ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ପ୍ରସୂତୀ ଜଣକ ହେଲେ ବାଣପୁର ବଡ଼ ହନ୍ତୁଆଡ଼ ହରିଜନ ସାହିର ପାୟଲ ନାୟକ। ଡାକ୍ତରଙ୍କ ଅବହେଳା ଯୋଗୁ ହିଁ ପାୟଲଙ୍କ ଜୀବନ ଯାଇଥିବା ନେଇ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ବୁଧବାର ସକାଳେ ପାୟଲଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦିନତମାମ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ସା ସମୟରେ ପ୍ରସବ ପୀଡ଼ା ଅଧିକ ହେବାରୁ ଅସ୍ତ୍ରୋପଚାର (Operation) ପାଇଁ ଡାକ୍ତର ରମାକାନ୍ତ ନାୟକ ତାଙ୍କୁ ଓଟି (OT)କୁ ନେଇଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସା ୫ଟା ପର୍ଯ୍ୟନ୍ତ ପାୟଲ ସମ୍ପୂର୍ଣ୍ଣ ସୁସ୍ଥ ଓ ଠିକ ଥିଲେ।
ଅଭିଯୋଗ ମୁତାବକ, ସନ୍ଧ୍ୟା ପ୍ରାୟ ୫:୩୦ ମିନିଟ ସମୟରେ ପାୟଲଙ୍କୁ ଫିଡ୍ସ (ବାତ) ମାରିଥିଲା ବୋଲି କହି ଡାକ୍ତର କିଛି ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ପରିବାର ଲୋକେ ଯେତେବେଳେ ପାୟଲଙ୍କୁ ଦେଖିବାକୁ ପାଇଲେ, ସେତେବେଳକୁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇପଡ଼ିଥିଲା।
ସନ୍ଧ୍ୟା ପ୍ରାୟ ୬:୪୦ ସମୟରେ ପ୍ରସୂତୀଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଇ ଡାକ୍ତର ରମାକାନ୍ତ ନାୟକ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ ଅନ୍ୟ ଜଣେ ଡାକ୍ତର ଅନିରୁଦ୍ଧଙ୍କୁ ଦାୟିତ୍ୱ ଦେଇ ମେଡିକାଲ ଛାଡ଼ି ଚାଲିଯାଇଥିଲେ। ମାତ୍ର ସେତେବେଳକୁ ପାୟଲଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ପରିବାର ଲୋକେ ଦେଖିବାକୁ ପାଇଥିଲେ। ଡାକ୍ତରମାନେ ନିଜ ଦୋଷ ଲୁଚାଇବା ପାଇଁ ଏକ ମୃତଦେହକୁ ଭୁବନେଶ୍ୱର ରେଫର କରୁଥିଲେ ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ବଡ଼ ହନ୍ତୁଆଡ଼ ଗ୍ରାମବାସୀ ଓ ପରିବାର ଲୋକଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଓ ଉତ୍ତେଜନା ଦେଖାଦେଇଛି।
ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରସୂତୀଙ୍କର ହଠାତ ଫିଡ୍ସ ମାରିବା ଯୋଗୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହିଁ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା, ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
Dharitri – Odisha’s No.1 Odia Daily

Share