ୍ଟ ଓ ବେଙ୍ଗାଲୁରୁର ଅପରାଜେୟ ଧାରା ଅବ୍ୟାହତ ରହିଥିଲା। ଏହି ମ୍ୟାଚ ପରେ ନର୍ଥଇଷ୍ଟ ୫ ମ୍ୟାଚରୁ ୨ ବିଜୟ ଓ ୩ ଡ୍ର ସହ ୯ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ୪ ମ୍ୟାଚ ଖେଳି ୧ ବିଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନକୁ ଉଠିଛି।

Share