ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି ଅଞ୍ଚଳରେ ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କରିଥିବା ବେଳେ ୯ଟି ଚୋରି ବାଇକ ଉଦ୍ଧାର କରିଛି । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ତଥା କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ନେତୃତ୍ୱରେ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୭ ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ମ.ରାମପୁର ଥାନା ଅନ୍ତର୍ଗତ ଅଳାଁପାଲି ଗ୍ରାମର ଆଶିଷ ମାଝୀ, ବାଞ୍ଜିପଦର ଗ୍ରାମର ସୁଦାମ ସୁନା, ବାଞ୍ଜିପଦର ଗ୍ରାମର ସରଜ ସାହୁ, ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ବଡମାଳ ଗ୍ରାମର ଯୁଧିଷ୍ଠିର ବାଗ (ଚିଣ୍ଟୁ), ଅଳାଁପାଲି ଗ୍ରାମର ରଘୁନାଥ ସାହୁ (ବବଲୁ), କିଶାନ ମାଝୀ । ସେମାନଙ୍କ ଠାରୁ ୮ଟି ବାଇକ ଉଦ୍ଧାର କରାଯାଇଛି । ବାଇକ ଗୁଡିକ ଦାମିକିଆ ଅଟେ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମାଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ମ.ରାମପୁର ଥାନାରେ କେସ୍ ନଂ-୧୫୬ ରେ ଏକ ମାମଲା ରୁଜୁ ହୋଇଛି।

