କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ (ପ୍ରାୟ ୪ ନିୟୁତ) ଲୋକଙ୍କର ଜୀବନ ନେଇ ସାରିଲାଣି। କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହେଲେଣି ଏବଂ ଭୁଶୁଡ଼ି ପଡ଼ିଲାଣି ଅନେକ ଦେଶର ଅର୍ଥନୀତି। ଏ ବିଭୀଷିକା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ବଳିଯାଇଥିବା କୁହାଯାଉଛି। ତେବେ ଆଜି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରଣ କରି ହେଉନି, ଚାଇନାର ଉହାନଠାରେ ପ୍ରଥମେ ଏ ମାରାମତ୍କ ଭୂତାଣୁ ସୃଷ୍ଟି ହେଲା କିପରି। ଏଠାରେ ଅବସ୍ଥିତ ସେ ଦେଶର ପ୍ରତିରକ୍ଷା ବିଭାଗ ଅଧୀନରେ ପରିଚାଳିତ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’। ଏଠାରେ ବିବିଧ ନୂତନ ଭୂତାଣୁ ପ୍ରତିରୋଧୀ ଟିକା ଓ ଔଷଧ ପ୍ରସ୍ତୁତ ଲାଗି ଗବେଷଣା ଚାଲିଥିବା କୁହାଯାଉଥିଲା। ଏଣୁ ଚାଇନାର ଚିରଶତ୍ରୁ ଆମେରିକା ମଧ୍ୟ ଏହାକୁ ଆର୍ଥିକ ଏବଂ ବୈଷୟିକ ସାହାଯ୍ୟ ପ୍ରଦାନ କରୁଥିଲା। ତେବେ ପ୍ରକୃତରେ ଏହା ବିଶ୍ୱରେ ନିଷିଦ୍ଧ ହୋଇଥିବା ଜୈବିକ ଅସ୍ତ୍ର ଗୋପନରେ ତିଆରି କରିବା ଲାଗି ଅଭିପ୍ରେତ ବୋଲି ସନ୍ଦେହ ଅନେକ ଦିନୁ ଆରମ୍ଭ ହୋଇଥିଲା। ତେଣୁ ଏହିଠାରେ ହିଁ ଏହି ମାରାମତ୍କ ଭୂତାଣୁଟି ଜିନୀୟ ପରିବର୍ତ୍ତନ ମାଧ୍ୟମରେ ତିଆରି କରାଯାଇଥିବା ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶର ବୈଜ୍ଞାନିକ ମତ ଦେବାକୁ ଲାଗିଲେ। ତେବେ ଏହା ସେଠାର ମାଂସ ବଜାରରେ ବାଦୁଡ଼ିଠାରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଦାବି କରି ଚାଇନା ଏ ପ୍ରଶ୍ନକୁ ଏଡ଼ାଇ ଚାଲିଲା। ଅନ୍ୟପକ୍ଷରେ, କ୍ରମେ ବିଭିନ୍ନ ଆନୁଷଙ୍ଗିକ ଘଟଣାମାନ ବିଚାରକୁ ନେଇ କରାଯାଉଥିବା ଅଧ୍ୟୟନ ଓ ଗବେଷଣାରୁ ଏହା ସେଠାର ବିଜ୍ଞାନାଗାର ମଧ୍ୟରେ କୃତ୍ରିମ ଉପାୟରେ ତିଆରି କରାଯାଇଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହାକୁ ଆହୁରି ଅଧିକ ଘନ କରିଛି ସେଠାକୁ ଯାଇ ଏ ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବାକୁ ବିଶ୍ୱ ସ୍ଥାସ୍ଥ୍ୟ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଚାଇନା ଅନୁମତି ନ ଦେବା। ଏଣୁ କେତେକ ବୈଜ୍ଞାନିକ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଲାଗିଲେଣି ଯେ କୋଭିଡ୍‌-୧୯ ଭୂତାଣୁ ସେଠାର ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ର ଗବେଷଣାଗାରରେ ହିଁ ତିଆରି କରାଯାଇଥିଲା ଏବଂ ସମ୍ଭବତଃ ତାହାକୁ ବାଦୁଡ଼ି ଦେହରେ ପରୀକ୍ଷା କରାଯାଇଥିଲା।
ଏଭଳି ମତ ଦେଉଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଲେ ଇଂଲଣ୍ଡର ପ୍ରଫେସର ଆଂଗୁସ ଡାଲ୍‌ଗ୍ଲେଇସ ଏବଂ ନରଓ୍ବେର ଡକ୍ଟର ବିର୍‌ଗର୍‌ ସୋରେନସେନ। ନିକଟରେ (ମେ ୨୦୨୧ ଶେଷ ସପ୍ତାହରେ) ସେମାନେ ଘୋଷଣା କରିଛନ୍ତି ଯେ, ଏ ଭୂତାଣୁର କୌଣସି ବିଶ୍ୱାସଯୋଗ୍ୟ ପୂର୍ବ ପୁରୁଷ ନାହିଁ। ଏଣୁ ତାହା ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ରେ ହିଁ ତିଆରି ହୋଇଛି। ଏହାକୁ ତିଆରି କରିଛନ୍ତି ସେଠାର ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପର ବୈଜ୍ଞାନିକମାନେ। ଚାଇନାର ଗୁମ୍ଫାଗୁଡ଼ିକରେ ବାସ କରୁଥିବା ବାଦୁଡ଼ିଠାରେ ଥିବା ଏକ ପ୍ରକାର ଭୂତାଣୁ ନେଇ ତାହାର ଜିନୀୟ ପରିବର୍ତ୍ତନ ଆଣି ତା’ ଦେହରେ ନୂତନ ପ୍ରୋଟିନ ଶୁଣ୍ଢଟିଏ ସୃଷ୍ଟି କରିବା ଫଳରେ ଏହାର ଉତ୍ପନ୍ନ ହୋଇଛି।
ଡାଲ୍‌ଗ୍ଲେଇସ ଏବଂ ସୋରେନସେନ ଭୂତାଣୁ ନମୁନାଗୁଡ଼ିକରେ କିଛି ‘ଅନନ୍ୟ ଅଙ୍ଗୁଳି ଛାପ’ ଆବିଷ୍କାର କରିଛନ୍ତି, ଯାହା କି ସେମାନଙ୍କ ମତରେ କେବଳ ବିଜ୍ଞାନାଗାର ମଧ୍ୟରେ କୃତ୍ରିମ ପରିବର୍ତ୍ତନ ମାଧ୍ୟମରେ ହିଁ ସମ୍ଭବ। ତେବେ, ଏହାର ସଂକ୍ରମଣ ବିଶ୍ୱକୁ ବ୍ୟାପିଗଲା ପରେ ସେଠାର ସରକାର ଏହା ସମ୍ପର୍କରେ ସୂଚନାମାନ ନଷ୍ଟ କରିବାରେ ଲାଗିଛନ୍ତି। ବିଗତ ମେ ୩୦, ୨୦୨୧ ସଂଖ୍ୟା ‘ଦି ଡେଲିମେଲ’ରେ ପ୍ରକାଶିତ ବିବରଣୀ ଅନୁସାରେ ଉପରୋକ୍ତ ବୈଜ୍ଞାନିକ ଦ୍ୱୟ ‘ଦ କ୍ୱାର୍ଟରଲି ରିଭ୍ୟୁ ଅଫ ବାଇଓ ଫିଜିକ୍‌ସ ଡିସ୍‌କଭରୀ’ ପତ୍ରିକାରେ ୨୨ ପୃଷ୍ଠା ସମ୍ବଳିତ ବୈଜ୍ଞାନିକ ନିବନ୍ଧଟିଏ ପ୍ରକାଶ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏ ଭୂତାଣୁର ଶୁଣ୍ଢରେ ୪ଟି ଯୁକ୍ତ ଚାର୍ଜ ବିଶିଷ୍ଟ ଆମିନୋ ଅମ୍ଳ ରହିଛି। ଏଣୁ ତାହା ସହଜରେ ମଣିଷର ବିଯୁକ୍ତ ଚାର୍ଜ ଯୁକ୍ତ ଅଙ୍ଗ ସହିତ ଯୋଡ଼ି ହୋଇଯାଉଛି। ଯୁକ୍ତ ଚାର୍ଜ ବିଶିଷ୍ଟ ଆମିନୋ ଅମ୍ଳ ପରସ୍ପରକୁ ବିକର୍ଷଣ କରନ୍ତି। ଏଣୁ ପ୍ରାକୃତିକ ଭୂତାଣୁ ବା ଅନ୍ୟ ସୂକ୍ଷ୍ମ ଜୀବଙ୍କଠାରେ ଏହା ଗୋଟିଏ ଧାଡ଼ିରେ ୩ଟି ମଧ୍ୟ ଦେଖାଯିବା ବିରଳ। କେବଳ କୃତ୍ରିମ ଉପାୟରେ ହିଁ ଏହା ସମ୍ଭବ । ଅତଏବ ନିଃସନ୍ଦେହରେ କୋଭିଡ୍‌-୧୯ ଭୂତାଣୁଟି ଏକ ‘ଚିମର (ସଂକର) ଏବଂ ତାହା ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପ ଦ୍ୱାରା ହିଁ ପ୍ରସ୍ତୁତ।
ଇତିମଧ୍ୟରେ ‘ଡ୍ରାଷ୍ଟିକ’ ନାମକ ଏକ ଆନ୍ତର୍ଜାତିକ ସଙ୍ଗଠନ ଏହାର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ ଚଳାଇଛି ଇଣ୍ଟରନେଟ ମାଧ୍ୟମରେ କିଛି ସଂପୃକ୍ତ ଗବେଷକ ତଥା ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରି। ନିଜର ନାମ ଗୋପନ ରଖି ଟୁଇଟରରେ ‘ଦ ସିକର’ ରୂପେ ପରିଚୟ ପ୍ରଦାନ କରି ଜଣେ ଭାରତୀୟ ମଧ୍ୟ ଏଥିସହିତ ସାମିଲ ହୋଇଛନ୍ତି। ସେମାନେ ଏଥିରୁ ପ୍ରାପ୍ତ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରି ଏ ଭୂତାଣୁ ଚାଇନାର ବିଜ୍ଞାନାଗାରରେ ପ୍ରସ୍ତୁତ ହୋଇଥିବାର ସମ୍ଭାବନା ଉଜ୍ଜ୍ୱଳ ବୋଲି ମତ ଦେଉଛନ୍ତି। ସେହିପରି ପୁଣେର ବୈଜ୍ଞାନିକ ଦମ୍ପତି ଡକ୍ଟର ମୋନାଲି ସି ରାହଲକର (ଅଗରକର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ) ଏବଂ ଡକ୍ଟର ରାହୁଲ ବାହୁଲିକର (ବିଏଆଇଏଫ ଡେଭେଲପମେଣ୍ଟ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ) ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଚାଇନାର ଗବେଷକମାନଙ୍କ ପୁରୁଣା ତଥ୍ୟମାନ ସଂଗ୍ରହ କରି ଏ ଦିଗରେ ଅନୁଧ୍ୟାନ ଚଳାଇଛନ୍ତି। ଏମାନେ ମଧ୍ୟ ‘ଡ୍ରାଷ୍ଟିକ’ ସହିତ ସଂପୃକ୍ତ।
ସେମାନଙ୍କ ଦ୍ୱାରା ସଂଗୃହୀତ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ୨୦୧୨ ମସିହାରେ ଚାଇନାର ଉହାନ ନିକଟବର୍ତ୍ତୀ ମୋଜିଆଙ୍ଗ ଖଣି ଅଞ୍ଚଳର ବାଦୁଡ଼ିଗୁଡ଼ିକ ବାସ କରୁଥିବା ଏକ ଗୁମ୍ଫାକୁ ପରିଷ୍କାର କରିବା ଲାଗି ଛ’ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। କିଛିଦିନ ପରେ ସେମାନଙ୍କ ମଧ୍ୟରୁ ତିନିଜଣ ନିମୋନିଆ ଭଳି ଲକ୍ଷଣ ଥିବା ଏକ ନୂତନ ରୋଗରେ ପ୍ରାଣ ହରାଇଥିଲେ। ସେମାନେ ଏକ କବକ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ୨୦୧୩ ମସିହାରେ ମତ ଦେଇଥିଲେ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ର ନିର୍ଦ୍ଦେଶିକା ଡକ୍ଟର ଶି ଝେଂଗଲୀ। ତେବେ ଉପରୋକ୍ତ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ସମେତ ‘ଡ୍ରାଷ୍ଟିକ’ର ଅନ୍ୟମାନେ ଦାବି କରୁଛନ୍ତି ଯେ, ତାହା ଥିଲା ଚିହ୍ନଟ ହୋଇ ନ ଥିବା କରୋନା ଭୂତାଣୁର ଏକ ନୂତନ ରୂପ। ସେମାନେ ଏହାକୁ ନେଇ ବାଢ଼ୁଥିବା ଯୁକ୍ତି ଅନୁସାରେ ଏହି ଖଣି ଶ୍ରମିକଙ୍କଠାରେ ପ୍ରକଟିତ ଲକ୍ଷଣଗୁଡ଼ିକ ମଧ୍ୟରେ ଥିଲା ନିମୋନିଆ ସଦୃଶ୍ୟ ଏବଂ ଶ୍ୱାସକ୍ରିୟାଜନିତ। ପୁନଶ୍ଚ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧଗୁଡ଼ିକ ମଧ୍ୟରେ ଏକ ଭୂତାଣୁ ନିରୋଧକ ଥିଲା ବୋଲି ଜଣାପଡିଛି ଜନୈକ ସ୍ନାତକୋତ୍ତର ଛାତ୍ର ଲି ଜୁଙ୍କ ଲିଖିତ ସନ୍ଦର୍ଭରୁ । ଏହା ବ୍ୟତୀତ ‘ଦ ସନ୍‌ଡେ ଟାଇମ୍ସ’ର ଏକ ବିବରଣୀ ଅନୁସାରେ ୨୦୧୫ ମସିହାରୁ ୨୦୧୭ ମସିହା ମଧ୍ୟରେ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ଦ୍ୱାରା ପ୍ରକାଶିତ ନିବନ୍ଧଗୁଡ଼ିକ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପର ପରୀକ୍ଷାଗୁଡ଼ିକ ଥିଲା ବିବାଦମାନ ଏବଂ ଭୂତାଣୁକୁ ଅଧିକ ସଂକ୍ରମଣକ୍ଷମ କରିବା ଥିଲା ଏହାର ଭିତିରି ଉଦ୍ଦେଶ୍ୟ; ଯାହା କି ଜୈବିକ ଅସ୍ତ୍ରରୂପେ ବ୍ୟବହାର କରିହେବ। ଏ ଚିନ୍ତାଧାରାକୁ ଶକ୍ତିଶାଳୀ କରେ ଡକ୍ଟର ଶି ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ୨୦୨୦ ମସିହା ଫେବୃୟାରୀ ମାସରେ ‘ନେଚର’ ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ର। ଏଥିରେ ସେମାନେ ଏକ ନୂତନ ଭୂତାଣୁ (Ra TG 13) ବିଷୟରେ ସୂଚନା ଦେଇଥିଲେ; ଯାହା କି ଜିନୀୟ ସାମ୍ୟତା ଦୃଷ୍ଟିରୁ କୋଭିଡ୍‌-୧୯ର ‘ସମ୍ପର୍କୀୟ’। ଏହା ୨୦୦୩ ମସିହାରେ ଉହାନଠାରେ ଦେଖାଯାଇଥିବାର ସେଥିରେ ଉଲ୍ଲେଖ ଥିଲା କିନ୍ତୁ, ତା’ ବିଷୟରେ ବିଶେଷ କିଛି ତଥ୍ୟ ପ୍ରଦାନ କରାଯାଇ ନ ଥିଲା। ଅନ୍ୟପକ୍ଷରେ ଏବର ଗବେଷଣା ସହିତ ସଂପୃକ୍ତ ଅନେକ ବୈଜ୍ଞାନିକ ଇତିମଧ୍ୟରେ ‘ନିଖୋଜ’ ହୋଇଗଲେଣି। ସେମାନଙ୍କୁ ବନ୍ଦୀ କିମ୍ବା ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।
ଏ ସମସ୍ତ ଅଭିଯୋଗକୁ ଖୋରାକ ଯୋଗାଉଛି ଚାଇନାର ମନୋଭାବ- ଏହା ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଙ୍ଗଠନକୁ ସେ ଦେଶରେ ଏ ଭୂତାଣୁର କିପରି ଉତ୍ପତ୍ତି ଘଟିଲା ଏବଂ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ତଥା ଏହାର ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପ ସମେତ ବିବିଧ ସନ୍ଦେହଜନକ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଦେଉନାହିଁ। କେବଳ ଏହା ମନଗଢ଼ା ମନେହେଉଥିବା ତା’ ନିଜ କଥା ଦୋହରାଇବାରେ ଲାଗିଛି ଯେ, ଭୂତାଣୁଟି ଉହାନର ମାଂସ ବଜାରରେ ବାଦୁଡ଼ିଠାରେ ସୃଷ୍ଟି ହୋଇ ମଣିଷକୁ ସଂକ୍ରମଣ କଲା ଏବଂ ସମସ୍ତେ ଏହାକୁ ଗ୍ରହଣ କରନ୍ତୁ ବୋଲି ଜିଦ୍‌ ଧରି ବସିଛି। କିନ୍ତୁ ଏହା ମନେହେଉଛି ‘ଚୋର ମୁହଁ ଟାଣ’ ଭଳି। ଏପରିସ୍ଥଳେ, ଏବେ ସାରା ବିଶ୍ୱ ଏକ ହୋଇ ଚାଇନାକୁ ଏ ଦୋଷରେ ଦୋଷୀ ବୋଲି ପ୍ରମାଣକୁ ନିଶ୍ଚିତ କରିବା ଏବଂ ଏହାକୁ ମାନବ ସମାଜ ବିରୋଧରେ କରିଥିବା ଏହି ପାପର ପ୍ରାୟଶ୍ଚିତ୍ତ କରିବାକୁ ବାଧ୍ୟ କରିବା ଏକାନ୍ତ ଆବଶ୍ୟକ।
ଉଷାନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri