ଇରାନର ପରମାଣୁ ଶକ୍ତି

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସରି ନ ଥିବା ବେଳେ ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସଦ୍ୟ ଯୁଦ୍ଧରେ ଇସ୍ରାଏଲ ଗୋଟିଏ ପକ୍ଷରେ ଥିବା ବେଳେ ଆରପଟେ ଇରାନ। ଏଭଳି ଯୁଦ୍ଧ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ। କାରଣ କିଛି ଦିନ ହେବ ଜଣାପଡ଼ୁଥିଲା ଯେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଲାଗି ପାଗ ଭିଡ଼ୁଥିଲା। ଏବର ଯୁଦ୍ଧକୁ ନେଇ ଇସ୍ରାଏଲ ସଫେଇ ଦେଇ କହିଛି ଯେ, ତେହେରାନ୍‌ ସଦ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଇସ୍ରାଏଲ ଦେଶ ଭାବେ ରହିବାଟା ପ୍ରଶ୍ନବାଚୀକୁ ଚାଲିଯାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି। କିନ୍ତୁ ଭିତିରିଆ ଦେଖିଲେ ଏହି ଯୁଦ୍ଧ ପଛରେ ଆମେରିକାର ପ୍ରଚ୍ଛନ୍ନ ହାତ ଥାଇପାରେ। ଇରାନ ପରମାଣୁ କାର୍ଯ୍ୟକ୍ରମ ଜୋରଦାର ଚଳାଇଥିବାରୁ ତାହାକୁ ପ୍ରତିରୋଧ କରିବା ଲାଗି ଆମେରିକା ବାରମ୍ବାର ସତର୍କ କରାଇଆସୁଥିଲା। ଏପରି କି ଚଳିତ ବର୍ଷ ପ୍ରାରମ୍ଭରୁ ଇରାନର ପରମାଣୁ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆମେରିକା ଓ ଇରାନ ୫ ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି। ୧୫ ଜୁନ୍‌ରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାର ଥିଲା। ଇସ୍ରାଏଲ ଆକ୍ରମଣ ପରେ ଇରାନ ଏହି ଆଲୋଚନାକୁ ବାତିଲ କରିଦେଇଛି। ଠିକ୍‌ ଏହି ସମୟରେ ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୋସାଦ ଖବର ପାଇଲା ଯେ ଇରାନ୍‌ ତା’ର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରିତ ବେଗରେ କାର୍ଯ୍ୟ କରୁଥିବାରୁ ନିକଟ ଭବିଷ୍ୟତରେ ଅସ୍ବାଭାବିକ ସ୍ଥିତି ଉତ୍ପନ୍ନ ହୋଇପାରେ। ଏଥିସହିତ ଚାଇନା ତା’ର ଏନ୍‌ରିଚ୍‌ଡ ୟୁରାନିୟମର ଏକ ବଡ଼ ଅଂଶ ଇରାନକୁ ନିକଟରେ ରପ୍ତାନି କରିଛି। ତେଣୁ ସମ୍ଭାବ୍ୟ ବିପଦ ଆଶଙ୍କା କରି ଇସ୍ରାଏଲ ଆଗତୁରା ‘ଅପରେଶନ ରାଇଜିଂ ଲାୟନ’ ନାମରେ ସାମରିକ ଅଭିଯାନ ଆରମ୍ଭ କରିଦେଲା। ଇରାନ୍‌ ଛାଡ଼ିବାର ଦେଶ ନୁହେଁ। ଏହା ‘ଟ୍ରୁ ପ୍ରୋମିଜ୍‌’ ନାମରେ ଅପରେଶନ କରି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତ ୩ ଦିନ ମଧ୍ୟରେ ଉଭୟ ପଟରେ ଧନଜୀବନ ହାନି ଘଟିଛି। ଇସ୍ରାଏଲ ୧୫ ଜୁନ୍‌ରେ ସରକାରୀ ଭାବେ ସୂଚନା ଦେଇ କହିଛି ଯେ ତା’ର ୧୩ ଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟପକ୍ଷରେ ଇରାନ ପକ୍ଷରୁ ସଦ୍ୟତମ ସଂଖ୍ୟା ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଜାତିସଂଘରେ ଥିବା ଏହାର ରାଷ୍ଟ୍ରଦୂତ କହିଛନ୍ତି, ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ରେ ଏହାର ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୦ ଜଣ ଆହତ ହୋଇଛନ୍ତି। ୧୫ ଜୁନ୍‌ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରାଟ ଆକାର ଧାରଣ କଲାଣି।
୭ ଅକ୍ଟୋବର ୨୦୨୩ରେ ହମାସ ସହ ଯୁଦ୍ଧ ଆରମ୍ଭ ହେବା ବେଳୁ ଇସ୍ରାଏଲ ବିପକ୍ଷରେ ଲେବାନନ ସମର୍ଥିତ ହେଜବୁଲ୍ଲା ଓ ଇରାନ ଯୁଦ୍ଧଂ ଦେହି ଡାକରା ଦେଇ ଆସୁଥିଲେ। ଏପରି କି ସିରିଆର ତତ୍କାଳୀନ ଅସାଦ୍‌ ସରକାର ଇସ୍ରାଏଲକୁ ଘୋର ବିରୋଧ କରିଥିଲା। ସମୟ କ୍ରମେ ଇସ୍ରାଏଲ କୌଶଳ କରି ହେଜ୍‌ବୁଲ୍ଲାକୁ ଦମନ କରିଥିବା ବେଳେ ରୁଷିଆ ସମର୍ଥିତ ଅସାଦ୍‌ ସରକାରକୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏବେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ପରମାଣୁ ସମ୍ବନ୍ଧୀୟ ଆଲୋଚନାରେ ବିଫଳ ହେଉଥିବା ଦେଖି ଇସ୍ରାଏଲ ଯୁଦ୍ଧ ସ୍ଥିତି ସୃଷ୍ଟି କରିଦେଇଛି। ପୂର୍ବରୁ ଆମେରିକା ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ଓ ଇସ୍ରାଏଲ ଯୁଦ୍ଧରେ ତାଙ୍କ ଦେଶର ହାତ ନାହିଁ। କିନ୍ତୁ କୌଣସି ଭାବେ ଯଦି ତାଙ୍କ ଦେଶର ସମ୍ପତ୍ତି କିମ୍ବା ଲୋକଙ୍କୁ ଇରାନ କ୍ଷତି ପହଞ୍ଚାଏ, ତାହା ହେଲେ ଆମେରିକୀୟ ସଶସ୍ତ୍ର ସେନାର ସମ୍ପୂର୍ଣ୍ଣ ଶକ୍ତି ତେହେରାନ ବିପକ୍ଷରେ ଏଭଳି ବ୍ୟବହାର କରାଯିବ ଯେ, ଯାହା ସେ କେବେ ଦେଖି ନ ଥିବ। ଏବେ ଟ୍ରମ୍ପ୍‌ ତାଙ୍କ ସୋସିଆଲ ମିଡିଆରେ କହିଛନ୍ତି, ଯୁଦ୍ଧଗ୍ରସ୍ତ ଉଭୟ ଦେଶ ଶାନ୍ତି ଆଲୋଚନାକୁ ଶୀଘ୍ର ଆସିବା ଦରକାର।
ଏଭଳି ପ୍ରଚ୍ଛଦପଟରେ ଦେଖିଲେ ଇରାନର ପରମାଣୁ କାର୍ଯ୍ୟକ୍ରମ ବିଷୟରେ ଅତ୍ୟଧିକ ଚର୍ଚ୍ଚା ହେଉଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଇରାନ ବହୁ ପରିମାଣରେ ୟୁରାନିୟମ ମହଜୁଦ କରିବାରେ ଲାଗିଛି। ଏଥିରେ କୁହାଯାଇଛି ଯେ, ଇରାନ ୪୦୦ କିଲୋଗ୍ରାମ୍‌ ୟୁରାନିୟମ ମହଜୁଦ କଲାଣି ଓ ସେଥିରୁ ୬୦ ପ୍ରତିଶତ ଶୁଦ୍ଧ ଥିବା ଜଣାପଡ଼ିଛି। ଆଗକୁ ୯୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ରଖିବାରେ ଇରାନ ପହଞ୍ଚତ୍ଗଲେ ତାହା ୯ରୁ ୧୦ଟି ପରମାଣୁ ବୋମା ତିଆରି କରିବାରେ ସକ୍ଷମ ହୋଇପାରେ। ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଇରାନ ଅଣୁ-ଅପ୍ରସାର ଚୁକ୍ତି (ଏନ୍‌ପିଟି) ଉଲ୍ଲଂଘନ କରିଥିବା ନେଇ ନିକଟରେ ଆଇଏଇଏ ଘୋଷଣା କରିଥିଲା। ସମ୍ଭବତଃ ଏହିସବୁ ବିଷୟକୁ ଏକତ୍ର କରି ଆମେରିକା ସହାୟତାରେ ଇସ୍ରାଏଲ ବଡ଼ ପଦକ୍ଷେପ ସ୍ବରୂପ ଇରାନ ଉପରେ ଆକ୍ରମଣ କରିଥାଇପାରେ। ତେବେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲୀ ଖୋମିନି କହିଛନ୍ତି, ଏଭଳି ଉତ୍ତେଜନା ସ୍ଥିତି ଲାଗି ରହିଲେ ଇରାନ ତା’ର ଆଣବିକ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରି ଏନ୍‌ପିଟିକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବ। ଏହା ହେଲେ ମଧ୍ୟପ୍ରାଚ୍ୟ ଆହୁରି ଅଶାନ୍ତ ହେବାର ସଙ୍କେତ ମିଳିଲାଣି। ଆଉ ଏକ ଦିଗକୁ ଦେଖିଲେ ଇରାନକୁ ସମର୍ଥନ କରୁଥିବା ରୁଷିଆ ଏବେ ଇସ୍ରାଏଲକୁ ଯୁଦ୍ଧ ପାଇଁ ନିନ୍ଦା କରିଛି। ୧୪ ଜୁନ୍‌ରେ ଟ୍ରମ୍ପ୍‌ଙ୍କ ୭୯ତମ ଜନ୍ମଦିନ ଥିବାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଟ୍ରମ୍ପ୍‌ଙ୍କୁ ପୁଟିନ୍‌ କହିଥିଲେ ଇସ୍ରାଏଲ-ଇରାନ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ଆମେରିକା କହୁ। ଅନ୍ୟପକ୍ଷରେ ଆପଣ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରନ୍ତୁ ବୋଲି ପୁଟିନ୍‌ଙ୍କୁ ଟ୍ରମ୍ପ୍‌ କହିଥିବା ବିଷୟ ଗଣମାଧ୍ୟମରୁ ଶୁଣିବାକୁ ମିଳିଛି। ଏଥିରୁ ବୁଝିବାରେ ଅସୁବିଧା ନାହିଁ ଯେ ଆଗକୁ ଯୁଦ୍ଧ ବିରାଟ ଆକାର ଧାରଣ କଲେ ପୁରୁଣା ଦିନର ଦୁଇ ମହାଶକ୍ତି ପରସ୍ପର ବିରୋଧରେ ପରୋକ୍ଷ ଯୁଦ୍ଧରେ ଅଂଶୀଦାର ହେବାକୁ ଏବେ ମଧ୍ୟ ହାଇଁପାଇଁ ରହିଛନ୍ତି।
ଏଭଳି ସ୍ଥଳେ ଭୂ-ରାଜନୈତିକ ସ୍ଥିତିକୁ ଦେଖିଲେ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ବଢ଼ିଯିବା ଥୟ। ଇତିମଧ୍ୟରେ ଅଶୋଧିତ ତେଲ ଦର ମଧ୍ୟ ବୃଦ୍ଧି ପାଇବା ଆରମ୍ଭ କଲାଣି। ଏହି ପରିପ୍ରେକ୍ଷୀରେ ଦେଖିଲେ ଇସ୍ରାଏଲ-ଇରାନ ଯୁଦ୍ଧ ଭାରତ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ। କାରଣ ଇରାନର ଚବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ଭାରତର ବାଣିଜ୍ୟ ପଥ ରହିଛି। ଆଜିର ସ୍ଥିତିରେ ଭାରତର କୂଟନୀତି ଏକ ବିରାଟ ଦ୍ୱନ୍ଦ୍ୱରେ ପଡ଼ିଛି। ପୂର୍ବରୁ ଘରୋଇ କମ୍ପାନୀକୁ ତୈଳ ଯୋଗାଇ ସାହାଯ୍ୟ କରିବାର ଆଭିମୁଖ୍ୟ ନେଇ ରୁଷିଆ ସାଙ୍ଗରେ ଅତ୍ୟଧିକ ଖୋଲାଖୋଲି ବନ୍ଧୁତ୍ୱ ଭାରତକୁ ଅସୁବିଧାରେ ପକାଇ ସାରିଛି। ପାକିସ୍ତାନ ସହିତ ୪ଦିନିଆ ଖଣ୍ଡା ବୁଲାଇବା ଅବସରରେ କୌଣସି ଦେଶ ଭାରତକୁ ସମର୍ଥନ ଜଣାଇ ନ ଥିଲେ। ରୁଷିଆ ମଧ୍ୟ ନୀରବ ରହିଥିଲା। ପୂର୍ବ ବିଫଳତାକୁ ଆଖିରେ ରଖି ଆଗାମୀ ଦିନଗୁଡ଼ିକରେ ଭାରତୀୟ କୂଟନୀତି ଅତ୍ୟନ୍ତ ସତର୍କ ହେବା ଆବଶ୍ୟକ।

Share