ଚାଷ କରି ଅଧିକ ଆୟ କରିବାଠାରୁ ପ୍ରାଣୀଙ୍କ ଜୀବନ ଅଧିକ ମୂଲ୍ୟବାନ୍ ସାବ୍ୟସ୍ତ ହୋଇଛି ଜଣେ କୃଷକଙ୍କ ପାଇଁ। ଏହି କୃଷକ ଜଣକ ହେଉଛନ୍ତି ତାମିଲନାଡୁର ଆର୍. ଗୁରୁସ୍ବାମୀ। ପୁଡୁପାଲାୟାମ ଗଁାରେ ତାଙ୍କ ଘର। ସେ ହରିଣଙ୍କ ସୁରକ୍ଷା ଲାଗି ୫୦ ଏକର ପୈତୃକ ଜମି ଛାଡ଼ି ଦେଇଛନ୍ତି। ୨୦ ବର୍ଷ ହେବ ହରିଣଙ୍କ ପାଇଁ ଏହି ଜମି ଏକ ସୁରକ୍ଷିତ ସ୍ବର୍ଗ ହୋଇପାରିଛି। ନିକଟସ୍ଥ ଜଙ୍ଗଲରେ ଖାଦ୍ୟ ଓ ଜଳର ଅଭାବ ରହିଥିବାବେଳେ ଗୁରୁସ୍ବାମୀଙ୍କ ଜମିରେ ସେମାନେ ସୁରକ୍ଷିତ ଭାବେ ବିଚରଣ କରିବା ସହ ଖାଦ୍ୟ ଓ ପାଣି ପାଉଛନ୍ତି। ସେହି ଜମିରେ ଦୁଇଟିି ପୋଖରୀ ମଧ୍ୟ ଖୋଳିଛନ୍ତି। ସେଠାରେ ପ୍ରାୟ ୧,୮୦୦ ହରିଣ ରହିଛନ୍ତି। ୧୯୯୮ରେ ସେ ପ୍ରଥମେ ତାଙ୍କ ଜମିରେ ହରିଣ ଘାସ ଖାଉଥିତ୍ବା ଦେଖିବା ପରେ ସେହି ଜମିକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, ହରିଣ ଶିକାର କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ସେ ସ୍ଥାନୀୟ ପ୍ରଶାସନର ସହଯୋଗ ନେଉଛନ୍ତି। ପ୍ରଶାସନ ତରଫରୁ ହରିଣଙ୍କୁ ଜଗିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


