Categories: ଖେଳ

ଆଇପିଏଲ୍‌ ୨୦୨୦: ପ୍ରତ୍ୟାବର୍ତ୍ତନ ଆଶାରେ ରାଇନା

ନୂଆଦିଲ୍ଲୀ,୩।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିବା ପରେ ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ମୁହଁ ଖୋଲିଛନ୍ତି। ନିଜ ପରିବାର ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲି। ତେବେ ପୁଣି ଥରେ ଦୁବାଇ ଯାଇ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେଇ ପାରେ ବୋଲି ସେ କହିଛନ୍ତି। ଆଇପିଏଲ୍‌ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୫ ତାରିଖରେ ରାଇନା ତାଙ୍କ ପ୍ରିୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପଦାନୁସରଣ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଦୀର୍ଘଦିନର ଫ୍ରଞ୍ଚାଇଜ୍‌ ସହିତ ତାଙ୍କର ମତପାର୍ଥକ୍ୟ ହୋଇଥିବା ନେଇ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ୧୩ଟି କୋଭିଡ୍‌-୧୯ କେସ୍‌ ଦେଖିବାକୁ ମିଳିଛି। ଏଥିରେ ଦୁଇ ଖେଳାଳି ସାମିଲ ରହିଛନ୍ତି। ଏହି କାରଣରୁ ରାଇନା ଆଇପିଏଲ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଲୋଚନା ହେଉଛି।
ଓହରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଥିଲା। ପରିବାର ପାଇଁ ମୋତେ ଫେରିବାକୁ ପଡିଥିଲା। ସିଏସ୍‌କେ ମଧ୍ୟ ମୋ ପାଇଁ ଏକ ପରିବାର ଭଳି। ସେହିପରି ମାହି ଭାଇ (ମହେନ୍ଦ୍ର ସିଂ ଧୋନୀ) ମୋ ପାଇଁ ବେଶ୍‌ ଗୁରୁତ୍ୱ ବହନ କରନ୍ତି। ସିଏସ୍‌କେ ଓ ମୋ ମଧ୍ୟରେ କୌଣସି ମତପାର୍ଥକ୍ୟ ନାହିଁ। ବିନା କାରଣରେ ଏ ଭଳି ସ୍ଥିତିରେ ଓହରିବାକୁ ନିଷ୍ପତ୍ତି ନେଇନାହିଁ। ଆହୁରି ୪-୫ ବର୍ଷ ଆଇପିଏଲ୍‌ ଖେଳିପାରିବି। ଦୁବାଇରେ ସିଏସ୍‌କେ ଦଳ ସହ ଯୋଗ ଦେବି ବୋଲି ରାଇନା ସୂଚନା ଦେଇଛନ୍ତି। କ୍ୱାରାଣ୍ଟାଇନ୍‌ରେ ମଧ୍ୟ ଅଭ୍ୟାସ କରୁଥିଲି। ତେଣୁ ପୁଣି ଥରେ ସିଏସ୍‌କେ ଶିବିରରେ ଯୋଗ ଦେଇପାରେ ବୋଲି ରାଇନା କହିଛନ୍ତି।

Share