ପ୍ରକୃତରେ ଦିଲ୍ଲୀ ଜିମ୍ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ କେହି ସଚ୍ଚୋଟ ଭାବରେ କହିପାରିବେ ନାହିଁ ଯେ, ବିପଦର ସଙ୍କେତ ସେଠାରେ ମିଳିନାହିଁ। ୨୭ ଏକର ପରିମିତ ଜମିରୁ ଜିମ୍ଖାନା କ୍ଲବକୁ କେନ୍ଦ୍ର ସରକାରଙ୍କ ଉଚ୍ଛେଦ ନୋଟିସ ରାତାରାତି କରାଯାଇନାହିଁ। ଏହାର ପ୍ରସ୍ତୁତି ଅନେକ ଦିନ ଧରି ଚାଲିଆସୁଛି। ଆର୍ଥିକ, ସନ୍ଦେହଜନକ ସଦସ୍ୟତା ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ଉପରେ ସରକାର ହସ୍ତକ୍ଷେପ କଲେ। ଦଶନ୍ଧି ଧରି ଜିମ୍ଖାନା ସହ ଦିଲ୍ଲୀର ଅବସରପ୍ରାପ୍ତ ଜେନେରାଲ, ବରିଷ୍ଠ ବାବୁ, ରାଜନେତା, କୂଟନୀତିଜ୍ଞ ଏବଂ କେତେକ ଶିଳ୍ପପତି ଜଡ଼ିତ ରହିଆସିଛନ୍ତି। ତେବେ ସେଠା ସଦସ୍ୟତା ଗ୍ରହଣ ବିଷୟକୁ କମ୍ ଗୁରୁତ୍ୱ ଦିଆଯାଉଥିଲା। ସଦସ୍ୟତା ପାଇଁ ଓ୍ବେଟିଂଲିଷ୍ଟ ଏଭଳି ସ୍ଥିତିର ପ୍ରତୀକ। କିନ୍ତୁ ରାଜନୈତିକ ମନୋଭାବ ବଦଳିଛି। ସରକାର ସାର୍ବଜନୀନ ହିତ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ଆବଶ୍ୟକତା କଥା ଉଠାଇ ନିଜର ଆଇନଗତ ଅଧିକାର ପ୍ରୟୋଗ କରିଛନ୍ତି। ଏହା ସବୁଠାରୁ ସୁବିଧାଜନକ ଆଇନଗତ ରାସ୍ତା, ଯାହା ଉପରେ କୋର୍ଟ ଶେଷରେ ଅନୁଧ୍ୟାନ କରିପାରିବେ। କିନ୍ତୁ ରାଜନୈତିକ ଭାବରେ କେନ୍ଦ୍ର ହୁଏତ ବିଶ୍ୱାସ କରେ ଯେ, ଏହା ଲୋକଙ୍କ ସମର୍ଥନ ଓ ଭରସାକୁ ପୁଞ୍ଜିକରି ଏହି ଲଢ଼େଇକୁ ସହଜରେ ଜିତିପାରିବ। ଏହା ହିଁ ଲୁଟିୟନ୍ସ ପରିସରକୁ ଅତ୍ୟଧିକ ଆନ୍ଦୋଳିତ କରିଛି। ଦିଲ୍ଲୀର ଡ୍ରଇଂ ରୁମ୍ ଏବଂ କ୍ଲବ ବାରଗୁଡ଼ିକରେ ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଜିମ୍ଖାନା ଉପରେ ସରକାର ପଦକ୍ଷେପ ନେଉଛନ୍ତି ତେବେ ଆଉ କିଏ ବା ବାଦ୍ ପଡ଼ିବେ? ଏହା ଦିଲ୍ଲୀ ଗଲ୍ଫ କ୍ଲବ୍ ହୋଇପାରେ କି? ଡ. ଜାକିର ହୁସେନ ମାର୍ଗରେ ଥିବା ଗଲ୍ଫରମାନେ ଏହା ଧ୍ୟାନ ଦେବା ଉଚିତ ଯେ ଦେଶର ଦୃଷ୍ଟିକୋଣ ବଦଳିବା ଆରମ୍ଭ ହୋଇଯାଇଛି।
ମୁକେଶଙ୍କ ଉପରେ ଭରସା
କେନ୍ଦ୍ର ସରକାର ମୁକେଶ ସିଂହଙ୍କୁ ଲଦାଖରୁ ମଣିପୁରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ଏକ ନିୟମିତ ଆଇପିଏସ୍ ବଦଳି ନୁହେଁ। ଏଥିରୁ ସଙ୍କେତ ମିଳେ ଯେ, ମଣିପୁର ସଙ୍କଟକୁ ପାରମ୍ପରିକ ରାଜନୈତିକ ପରିଚାଳନା ମାଧ୍ୟମରେ ନିୟନ୍ତ୍ରଣ କରିହେବ ବୋଲି କେନ୍ଦ୍ର ବିଶ୍ୱାସ କରୁନାହିଁ। ପ୍ରାୟ ତିନି ବର୍ଷର ଜାତିଗତ ହିଂସା, ବିସ୍ଥାପନ ଏବଂ ବ୍ୟବସ୍ଥାଗତ ଶିଥିଳତାକୁ ନେଇ ଜାତୀୟ ସୁରକ୍ଷା ଅଧିକ ଚିନ୍ତାର ବିଷୟ ପାଲଟିଛି। ଅନୁପ୍ରବେଶ ରୋକିବା ଏବଂ ସୁରକ୍ଷା କାର୍ଯ୍ୟରେ ଅଭିଜ୍ଞତା ଥିବା ସିଂଙ୍କୁ କେବଳ ପୋଲିସ ମୁଖ୍ୟ ଭାବରେ ନୁହେଁ, ବରଂ ସମସ୍ୟା ସୁଧାରକ ଭାବରେ ପଠାଯାଉଛି। ଏହା ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳରେ ଏଜିଏମ୍ୟୁଟି କ୍ୟାଡର ଅଧିକାରୀଙ୍କ ଉପରେ କେନ୍ଦ୍ରର ଅଧିକ ନିର୍ଭରଶୀଳତାକୁ ପ୍ରତିପାଦିତ କରେ। କେନ୍ଦ୍ର ଯେଉଁଠାରେ କଠୋର ନିୟନ୍ତ୍ରଣ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ ଚାହୁଁଛି, ସେଠାରେ ଦିଲ୍ଲୀର ନିକଟତର ମନେ କରାଯାଉଥିବା ଅଧିକାରୀଙ୍କୁ ଅଧିକ ପସନ୍ଦ କରାଯାଉଛି। କେନ୍ଦ୍ର ପ୍ରତ୍ୟେକ ଥର ଏକ ଅଶାନ୍ତ ରାଜ୍ୟ ପାଇଁ ଜଣେ ବିଶ୍ୱସ୍ତ ଅଧିକାରୀଙ୍କୁ ଆଣିଲେ ମଧ୍ୟ ସ୍ଥାନୀୟ ସଂସ୍ଥା ଏବଂ ରାଜନୈତିକ ନେତୃତ୍ୱରେ ବିଶ୍ୱାସ ହ୍ରାସ ପାଇବା ଦେଖାଯାଇଛି। କିନ୍ତୁ ମଣିପୁର ଏକ ସାଧାରଣ ଆଇନ-ଶୃଙ୍ଖଳା ସ୍ଥିତିରେ ନାହିଁ। ଜାତିଗତ ନିଷ୍ପତ୍ତି ତ୍ରୁଟିକୁ ନେଇ ଏହି ସଂଘର୍ଷ ଏତେ ଗମ୍ଭୀର ହୋଇଯାଇଛି ଯେ ପୋଲିସବାହିନୀ ମଧ୍ୟ ପକ୍ଷପାତପୂର୍ଣ୍ଣ ଆଚରଣ ଅଭିଯୋଗର ସମ୍ମୁଖୀନ ହୋଇଛି। ସେହି ପରିବେଶରେ, ଦିଲ୍ଲୀ ନିଶ୍ଚିତ ଯେ କେବଳ ଜଣେ ବାହାର ଲୋକଙ୍କ କାର୍ଯ୍ୟକୁଶଳତା ଲୋକଙ୍କ ମଧ୍ୟରେ ଭରସା ଜନ୍ମାଇପାରିବ। ଦିଲ୍ଲୀରୁ ମିଳିଥିବା ସଙ୍କେତ ସ୍ପଷ୍ଟ। ମଣିପୁରକୁ ଏବେ କେବଳ ଏକ ଅଶାନ୍ତ ରାଜ୍ୟ ନୁହେଁ, ବରଂ ସୁରକ୍ଷା ପ୍ରାଥମିକତାକୁ ଭିତ୍ତିକରି ନିୟନ୍ତ୍ରଣ କରାଯାଉଛି।
ବିଶ୍ୱାସକୁ ଗୁରୁତ୍ୱ
ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟ ସଚିବଙ୍କୁ ନେଇ ଲାଗିରହିଥିବା ସନ୍ଦେହ କରାଯାଉଥିଲା, ତାହା ଅନ୍ତିମ ମୁହୂର୍ତ୍ତରେ ପାରମ୍ପରିକ ବାବୁ ଶୈଳୀରେ ଶେଷ ହୋଇଛି। ଅବସର ନେବା ପାଇଁ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ, ସଞ୍ଜୟ ଗୁପ୍ତାଙ୍କୁ ସୁଖୁ ସରକାର ଆନୁଷ୍ଠାନିକ ଭାବରେ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଉତ୍ତରାଧିକାରକୁ ନେଇ ଏକ ଖୋଲା ପ୍ରତିଯୋଗିତା ଲାଗିବ ବୋଲି କୁହାଯାଉଥିଲା, ତାହା କେବଳ ଗୋଟିଏ ବାର୍ତ୍ତାରେ ସୀମିତ ରହିଗଲା। ସରକାର ଏକ ନୂତନ କ୍ଷମତା ସମୀକରଣ କିମ୍ବା ପରୀକ୍ଷଣ ବଦଳରେ ନିରନ୍ତରତାକୁ ବାଛିଛନ୍ତି। ରାଜନୈତିକ ଅସ୍ଥିର ସମୟରେ, ମୁଖ୍ୟମନ୍ତ୍ରୀମାନେ ପ୍ରାୟତଃ ପୂର୍ବରୁ ଭଲ ଭାବେ ଜାଣିଥିବା ଅଧିକାରୀଙ୍କୁ ଅବସ୍ଥାପିତ କରିବା ପାଇଁ ପସନ୍ଦ କରିଥାନ୍ତି। ହିମାଚଳର ଆର୍ଥିକ ସ୍ଥିତି ସଙ୍କଟରେ ଅଛି, ସେଠାକାର କଂଗ୍ରେସ ସରକାର ଆଭ୍ୟନ୍ତରୀଣ ଚାପର ମୁକାବିଲା କରୁଛନ୍ତି। ଦୀର୍ଘ ଉତ୍ତରାଧିକାର ଲଢ଼େଇ ବଦଳରେ ସଚିବାଳୟରେ ସ୍ଥିରତାକୁ ପ୍ରାଥମିକତା ଦିଆଯାଇଛି। ତେବେ ନିଯୁକ୍ତିକୁ ନେଇ ସମ୍ଭାବ୍ୟ ଦାବିଦାରଙ୍କ ଆଲୋଚନା ଏବେ ବନ୍ଦ ହୋଇଯାଇଛି। ଅନେକ ରାଜ୍ୟରେ ସରକାର ପ୍ରତିବର୍ଷ ଅଦଳବଦଳକୁ ଏଡାଇବା ଲାଗି ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁଥିବା ମୁଖ୍ୟ ଶାସନ ସଚିବଙ୍କୁ ଖୋଜନ୍ତି। ହେଲେ ହିମାଚଳ କାର୍ଯ୍ୟକାଳ କମ୍ ହେଲେ ମଧ୍ୟ ଅଧିକାରୀଙ୍କୁ ପସନ୍ଦ କରିଛି। ପୂର୍ବର ଅଭିଯୋଗ ଏବଂ ବିଚାରାଧୀନ ଆଇନଗତ ଯାଞ୍ଚ ବିଷୟରେ ପ୍ରଶ୍ନ ଉଠୁଥିବାବେଳେ ଗୁପ୍ତାଙ୍କୁ ନିଯୁକ୍ତ କରାଯାଇଛି, ଯାହା ନିୟମିତ ପ୍ରଶାସନିକ ନିର୍ଦ୍ଦେଶ ଅପେକ୍ଷା ରାଜନୈତିକ ନିଷ୍ପତ୍ତିକୁ ଅଧିକ ସିଦ୍ଧ କରେ। ଏବକାର ବାବୁ ରାଜନୀତିରେ ମୁଖ୍ୟ ସଚିବ ପଦବୀ ପାଇଁ କେବଳ ବରିଷ୍ଠତା ନୁହେଁ ବରଂ ବିଶ୍ୱାସକୁ ଗୁରୁତ୍ୱ ଦେଉଛନ୍ତି। ହିମାଚଳ ସେହି ବିଚାରକୁ ସ୍ପଷ୍ଟ କରିଛି।
Email: dilipcherian@gmail.com