ଅଦୃଶ୍ୟ ମାତ୍ର ଅପହଞ୍ଚ ନୁହେଁ

ରଞ୍ଜନ କୁମାର ଦାସ

ପାଠକମାନେ ଲକ୍ଷ୍ୟ କରିଥିବେ ଛୋଟ ଛୋଟ କିରାନା ଦୋକାନରେ ମାଲିକଟି କାଉଣ୍ଟର ପାଖରେ ଦୃଶ୍ୟମାନ ଭାବେ ବସିଥାଏ। ଗରାଖଙ୍କ ବରାଦ ମୁତାବକ ଜିନିଷ ଆଣି ଦେବା ପାଇଁ ଦୋକାନରେ କାମ କରୁଥିବା ପିଲାଟି ଉପରେ ନିରନ୍ତର ପାଟି କରୁଥାଏ। ଦୋକାନଟିରେ ମାଲିକର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲାଗୁଥାଏ। ମାତ୍ର ଆଉ ଟିକିଏ ବଡ଼ ଦୋକାନ ଅର୍ଥାତ୍‌ ରିଲାଏନ୍‌ସ ବା ବିଗ୍‌ ବଜାରର ମଲ୍‌କୁ ଗଲେ ମାଲିକ ବା ମ୍ୟାନେଜର କେହି ଦୃଶ୍ୟମାନ ହେଉ ନ ଥାନ୍ତି। ସେଲସ୍‌ମ୍ୟାନ କଦବା କ୍ୱଚିତ ଦୃଷ୍ଟିରେ ପଡ଼ନ୍ତି। ଜିନିଷ ଦେବାକୁ କାହାକୁ ପାଟି କରିବାକୁ ପଡୁ ନ ଥାଏ। ଗରାଖ ତା’ର ଜିନିଷ ଆପେ ଆପେ ବାଛି ନଉଥାଏ। ତାଠୁ ବଡ଼ ଦୋକାନ ଆମାଜନ୍‌, ମିନ୍ତ୍ରା, ସ୍ନାପଡିଲ, ଫ୍ଲିପ୍‌କାର୍ଟ, ଇ-ବେ, ଜାବଙ୍ଗ ବା ହୋମଶପ୍‌ ଆଦିକୁ ଗଲେ ସେଠି ଆମୂଳଚୂଳ କେହି ଦୃଶ୍ୟମାନ ହୁଅନ୍ତି ନାହିଁ। ମାତ୍ର ଗ୍ରାହକ ଯାହା ଚାହେଁ ଆରାମରେ କିଣିପାରେ। ସେଇଭଳି ଗାଁରେ ଖରାଛୁଟିରେ ପିଲାଏ କରୁଥିବା ଡ୍ରାମାରେ ଡାଇରେକ୍ଟରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅହରହ ତା’ର ପାଟି ଓ ତା’ର ଗାଳି, ନାଟକ ସରିବା ଯାଏ ଶୁଭୁଥାଏ। ମାତ୍ର ଆଜିକାଲି ଫିଲ୍ମଫେୟାର, ତରଙ୍ଗ ଭଳି ବଡ଼ ବଡ଼ ଏଣ୍ଟରଟେନମେଣ୍ଟ ଶୋ ସବୁ ହେଇଯାଉଚି, ଯୋଉଥିରେ ହଜାର ହଜାର କଳାକାର ଦଳଦଳ ହୋଇ ଆସି ଯାହାପରେ ଯିଏ ପ୍ରଦର୍ଶନ କରି ଯାଉଛନ୍ତି, ମାତ୍ର ଇଭେଣ୍ଟ ମ୍ୟାନେଜରକୁ କୋଉଠି ଷ୍ଟେଜ ଆଗରେ ଧାଁ ଧପଡ଼ କରି ଚିତ୍କାର କରୁଥିବାର ଦେଖିବାକୁ ମିଳେନା।
ବଡ଼ ବଡ଼ ଅନ୍‌ଲାଇନ ଶପିଙ୍ଗ୍‌ ସାଇଟ୍‌ମାନେ ଯେଭଳି ବିଭିନ୍ନ ସାମଗ୍ରୀ ବିକନ୍ତି, ଇଭେଣ୍ଟ ମ୍ୟାନେଜର ଯେମିତି ବିଭିନ୍ନ ଆମୋଦପ୍ରମୋଦ ସେବା ବିତରଣ କରେ ନିତିଦିନିଆ ଜୀବନରେ ସେମିତି ସରକାର ଓ ପ୍ରଶାସନ ବିଭିନ୍ନ ସେବା ବିତରଣ କରନ୍ତି। ମାତ୍ର ଏଠି ଏ ପ୍ରାଙ୍ଗଣରେ ନିତିଦିନ ଏତେ ହୋହଲ୍ଲା କାହିଁକି ଶୁଭୁଥାଏ? କୋଉ ଜିନିଷଟି କିଏ କରିବା କଥା, କେବେ କରିବା କଥା, କେଉଁଭଳି ଢଙ୍ଗରେ ହେବା କଥା ତାକୁ ନେଇ ନିତିଦିନ ନାନା ତର୍କବିତର୍କ ଲାଗିଥାଏ। ଅନେକ ଜାଗାରେ ଦେଖାଯାଏ, ନିୟମକାନୁନ୍‌ ସବୁ ଠିକ୍‌ଥାଏ। ମାତ୍ର ତାକୁ କାର୍ଯ୍ୟକାରୀ କରୁଥିବା ଲୋକଙ୍କ ଯୋଗୁ ସବୁ ମାରା ହେଇଯାଏ। ଦାୟିତ୍ୱରେ ରହୁଥିବା ଲୋକେ ଦୁର୍ନୀତି, ପ୍ରିୟାପ୍ରୀତି, ଅବହେଳା, ତୋସରପାତ ଆଦି ଅନେକ ପ୍ରକାର କାର୍ଯ୍ୟରେ ଲିପ୍ତ ରହି ଅସନ୍ତୋଷ ଭାଜନ ହୁଅନ୍ତି। କେତେଗୁଡ଼ିଏ ଜାଗାରେ ସେମାନେ ନିୟମାନୁଯାୟୀ ନ କରି ନିଜ ଇଚ୍ଛା ବା ଅନ୍ୟର ଚାପ ଅନୁଯାୟୀ କାମ କରନ୍ତି। ସେଇଠୁ ସବୁ ବ୍ୟତିକ୍ରମର ଉପତ୍ତ୍ତି ହୁଏ। କର୍ମଚାରୀଟି ଯଦି ଲାଭଖୋର ହେଇଥିବ ତେବେ ଭାବେ ମୋର ଗୋଟିଏ ଦସ୍ତଖତରେ ଯଦି ଲୋକଟିର ଏତେ ଲାଭ ହବ ମତେ ସେଥିରୁ ଏତେ ଟିକେ ଦେଇଦେଲେ ତା’ର କ’ଣ କ୍ଷତି ହେବ? ତେଣୁ ସେତିକି ନ ପାଇବା ଯାଏ ସେ ଦସ୍ତଖତଟି ମାରିବ ନାହିଁ। ବିଚରା ସାଧାରଣ ଲୋକଟି ବାରମ୍ବାର ଦୌଡ଼ି ହନ୍ତସନ୍ତ ହବା ଅପେକ୍ଷା ଥରକରେ କାମ ତୁଟେଇ ଦେବା ଭଲ ବୋଲି ଭାବି ଯାହା ଦେବା କଥା ଦେଇଦେବ। ଏମିତି ପ୍ରକ୍ରିୟାଟିର ନିୟମିତୀକରଣ ଓ ନିରନ୍ତରୀକରଣ ହେଇଯାଏ।
ଏସବୁ ପ୍ରକାର ଦୁର୍ନୀତି ବା ପ୍ରିୟାପ୍ରୀତିକୁ ଏଡ଼େଇବା ପାଇଁ ଏବେ ଫେସ୍‌ଲେସ୍‌ ଆଡ୍‌ମିନିଷ୍ଟ୍ରେଶନ ବା ଅଦୃଶ୍ୟ ପ୍ରଶାସନ କଥା ଚିନ୍ତା କରାଯାଉଛି। ଜନସାଧାରଣଙ୍କର
ସରକାରୀ କାର୍ଯ୍ୟାଳୟକୁ ନ ଆସି, କୌଣସି ପ୍ରଶାସନ ବା କର୍ମଚାରୀଙ୍କ ଦ୍ୱାରସ୍ଥ ନ ହେଇ ଯଦି କାମ ହେଇପାରିବ ତାହାଲେ ହୁଏତ ଦୁର୍ନୀତିର ପରିସର କମିପାରିବ। ସେଥିପାଇଁ ଅନ୍‌ଲାଇନ ସେବା ବା ଇ-ଗଭର୍ନାନ୍‌ସର ପ୍ରକରଣ ଆରମ୍ଭ ହେଲାଣି। ଯେଉଁଠି ଫଟୋ ଉଠେଇବା ବା ଦସ୍ତଖତ କଲାଭଳି କାମରେ ଉପସ୍ଥିତି ଦରକାର ସେ କ୍ଷେତ୍ରରେ ଜନସାଧାରଣ ଆସି ପାରନ୍ତି। ମାତ୍ର ଖଜଣା ଦାଖଲ କରିବା, ବିଲ୍‌ ପୈଠ କରିବା, ଜାତିଗତ, ଆୟ ଆଦି ପ୍ରମାଣପତ୍ର ହାସଲ କରିବା ଭଳି ଦୈନନ୍ଦିନ କାମରେ ଜଣକର ଅଫିସ ଆସିବା କ’ଣ ଦରକାର? ଘରେ ଚୋରି ହେଇଚି, ଏଫଆଇଆର ଦେବା ପାଇଁ ଥାନାକୁ ଯିବା ନିହାତି ଜରୁରୀ ନୁହେଁ। ଘରେ ଲାଇନ କଟିଯାଇଚି ବା ପାଣିପାଇପ୍‌ ଫାଟି ଯାଇଚି ମ୍ୟୁନିସିପାଲିଟି ଅଫିସ ଯିବା କ’ଣ ଦରକାର। ଏସବୁ କାମ ପାଇଁ ଅନ୍‌ଲାଇନରେ ଦରଖାସ୍ତ ପଠେଇ ହବ। କୋଉ ସେବା କେତେଦିନ ଭିତରେ ଜଣେ ନାଗରିକ ପାଇପାରିବ ତାହା ମଧ୍ୟ ସରକାର ଧାର୍ଯ୍ୟ କଲେଣି। ସେତିକି ଦିନ ଭିତରେ ସେବା ନ ପାଇଲେ ଉପରୋକ୍ତ କ୍ଷତିପୂରଣ ପାଇବା ପାଇଁ ହକ୍‌ଦାର ହେବେ। ସେ କ୍ଷତିପୂରଣ ଅର୍ଥ ଅବହେଳା କରିଥିବା ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଆଦାୟ ହେବାର ବ୍ୟବସ୍ଥା ମଧ୍ୟ ହେଉଛି; ଯାହା ଫଳରେ କିଛି ପାଇବା ଆଶାରେ କେହି ଆଉ ଫାଇଲକୁ ଅଟକାଇ ରଖିପାରିବେ ନାହିଁ। ପ୍ରଶାସନ ସହ ସବୁବେଳେ ସାମ୍ନାସାମ୍ନି ହେବାର ଆବଶ୍ୟକତା ନାହିଁ। ସାମ୍ନାସାମ୍ନି ହେବାରୁ ବେଳେବେଳେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଛି। ତାକୁ ଏଡ଼ାଇବାକୁ ହେଲେ ପ୍ରଶାସନକୁ ନିରନ୍ତର ଭାବେ ପରଦା ଆଢ଼ୁଆଳରେ କ୍ରିୟାଶୀଳ ହେବାକୁ ପଡ଼ିବ। ପ୍ରଶାସନ ଅଦୃଶ୍ୟ ରହିଲେ ବି କିଛି ଅସୁବିଧା ନାହିଁ। ମାତ୍ର କହିବା କଥା ହେଲା ପ୍ରଶାସନ ଲୋକଙ୍କ ପାଇଁ ଅପହଞ୍ଚ ବା ଅସହଜ ନ ହେଉ।
ଆମ ଦେଶର ରାସ୍ତାଘାଟରେ ଦେଖିବେ ସବୁଠି ଟ୍ରାଫିକ୍‌ ସବୁଠି ପୋଲିସ। ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ଶୃଙ୍ଖଳିତ ନୁହେଁ। ଅନେକ ବିଦେଶ ରାଷ୍ଟ୍ରରେ ପୋଲିସ ଆଦୌ ଦେଖାଯାଆନ୍ତି ନାହିଁ। ମାତ୍ର ତାଙ୍କ ରାସ୍ତାଘାଟରେ ଗାଡ଼ି ମୋଟର ଠିକ୍‌ ଚାଲୁଥାଏ। ଗଣ୍ଡଗୋଳ, ପିକ୍‌ପକେଟିଂ, ଚେନସ୍ନାଚିଙ୍ଗ୍‌ ହଉ ନ ଥାଏ। କାରଣ ପୋଲିସ ସେଠି ଅଦୃଶ୍ୟ ଭାବେ ରହି ସବୁ ନିୟନ୍ତ୍ରଣ କରୁଥାଏ। ଦୁର୍ଘଟଣା ଘଟେଇ ଗାଡ଼ିଟିଏ ଚାଲିଗଲେ କମାଣ୍ଡ ସେଣ୍ଟରର ସିସିଟିଭି ଫୁଟେଜ ଦେଖି ଗାଡ଼ି ମାଲିକ ପାଖରେ ପୋଲିସ ଯାଇ ପହଞ୍ଚତ୍ ଥାଏ। ମାତ୍ର ଏଠି ଆମର ମାଳମାଳ ପୋଲିସ ଦିନରାତି ବୁଲିବୁଲି ସେତିକି ହେଇପାରେନା। ସୁଶାସନ ପାଇଁ ପ୍ରଶାସନ ସବୁବେଳେ ଦୃଶ୍ୟମାନ ହେବା ଦରକାର ନାହିଁ। ଥରେ ବ୍ୟବସ୍ଥାଟିକୁ ସୁସଙ୍ଗଠିତ କରିଦେଲେ, ନାଗରିକ ଯଦି ତା’ର ସୁଫଳ ପାଇଲେ ସେମାନେ କାହିଁକି ଆସି କୋଉ ଅଫିସର ବା କର୍ମଚାରୀଙ୍କୁ ଖୋଜିବେ, ତାଙ୍କୁ ଦର୍ଶନ କରିବାକୁ ଚାହିଁବେ? ତାଙ୍କର ତ କାମଟି ହେଇଯିବା ଦରକାର। ସେତିକି ହେଇଗଲେ ସେମାନେ ଖୁସି। ତେଣୁ ଦୃଶ୍ୟମାନ ହେବା ଅପେକ୍ଷା ହୃଦୟବାନ ହେବା ଓ ଫଳଦାୟୀ ହେବା ବେଶି ଜରୁରୀ। ଫଳଦାୟୀ ହେବା ବେଳକୁ ମନେରଖିବାକୁ ହେବ ଯେ ନିଃସର୍ତ୍ତ ଭାବେ ଫଳଦାୟୀ ହେବା ଦରକାର।
ପ୍ରଶାସନ ବା ସରକାର ଲୋକଙ୍କ ପାଇଁ କାମ କରିବା ହେଲା ତାଙ୍କ ନିଯୁକ୍ତି ଓ ଅସ୍ତିତ୍ୱର ଚରମ ଓ ପରମ ସର୍ତ୍ତ। ତା’ ଛଡ଼ା ଆଉ କୋଉ ସର୍ତ୍ତ ଆରୋପିତ କରିବା ଆପରାଧିକ। ପ୍ରଶାସନ ଓ ସରକାର ଯେଉଁଦିନ ବାସ୍ତବରେ ଲୋକଙ୍କ ଭଲ ପାଇଁ କାମ କରିବା ଆରମ୍ଭ କରିବ, ସେଦିନ ଲୋକେ ତାକୁ ଆପେ ଆପେ ବାହାବା ଦେବେ। ସେ କେଉଁଠି ଅଛି ତାକୁ ନ ଦେଖିଲେ ମଧ୍ୟ ତା’ର ଅସ୍ତିତ୍ୱ ଓ ଉପକାରିତା ଅନୁଭବ କରିବେ। ନିଃସ୍ବାର୍ଥପର, ନିଃସର୍ତ୍ତ, ନିରପେକ୍ଷ, ସହଜ ଓ ସୁଲଭ ସେବା ପ୍ରଦାନ କରିପାରିଲେ ଜନସାଧାରଣ ତାକୁ ହୃଦୟ ଭିତରେ ବସେଇ ରଖିବେ। ଯେଉଁ ସମୟରେ ଦରକାର ପଡ଼ିବ ପ୍ରଶାସନ ରାସ୍ତାକୁ ଓହ୍ଲେଇବାର ଆବଶ୍ୟକତା ଅଛି। ବାକି ସମୟରେ ଶାସନ ଅଧିକ ରହି ଶାସକୀୟତା କମ୍‌ ରହିଲେ ଭଲ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ, ଭୁବନେଶ୍ୱର
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri