Categories: ଖେଳ

ଆଇଏସ୍‌ଏଲ୍‌ ୨୦୨୦: ପ୍ରଥମ ମ୍ୟାଚରେ ଓଡ଼ିଶା ଏଫସି ପରାସ୍ତ

ଭୁବନେଶ୍ୱର, ୨୪।୧୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ଗତ ସଂସ୍କରଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶା ଏଫସି ଏଥର ପ୍ରଥମ ମ୍ୟାଚରେ ପରାଜିତ ହୋଇଛି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ଭିତ୍ତିକ ଏହି ଦଳ ୦-୧ ଗୋଲରେ ହାଇଦ୍ରାବାଦ ଏଫସି ନିକଟରୁ ହାରିଯାଇଛି। ଅନ୍ୟପକ୍ଷରେ ଗତ ସଂସ୍କରଣରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ହାଇଦ୍ରାବାଦ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧରେ ଆରିଡାନେ ସାଣ୍ଟାନାଙ୍କ ପେନାଲ୍ଟି ଗୋଲ ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଗତ ସଂସ୍କରଣରେ ଅନୁଷ୍ଠିତ ୨ଟି ଯାକ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ଓଡ଼ିଶା। ମାତ୍ର ଏଥର ଦଳ ସେହି ପ୍ରଦର୍ଶନକୁ ଦୋହରାଇବାରେ ଅସଫଳ ହୋଇଛି। ଫଳରେ ମ୍ୟାଚରୁ ହାଇଦ୍ରାବାଦକୁ ୩ ପଏଣ୍ଟ ମିଳିଥିବାବେଳେ ଓଡ଼ିଶାକୁ ଖାଲିହାତରେ ଫେରିବାକୁ ପଡ଼ିଛି। ସାଣ୍ଟାନା ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାରଲାଭ କରିଛନ୍ତି।
ସିଜନରେ ନିଜର ପ୍ରଥମ ମ୍ୟାଚକୁ ଗୁରୁତ୍ୱ ଦେଇ ଏଥର ଯୋଜନାବଦ୍ଧଭାବେ ପଡ଼ିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ। ମ୍ୟାଚ ଆରମ୍ଭରୁ ଓଡ଼ିଶା ଏଫସି ଅପେକ୍ଷାକୃତ ରକ୍ଷଣାତ୍ମକ ଥିବାବେଳେ ଆକ୍ରମଣାତ୍ମକ ଖେଳିଥିଲା ହାଇଦ୍ରାବାଦ। ଏହି ଦଳ ପକ୍ଷରୁ ଏକାଧିକ ସୁଯୋଗ ସୃଷ୍ଟି କରାଯାଇଥିଲେ ହେଁ ଷ୍ଟିଭେନ ଟେଲରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଏହାର ସଫଳ ପ୍ରତିହତ କରିଥିଲା। ଅଧଘଣ୍ଟାଏରୁ ଊର୍ଦ୍ଧ୍ୱ ଖେଳ ଗୋଲଶୂନ୍ୟ ରହିଥିଲା। ତେବେ ୩୪ତମ ମିନିଟରେ ହାଇଦ୍ରାବାଦର ହଲିଚରନ ନାର୍ଜାରୀ ବଲ୍‌ ନେଇ ପ୍ରତିପକ୍ଷ ଗୋଲପୋଷ୍ଟ ବକ୍ସ ମଧ୍ୟରେ ପ୍ରବେଶ କରିଥିବାବେଳେ ତାଙ୍କର ଶଟ୍‌ ଟେଲରଙ୍କ ହାତରେ ବାଜିଥିଲା। ରେଫରିଙ୍କ ନଜରକୁ ଏହା ଆସିବାରୁ ସେ ଟେଲରଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ। ହ୍ୟାଣ୍ଡବଲ ପାଇଁ ହାଇଦ୍ରାବାଦ ଏଫସିକୁ ପେନାଲ୍ଟି କିକ୍‌ ସୁଯୋଗ ମିଳିଥିଲା। ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ଆରିଡାନେ ସାଣ୍ଟାନା କୌଣସି ଭୁଲ ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ୩୫ତମ ମିନିଟରେ ସାଣ୍ଟାନା ଶଟ୍‌କୁ ପୋଷ୍ଟର ମଧ୍ୟଭାଗରେ ତଳୁଆ ମାରିଥିବାବେଳେ ଓଡ଼ିଶା ଗୋଲକିପର ଅର୍ଶଦୀପ ସିଂ ଡାହାଣକୁ ଡାଇଭ୍‌ ମାରିଥିଲେ। ଫଳରେ ସହଜରେ ବଲ୍‌ ନେଟ୍‌ ସ୍ପର୍ଶ କରିଥିଲା ଏବଂ ପ୍ରଥମାର୍ଦ୍ଧ ଶେଷ ବେଳକୁ ହାଇଦ୍ରାବାଦ ଏଫସି ୧-୦ ଗୋଲରେ ଅଗ୍ରଣୀଲାଭ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୫୩ତମ ମିନିଟରେ ବ୍ରାଜିଲିଆନ ଷ୍ଟ୍ରାଇକର ମାର୍ସେଲିନୋଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଲୈସରାମ ସିଂଙ୍କ ନେଇଥିଲେ କୋଚ୍‌ ଷ୍ଟୁଆର୍ଟ ବକ୍ସଟର। ଏଥିରେ କିନ୍ତୁ ଖୁସି ନ ଥିବା ଜଣା ପଡ଼ିଥିଲେ ଏହି ବ୍ରାଜିଲ ଫୁଟବଲର। ଦ୍ୱିତୀୟାର୍ଦ୍ଧରେ ଦୁଇ ଦଳ ଏକାଧିକ ଖେଳାଳିଙ୍କୁ ବଦଳ କରିଥିଲେ ହେଁ ନିର୍ଦ୍ଧାରିତ ୪୫ ମିନିଟ ଏବଂ ଇଞ୍ଜୁରି ୫ ମିନିଟରେ ଆଉ କୌଣସି ଗୋଲ ହୋଇ ନ ଥିଲା।

Share