ଦାୟିତ୍ୱହୀନ ଉତ୍ସବ

ଭାରତରେ ୮୫ ଦିନରେ ୧୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇପାରିଛି। କୁହାଯାଉଛି, ଏହା ହେଉଛି ଆମ ଦେଶ ପାଇଁ ସବୁଠାରୁ ଗର୍ବର ବିଷୟ। ବାସ୍ତବରେ ଏହି ସଂଖ୍ୟା କେତେଦୂର ସତ୍ୟ ତାହା ସାଧାରଣରେ ଜାଣିବା କଷ୍ଟକର। କାରଣ କେନ୍ଦ୍ରରେ ଭାଜପା ସରକାର କ୍ଷମତାସୀନ ହେବାଦିନୁ ସାମାଜିକ ସ୍ତରଠାରୁ ଅର୍ଥନୀତି ସଂକ୍ରାନ୍ତ ଦେଇଆସୁଥିବା ଅନେକ ତଥ୍ୟ ଅସତ୍ୟ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଛି। ଏପରି କି କେନ୍ଦ୍ର ସରକାରଙ୍କ କେତେକ ମନ୍ତ୍ରଣାଳୟ ମଧ୍ୟରେ ମେଳ କଲା ବେଳେ ବହୁ ତଥ୍ୟ ତଫାତ୍‌ ଦେଖାଦେଇଥିବା ଅତୀତ ଘଟଣାରୁ ଜଣାପଡ଼ିଛି। ୨୦୨୦ରେ କରୋନା ଭୂତାଣୁଜନିତ ସଂକ୍ରମଣ ବଢ଼ିବା ବେଳେ ସମାଜର ବିଭିନ୍ନ ବର୍ଗଙ୍କୁ ଆର୍ଥିକ ସୁରକ୍ଷା ଦେବା ବିଷୟ କେନ୍ଦ୍ର ସରକାର ଘୋଷଣା କଲେ। ସେଥିରୁ ୨୦ ଲକ୍ଷ କୋଟି ଟଙ୍କା ବା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ ବୋଲି ଡିଣ୍ଡିମ ପିଟାଗଲା, ପରବର୍ତ୍ତୀ ସମୟରେ ଦେଖାଗଲା ଯେ ସେଥିରୁ ଅଧିକାଂଶ ବୃହତ୍‌ ଋଣମେଳା ଥିଲା। ଲୋକେ ସେତେବେଳେ ଭକୁଆ ହୋଇଥିଲେ। ସେହିପରି ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ରେ ଶତପ୍ରତିଶତ ମାଗଣାରେ ନିଜ ଅଞ୍ଚଳକୁ ଯିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ ଏ ବିଷୟରେ ସତ୍ୟତା ଖୋଜାଗଲା ବେଳକୁ ଜଣାପଡ଼ିଲା ଯେ ଟ୍ରେନ୍‌ ଟିକେଟର ୮୫ ପ୍ରତିଶତ କେନ୍ଦ୍ର ବହନ କରିଥିବା ବେଳେ ରାଜ୍ୟଗୁଡ଼ିକ ଉପରେ ୧୫ ପ୍ରତିଶତ ପଡ଼ିଥିଲା। ଆହୁରି କୌତୂହଳର ବିଷୟ ଯେ, ଉକ୍ତ ୮୫ ପ୍ରତିଶତ ମଧ୍ୟ ସନ୍ଦେହଜନକ ଥିଲା, କାରଣ ଅନେକ ଶ୍ରମିକ ନିଜେ ଟିକେଟ କିଣି ଘରକୁ ଫେରିଥିଲେ। ଏହା ପୂର୍ବର ଉଦାହରଣକୁ ଦେଖିଲେ ବିମୁଦ୍ରୀକରଣ କଥା ମନେପଡ଼େ। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ବେଳେ କୁହାଯାଇଥିଲା ଯେ, ଏହାର ପ୍ରମୁଖ ଉଦ୍ଦେଶ୍ୟ କଳାଧନ ଠାବ କରିବା। କିନ୍ତୁ ସେଥିରେ ବିଫଳ ହେବା ପରେ କଥା ବୁଲାଇ କୁହାଗଲା ଭାରତୀୟ ଅର୍ଥନୀତିକୁ ଡିଜିଟାଲ ମୋଡ୍‌କୁ ଆଣିବାରେ ଏହା ବିଶେଷ ସହାୟକ ହୋଇଛି। ଏଥିସହିତ ଯୋଡ଼ାଯାଇପାରେ ତାଳି ମାରିବା, ଥାଳି ବାଡ଼େଇବା, ଘଣ୍ଟ ପିଟିବା ଓ ଦୀପ ଜଳାଇବା ଇତ୍ୟାଦି ଅନେକ ଅସଂଲଗ୍ନ ଘୋଷଣା, ଯାହାସବୁ ଲୋକଙ୍କୁ ସେହି ମୁହୂର୍ତ୍ତରେ ବାଟବଣା କରିବାରେ ସଫଳ ହୋଇଥିଲା। ଅବଶ୍ୟ ନିରପେକ୍ଷ ଓ ଚିନ୍ତାଶୀଳ ନାଗରିକ ପରବର୍ତ୍ତୀ ସମୟରେ ସତ୍ୟ ବୁଝିପାରିଥିଲେ। ଯେଉଁମାନେ ସତ୍ୟକୁ ଅସ୍ବୀକାର କରିବେ ସେମାନଙ୍କୁ ବାସ୍ତବତା ବୁଝାଇବା ସମ୍ଭବପର ହେବ ନାହିଁ।
ଟିକାକରଣକୁ ନେଇ ବାହାବା ନେବା ବିଷୟକୁ ଫେରିବା। ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅଦ୍ୟାବଧି ଭାରତ ଅଧିକ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି। ଏ ଦିଗରେ ଏକ ନୂଆ ଉପଲବ୍ଧି ହାସଲ କରିପାରିଥିବାରୁ ଭାରତ ଉଲ୍ଲସିତ ହୋଇଛି। ଅନେକ ଭାରତୀୟ ଯେତେବେଳେ ଆମେରିକା ତୁଳନାରେ କିଛି ସଫଳତା ପାଇଥାଆନ୍ତି, ସେତେବେଳେ ମାଙ୍କଡଡିଆଁ ମାରିଥାଆନ୍ତି। ବାସ୍ତବରେ ଟିକାକରଣକୁ ଦେଖିଲେ ଆମେରିକାର ଲୋକସଂଖ୍ୟା ୩୩ କୋଟିରୁ ଅଧିକ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଅର୍ଥାତ୍‌ ୬ କୋଟି ୬୦ ଲକ୍ଷ ଲୋକ ଟିକା ନେଇଛନ୍ତି। ଭାରତର ଜନସଂଖ୍ୟା ୧୩୫ କୋଟିରୁ ଊର୍ଦ୍ଧ୍ୱ। ସେହି ଅନୁଯାୟୀ ଦେଖିଲେ ଏଠାରେ ୧୦ ପ୍ରତିଶତ ଲୋକଙ୍କୁ ଅଦ୍ୟାବଧି ଟିକା ଦିଆଯାଇପାରି ନାହିଁ। ତେଣୁ ଭାରତବାସୀ ହିସାବ କରିପାରୁଥିବେ ଆମେରିକାଠାରୁ ଆମେ କେତେ ଆଗରେ ଅଛୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ଘୋଷଣା କରିଥିଲେ, ପ୍ରତ୍ୟେକ ପ୍ରାପ୍ତବୟସ୍କ ନାଗରିକ ଟିକା ନେଇପାରିବେ। ଅର୍ଥାତ୍‌ ସେଠାରେ ସମସ୍ତଙ୍କ ପାଇଁ ଯଥେଷ୍ଟ ପରିମାଣର ଟିକା ମହଜୁଦ ଅଛି। କିନ୍ତୁ ନାଗରିକଙ୍କ ଟିକା ନେବା ପାଇଁ ବିରୋଧ ଥିବା ଯୋଗୁ ଟିକାକରଣରେ ବିଳମ୍ବ ଘଟୁଥିଲା। ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ, ମେ ମାସ ପ୍ରଥମ ସପ୍ତାହରୁ ସମସ୍ତେ ଟିକା ପାଇପାରିବେ। ରାଷ୍ଟ୍ରପତି ବାଇଡେନଙ୍କ ଏବେକାର ଘୋଷଣା ଦର୍ଶାଉଛି ଯେ, ଆମେରିକା ତାହାର ଟିକାକରଣ କାର୍ଯ୍ୟକୁ ଦୁଇ ସପ୍ତାହ ପୂର୍ବରୁ କରିଦେଇପାରିଛି। ଅପରପକ୍ଷରେ ଭାରତରେ ଓଡ଼ିଶା ଓ ପଞ୍ଜାବ ସମେତ ଆହୁରି ଅନେକ ରାଜ୍ୟ ଟିକାର ଅଭାବ ଘୋଷଣା କରିସାରିଲେଣି। ଏଥିସହିତ ଭାରତରେ ଘରୋଇ କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ତାହାର କୋଭିସିଲ୍‌ଡ ଟିକା ପ୍ରସ୍ତୁତି କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ଆଦାର ପୁନାଓ୍ବାଲା ଗଣମାଧ୍ୟମକୁ କହିସାରିଲେଣି। ଏଭଳି ପ୍ରଚ୍ଛଦପଟରେ ଟିକା ଉତ୍ସବ ପୁନର୍ବାର ଏକ ତାଳିମାରିବା, ଦୀପ ଜଳାଇବା ଭଳି ପ୍ରତୀୟମାନ ହୋଇପାରେ। ଏଠାରେ ମନେରଖିବାକୁ ହେବ ଯେ, ଏହିସବୁ ନାଟକ ରଚାଯାଉଥିବାବେଳେ ଦେଶବ୍ୟାପୀ କରୋନାର ଦ୍ୱିତୀୟ ଓ ତୃତୀୟ ଲହର ପ୍ରବଳ ମାତ୍ରାରେ ସଂକ୍ରମିତ କରୁଛି।
୧୧ ଏପ୍ରିଲ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜନ୍ମଦିନଠାରୁ ୧୪ ଏପ୍ରିଲ ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ୪ ଦିନ ଧରି ଦେଶରେ ‘ଟିକା ଉତ୍ସବ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଅର୍ଥାତ୍‌ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ବହୁସଂଖ୍ୟାରେ ଟିକାଗ୍ରହଣ କେନ୍ଦ୍ରକୁ ଯାଇ ଟିକା ନେଲେ ଉତ୍ସବ ପାଳନ ସଫଳ ହେଲା ବୋଲି ଧରାଯିବ। ବାସ୍ତବରେ ଏହି ଲୋକଦେଖାଣିଆ ଖୁସି ଭୂତାଣୁ ସଂକ୍ରମଣରୁ ନାଗରିକଙ୍କୁ କିଭଳି ଦୂରେଇ ରଖିବ ଭାବି ହେଉନାହିଁ। ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଶୋଭାଯାତ୍ରାରେ ଯେଭଳି ଜନ ସମାଗମ ହୋଇଛି ସେଥିରୁ ମନେହେଉଛି ଯେପରି ରାଜନୈତିକ କାର୍ଯ୍ୟରେ କରୋନା ଭୂତାଣୁ ହସ୍ତକ୍ଷେପ କରୁନାହିଁ। ଖୋଦ୍‌ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଅନେକ ନେତା ବିଭିନ୍ନ ସମୟରେ ମାସ୍କ ପିନ୍ଧୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ କେବଳ ସ୍ଲୋଗାନ ଦେଇ ନିଜ ପିଠିକୁ ନିଜେ ଥାପୁଡ଼ାଇଲେ ବାସ୍ତବ ସତ୍ୟ ଲୁଚିଯିବ ନାହିଁ। ଦେଶବ୍ୟାପୀ ହୁରିପଡ଼ିଛି କରୋନା ଟିକାର ଅଭାବ, ହେଲେ କେନ୍ଦ୍ର ସରକାର ଏହାର ଉତ୍ସବ ପାଳୁଛନ୍ତି। ଅନ୍ୟପଟେ ଟିକାର ପ୍ରଭାବକୁ ଦେଖାଯାଉ। ଭାରତରେ ମିଳୁଥିବା ମୁଖ୍ୟତଃ ଦୁଇ ପ୍ରକାର ଟିକାକୋଭାକ୍ସିନ୍‌ ଓ କୋଭଶିଲ୍ଡର ଯଥେଷ୍ଟ ପରୀକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ। ତରବରିଆ ଭାବେ ପ୍ରସ୍ତୁତ ଏହି ଟିକା ନେଇଥିବା ବ୍ୟକ୍ତି ନିଜେ କରୋନା ସଂକ୍ରମିତ ହେବେ ନାହିଁ ବୋଲି ନିଶ୍ଚିତତା ନାହିଁ। ତାହାର ପ୍ରମାଣ ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ଲୋକଙ୍କଠାରେ ଦେଖାଯାଇ ସାରିଲାଣି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଆବିଷ୍କୃତ କୋଭିଶିଲ୍ଡ ଏବେ ୟୁରୋପରେ ନିଷିଦ୍ଧ କରାଗଲାଣି। ସେହି କୋଭିଶିଲ୍ଡ ନେଇଥିବା ଲୋକଙ୍କ ରକ୍ତ ଜମାଟ ହେଉଥିବାର ଅଭିଯୋଗ ଆସିଛି। ଅପରପକ୍ଷରେ ଭାରତରେ ପ୍ରସ୍ତୁତ ଓ ବିକଶିତ କୋଭାକ୍ସିନ୍‌ର କୌଣସି ପରୀକ୍ଷାଫଳ ମିଳିବା ପୂର୍ବରୁ ଲୋକଙ୍କୁ ଦିଆଯାଉଛି। ଏହି ଦୁଇ ଟିକାର ପ୍ରଭାବ ମଣିଷ ଦେହରେ କେତେଦିନ ରହିବ ତାହା ନିର୍ମାତା କିମ୍ବା ସରକାର କହିବାକୁ ପ୍ରସ୍ତୁତ ହେଉନାହାନ୍ତି। ଏହା ବ୍ୟତୀତ ଟିକା ନେଇଥିବା ବ୍ୟକ୍ତିର କ୍ଷତି ଘଟିଲେ ସେଥିପାଇଁ ଔଷଧ କମ୍ପାନୀ ବା ସରକାର ଦାୟୀ ହେବାକୁ ଆଗେଇ ଆସୁ ନାହାନ୍ତି। ଟିକା ଉତ୍ସବ ଭଳି କାର୍ଯ୍ୟକ୍ରମ ଘୋଷଣା କରିବାବେଳେ ଜନସାଧାରଣଙ୍କୁ ଆନୁଷଙ୍ଗିକ ବିପଦ ସମ୍ପର୍କରେ ସଚେତନ କରାଇବା ହେଉଛି ସରକାରଙ୍କ ଦାୟିତ୍ୱ। ଆଜିର ସରକାର ନାଗରିକଙ୍କ ପ୍ରତି କୌଣସି ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri