ଅଦୃଶ୍ୟ ମାତ୍ର ଅପହଞ୍ଚ ନୁହେଁ

ରଞ୍ଜନ କୁମାର ଦାସ

ପାଠକମାନେ ଲକ୍ଷ୍ୟ କରିଥିବେ ଛୋଟ ଛୋଟ କିରାନା ଦୋକାନରେ ମାଲିକଟି କାଉଣ୍ଟର ପାଖରେ ଦୃଶ୍ୟମାନ ଭାବେ ବସିଥାଏ। ଗରାଖଙ୍କ ବରାଦ ମୁତାବକ ଜିନିଷ ଆଣି ଦେବା ପାଇଁ ଦୋକାନରେ କାମ କରୁଥିବା ପିଲାଟି ଉପରେ ନିରନ୍ତର ପାଟି କରୁଥାଏ। ଦୋକାନଟିରେ ମାଲିକର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲାଗୁଥାଏ। ମାତ୍ର ଆଉ ଟିକିଏ ବଡ଼ ଦୋକାନ ଅର୍ଥାତ୍‌ ରିଲାଏନ୍‌ସ ବା ବିଗ୍‌ ବଜାରର ମଲ୍‌କୁ ଗଲେ ମାଲିକ ବା ମ୍ୟାନେଜର କେହି ଦୃଶ୍ୟମାନ ହେଉ ନ ଥାନ୍ତି। ସେଲସ୍‌ମ୍ୟାନ କଦବା କ୍ୱଚିତ ଦୃଷ୍ଟିରେ ପଡ଼ନ୍ତି। ଜିନିଷ ଦେବାକୁ କାହାକୁ ପାଟି କରିବାକୁ ପଡୁ ନ ଥାଏ। ଗରାଖ ତା’ର ଜିନିଷ ଆପେ ଆପେ ବାଛି ନଉଥାଏ। ତାଠୁ ବଡ଼ ଦୋକାନ ଆମାଜନ୍‌, ମିନ୍ତ୍ରା, ସ୍ନାପଡିଲ, ଫ୍ଲିପ୍‌କାର୍ଟ, ଇ-ବେ, ଜାବଙ୍ଗ ବା ହୋମଶପ୍‌ ଆଦିକୁ ଗଲେ ସେଠି ଆମୂଳଚୂଳ କେହି ଦୃଶ୍ୟମାନ ହୁଅନ୍ତି ନାହିଁ। ମାତ୍ର ଗ୍ରାହକ ଯାହା ଚାହେଁ ଆରାମରେ କିଣିପାରେ। ସେଇଭଳି ଗାଁରେ ଖରାଛୁଟିରେ ପିଲାଏ କରୁଥିବା ଡ୍ରାମାରେ ଡାଇରେକ୍ଟରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅହରହ ତା’ର ପାଟି ଓ ତା’ର ଗାଳି, ନାଟକ ସରିବା ଯାଏ ଶୁଭୁଥାଏ। ମାତ୍ର ଆଜିକାଲି ଫିଲ୍ମଫେୟାର, ତରଙ୍ଗ ଭଳି ବଡ଼ ବଡ଼ ଏଣ୍ଟରଟେନମେଣ୍ଟ ଶୋ ସବୁ ହେଇଯାଉଚି, ଯୋଉଥିରେ ହଜାର ହଜାର କଳାକାର ଦଳଦଳ ହୋଇ ଆସି ଯାହାପରେ ଯିଏ ପ୍ରଦର୍ଶନ କରି ଯାଉଛନ୍ତି, ମାତ୍ର ଇଭେଣ୍ଟ ମ୍ୟାନେଜରକୁ କୋଉଠି ଷ୍ଟେଜ ଆଗରେ ଧାଁ ଧପଡ଼ କରି ଚିତ୍କାର କରୁଥିବାର ଦେଖିବାକୁ ମିଳେନା।
ବଡ଼ ବଡ଼ ଅନ୍‌ଲାଇନ ଶପିଙ୍ଗ୍‌ ସାଇଟ୍‌ମାନେ ଯେଭଳି ବିଭିନ୍ନ ସାମଗ୍ରୀ ବିକନ୍ତି, ଇଭେଣ୍ଟ ମ୍ୟାନେଜର ଯେମିତି ବିଭିନ୍ନ ଆମୋଦପ୍ରମୋଦ ସେବା ବିତରଣ କରେ ନିତିଦିନିଆ ଜୀବନରେ ସେମିତି ସରକାର ଓ ପ୍ରଶାସନ ବିଭିନ୍ନ ସେବା ବିତରଣ କରନ୍ତି। ମାତ୍ର ଏଠି ଏ ପ୍ରାଙ୍ଗଣରେ ନିତିଦିନ ଏତେ ହୋହଲ୍ଲା କାହିଁକି ଶୁଭୁଥାଏ? କୋଉ ଜିନିଷଟି କିଏ କରିବା କଥା, କେବେ କରିବା କଥା, କେଉଁଭଳି ଢଙ୍ଗରେ ହେବା କଥା ତାକୁ ନେଇ ନିତିଦିନ ନାନା ତର୍କବିତର୍କ ଲାଗିଥାଏ। ଅନେକ ଜାଗାରେ ଦେଖାଯାଏ, ନିୟମକାନୁନ୍‌ ସବୁ ଠିକ୍‌ଥାଏ। ମାତ୍ର ତାକୁ କାର୍ଯ୍ୟକାରୀ କରୁଥିବା ଲୋକଙ୍କ ଯୋଗୁ ସବୁ ମାରା ହେଇଯାଏ। ଦାୟିତ୍ୱରେ ରହୁଥିବା ଲୋକେ ଦୁର୍ନୀତି, ପ୍ରିୟାପ୍ରୀତି, ଅବହେଳା, ତୋସରପାତ ଆଦି ଅନେକ ପ୍ରକାର କାର୍ଯ୍ୟରେ ଲିପ୍ତ ରହି ଅସନ୍ତୋଷ ଭାଜନ ହୁଅନ୍ତି। କେତେଗୁଡ଼ିଏ ଜାଗାରେ ସେମାନେ ନିୟମାନୁଯାୟୀ ନ କରି ନିଜ ଇଚ୍ଛା ବା ଅନ୍ୟର ଚାପ ଅନୁଯାୟୀ କାମ କରନ୍ତି। ସେଇଠୁ ସବୁ ବ୍ୟତିକ୍ରମର ଉପତ୍ତ୍ତି ହୁଏ। କର୍ମଚାରୀଟି ଯଦି ଲାଭଖୋର ହେଇଥିବ ତେବେ ଭାବେ ମୋର ଗୋଟିଏ ଦସ୍ତଖତରେ ଯଦି ଲୋକଟିର ଏତେ ଲାଭ ହବ ମତେ ସେଥିରୁ ଏତେ ଟିକେ ଦେଇଦେଲେ ତା’ର କ’ଣ କ୍ଷତି ହେବ? ତେଣୁ ସେତିକି ନ ପାଇବା ଯାଏ ସେ ଦସ୍ତଖତଟି ମାରିବ ନାହିଁ। ବିଚରା ସାଧାରଣ ଲୋକଟି ବାରମ୍ବାର ଦୌଡ଼ି ହନ୍ତସନ୍ତ ହବା ଅପେକ୍ଷା ଥରକରେ କାମ ତୁଟେଇ ଦେବା ଭଲ ବୋଲି ଭାବି ଯାହା ଦେବା କଥା ଦେଇଦେବ। ଏମିତି ପ୍ରକ୍ରିୟାଟିର ନିୟମିତୀକରଣ ଓ ନିରନ୍ତରୀକରଣ ହେଇଯାଏ।
ଏସବୁ ପ୍ରକାର ଦୁର୍ନୀତି ବା ପ୍ରିୟାପ୍ରୀତିକୁ ଏଡ଼େଇବା ପାଇଁ ଏବେ ଫେସ୍‌ଲେସ୍‌ ଆଡ୍‌ମିନିଷ୍ଟ୍ରେଶନ ବା ଅଦୃଶ୍ୟ ପ୍ରଶାସନ କଥା ଚିନ୍ତା କରାଯାଉଛି। ଜନସାଧାରଣଙ୍କର
ସରକାରୀ କାର୍ଯ୍ୟାଳୟକୁ ନ ଆସି, କୌଣସି ପ୍ରଶାସନ ବା କର୍ମଚାରୀଙ୍କ ଦ୍ୱାରସ୍ଥ ନ ହେଇ ଯଦି କାମ ହେଇପାରିବ ତାହାଲେ ହୁଏତ ଦୁର୍ନୀତିର ପରିସର କମିପାରିବ। ସେଥିପାଇଁ ଅନ୍‌ଲାଇନ ସେବା ବା ଇ-ଗଭର୍ନାନ୍‌ସର ପ୍ରକରଣ ଆରମ୍ଭ ହେଲାଣି। ଯେଉଁଠି ଫଟୋ ଉଠେଇବା ବା ଦସ୍ତଖତ କଲାଭଳି କାମରେ ଉପସ୍ଥିତି ଦରକାର ସେ କ୍ଷେତ୍ରରେ ଜନସାଧାରଣ ଆସି ପାରନ୍ତି। ମାତ୍ର ଖଜଣା ଦାଖଲ କରିବା, ବିଲ୍‌ ପୈଠ କରିବା, ଜାତିଗତ, ଆୟ ଆଦି ପ୍ରମାଣପତ୍ର ହାସଲ କରିବା ଭଳି ଦୈନନ୍ଦିନ କାମରେ ଜଣକର ଅଫିସ ଆସିବା କ’ଣ ଦରକାର? ଘରେ ଚୋରି ହେଇଚି, ଏଫଆଇଆର ଦେବା ପାଇଁ ଥାନାକୁ ଯିବା ନିହାତି ଜରୁରୀ ନୁହେଁ। ଘରେ ଲାଇନ କଟିଯାଇଚି ବା ପାଣିପାଇପ୍‌ ଫାଟି ଯାଇଚି ମ୍ୟୁନିସିପାଲିଟି ଅଫିସ ଯିବା କ’ଣ ଦରକାର। ଏସବୁ କାମ ପାଇଁ ଅନ୍‌ଲାଇନରେ ଦରଖାସ୍ତ ପଠେଇ ହବ। କୋଉ ସେବା କେତେଦିନ ଭିତରେ ଜଣେ ନାଗରିକ ପାଇପାରିବ ତାହା ମଧ୍ୟ ସରକାର ଧାର୍ଯ୍ୟ କଲେଣି। ସେତିକି ଦିନ ଭିତରେ ସେବା ନ ପାଇଲେ ଉପରୋକ୍ତ କ୍ଷତିପୂରଣ ପାଇବା ପାଇଁ ହକ୍‌ଦାର ହେବେ। ସେ କ୍ଷତିପୂରଣ ଅର୍ଥ ଅବହେଳା କରିଥିବା ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଆଦାୟ ହେବାର ବ୍ୟବସ୍ଥା ମଧ୍ୟ ହେଉଛି; ଯାହା ଫଳରେ କିଛି ପାଇବା ଆଶାରେ କେହି ଆଉ ଫାଇଲକୁ ଅଟକାଇ ରଖିପାରିବେ ନାହିଁ। ପ୍ରଶାସନ ସହ ସବୁବେଳେ ସାମ୍ନାସାମ୍ନି ହେବାର ଆବଶ୍ୟକତା ନାହିଁ। ସାମ୍ନାସାମ୍ନି ହେବାରୁ ବେଳେବେଳେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଛି। ତାକୁ ଏଡ଼ାଇବାକୁ ହେଲେ ପ୍ରଶାସନକୁ ନିରନ୍ତର ଭାବେ ପରଦା ଆଢ଼ୁଆଳରେ କ୍ରିୟାଶୀଳ ହେବାକୁ ପଡ଼ିବ। ପ୍ରଶାସନ ଅଦୃଶ୍ୟ ରହିଲେ ବି କିଛି ଅସୁବିଧା ନାହିଁ। ମାତ୍ର କହିବା କଥା ହେଲା ପ୍ରଶାସନ ଲୋକଙ୍କ ପାଇଁ ଅପହଞ୍ଚ ବା ଅସହଜ ନ ହେଉ।
ଆମ ଦେଶର ରାସ୍ତାଘାଟରେ ଦେଖିବେ ସବୁଠି ଟ୍ରାଫିକ୍‌ ସବୁଠି ପୋଲିସ। ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ଶୃଙ୍ଖଳିତ ନୁହେଁ। ଅନେକ ବିଦେଶ ରାଷ୍ଟ୍ରରେ ପୋଲିସ ଆଦୌ ଦେଖାଯାଆନ୍ତି ନାହିଁ। ମାତ୍ର ତାଙ୍କ ରାସ୍ତାଘାଟରେ ଗାଡ଼ି ମୋଟର ଠିକ୍‌ ଚାଲୁଥାଏ। ଗଣ୍ଡଗୋଳ, ପିକ୍‌ପକେଟିଂ, ଚେନସ୍ନାଚିଙ୍ଗ୍‌ ହଉ ନ ଥାଏ। କାରଣ ପୋଲିସ ସେଠି ଅଦୃଶ୍ୟ ଭାବେ ରହି ସବୁ ନିୟନ୍ତ୍ରଣ କରୁଥାଏ। ଦୁର୍ଘଟଣା ଘଟେଇ ଗାଡ଼ିଟିଏ ଚାଲିଗଲେ କମାଣ୍ଡ ସେଣ୍ଟରର ସିସିଟିଭି ଫୁଟେଜ ଦେଖି ଗାଡ଼ି ମାଲିକ ପାଖରେ ପୋଲିସ ଯାଇ ପହଞ୍ଚତ୍ ଥାଏ। ମାତ୍ର ଏଠି ଆମର ମାଳମାଳ ପୋଲିସ ଦିନରାତି ବୁଲିବୁଲି ସେତିକି ହେଇପାରେନା। ସୁଶାସନ ପାଇଁ ପ୍ରଶାସନ ସବୁବେଳେ ଦୃଶ୍ୟମାନ ହେବା ଦରକାର ନାହିଁ। ଥରେ ବ୍ୟବସ୍ଥାଟିକୁ ସୁସଙ୍ଗଠିତ କରିଦେଲେ, ନାଗରିକ ଯଦି ତା’ର ସୁଫଳ ପାଇଲେ ସେମାନେ କାହିଁକି ଆସି କୋଉ ଅଫିସର ବା କର୍ମଚାରୀଙ୍କୁ ଖୋଜିବେ, ତାଙ୍କୁ ଦର୍ଶନ କରିବାକୁ ଚାହିଁବେ? ତାଙ୍କର ତ କାମଟି ହେଇଯିବା ଦରକାର। ସେତିକି ହେଇଗଲେ ସେମାନେ ଖୁସି। ତେଣୁ ଦୃଶ୍ୟମାନ ହେବା ଅପେକ୍ଷା ହୃଦୟବାନ ହେବା ଓ ଫଳଦାୟୀ ହେବା ବେଶି ଜରୁରୀ। ଫଳଦାୟୀ ହେବା ବେଳକୁ ମନେରଖିବାକୁ ହେବ ଯେ ନିଃସର୍ତ୍ତ ଭାବେ ଫଳଦାୟୀ ହେବା ଦରକାର।
ପ୍ରଶାସନ ବା ସରକାର ଲୋକଙ୍କ ପାଇଁ କାମ କରିବା ହେଲା ତାଙ୍କ ନିଯୁକ୍ତି ଓ ଅସ୍ତିତ୍ୱର ଚରମ ଓ ପରମ ସର୍ତ୍ତ। ତା’ ଛଡ଼ା ଆଉ କୋଉ ସର୍ତ୍ତ ଆରୋପିତ କରିବା ଆପରାଧିକ। ପ୍ରଶାସନ ଓ ସରକାର ଯେଉଁଦିନ ବାସ୍ତବରେ ଲୋକଙ୍କ ଭଲ ପାଇଁ କାମ କରିବା ଆରମ୍ଭ କରିବ, ସେଦିନ ଲୋକେ ତାକୁ ଆପେ ଆପେ ବାହାବା ଦେବେ। ସେ କେଉଁଠି ଅଛି ତାକୁ ନ ଦେଖିଲେ ମଧ୍ୟ ତା’ର ଅସ୍ତିତ୍ୱ ଓ ଉପକାରିତା ଅନୁଭବ କରିବେ। ନିଃସ୍ବାର୍ଥପର, ନିଃସର୍ତ୍ତ, ନିରପେକ୍ଷ, ସହଜ ଓ ସୁଲଭ ସେବା ପ୍ରଦାନ କରିପାରିଲେ ଜନସାଧାରଣ ତାକୁ ହୃଦୟ ଭିତରେ ବସେଇ ରଖିବେ। ଯେଉଁ ସମୟରେ ଦରକାର ପଡ଼ିବ ପ୍ରଶାସନ ରାସ୍ତାକୁ ଓହ୍ଲେଇବାର ଆବଶ୍ୟକତା ଅଛି। ବାକି ସମୟରେ ଶାସନ ଅଧିକ ରହି ଶାସକୀୟତା କମ୍‌ ରହିଲେ ଭଲ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ, ଭୁବନେଶ୍ୱର
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri