Categories: ଖେଳ

‘ଆଇପିଏଲ ଆୟୋଜନ ବଡ଼ ଚ୍ୟାଲେଞ୍ଜ’

ଦୁବାଇ,୨୮ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗ୍ରହୀ ଥିବା କଥା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)କୁ ଏକ ଚିଠି ଜରିଆରେ ଜଣାଇଛି। ୟୁଏଇରେ ଟୁର୍ନାମେଣ୍ଟ ଆୟୋଜନ କରିବା ଲାଗି ଇସିବି ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଗତ ସପ୍ତାହରେ ଆଇପିଏଲ୍‌ ଚେୟାରମ୍ୟାନ ବ୍ରିଜେଶ ପଟେଲ ଟୁର୍ନାମେଣ୍ଟର ତାରିଖ ଘୋଷଣା କରିଥିଲେ। ଏହା ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ କରିବା ଲାଗି ପ୍ରସ୍ତାବ ରହିଛି। ଇସିବି ସାଧାରଣ ସମ୍ପାଦକ ମୁବାସଶିର୍‌ ଉସ୍‌ମାନି କହିଛନ୍ତି ବିସିସିଆଇଠାରୁ ଆମେ ଅଫିସିଆଲ ଚିଠି ପାଇଥିଲେ ମଧ୍ୟ ଆଇପିଏଲ ଆୟୋଜନ ନେଇ ଭାରତ ସରକାରଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ସବୁଜ ସଂକେତ ପାଇଲେ ଆମେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିବୁ। କୋଭିଡ୍‌-୧୯ ବିପଦ ସତ୍ତ୍ୱେ ବିଦେଶରେ ୮ଟି ଦଳକୁ ନେଇ ଆଇପିଏଲ୍‌ ଆୟୋଜନ କରିବା ନିଶ୍ଚିତ ରୂପେ ଏକ ବଡ଼ ଚ୍ୟାଲେଞ୍ଜ। ହେଲେ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଆୟୋଜନ ଦ୍ୱାରା ୟୁଏଇ ଆର୍ଥିକ ଦୃଷ୍ଟକୋଣରୁ ଲାଭ ବାନ ହେବ ବୋଲି ଉସ୍‌ମାନି କହିଛନ୍ତି। ବିଶ୍ୱର ସର୍ବବୃହତ୍‌ ଟି୨୦ ଲିଗ୍‌ ଆୟୋଜନ କରିବାରେ ୟୁଏଇର ଅଭିଜ୍ଞତା ରହିଛି। ଭାରତରେ ସାଧାରଣ ନିର୍ବାଚନ ଯୋଗୁ ୨୦୧୪ ସଂସ୍କରଣର ଏକ ଅଂଶ ୟୁଏଇରେ ଆୟୋଜିତ ହୋଇଥିଲା। ଆଇପିଏଲ ଗଭର୍ନିଂ କାଉନସିଲ୍‌ ବୈଠକ ଖୁବ୍‌ ନିକଟରେ ବସିବ ବୋଲି ଆଶା କରାଯାଉଛି। ଏଥିରେ ଟୁର୍ନାମେଣ୍ଟ ଆୟୋଜନ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ ହେବ। ସଂଯୁକ୍ତ ଆରବ ଏମିରେଟ୍ସରେ କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଭଳି ମନେ ହେଉଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬୦୦୦ରୁ ଅଧିକ ରହିଛି। ତେବେ ଟୁର୍ନାମେଣ୍ଟ କଡ଼ା ସୁରକ୍ଷା ପ୍ରୋଟୋକଲ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଶ କରାଯାଏ।

Share