ସୂଚନା ମହାମାରୀ

ଈପ୍ସିତା ମହାନ୍ତି

 

ଭାରତ ସମେତ ସମଗ୍ର ବିଶ୍ୱ ଆଜି କୋଭିଡ୍‌-୧୯ ସହିତ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହୋଇଛି, ଯାହାକୁ ‘ଇନ୍‌ଫୋଡେମିକ୍‌’ ବା ‘ସୂଚନା ମହାମାରୀ’ କୁହାଯାଉଛି। ଏଥିପ୍ରତି ଆମେ ସମସ୍ତେ ସାବଧାନ ରହିବା ଆବଶ୍ୟକ। କାରଣ ଅପତଥ୍ୟ ଓ ଭ୍ରାନ୍ତସୂଚନା ସର୍ବଦା ଦ୍ରୁତବେଗରେ ପ୍ରଚାରିତ ଓ ପ୍ରସାରିତ ହୋଇଥାଏ। ଡିଜିଟାଲ୍‌ ମାଧ୍ୟମରେ ବ୍ୟାପୁଥିବା ଭୁଲ ତଥ୍ୟ ତଥା ମନଗଢ଼ା କାହାଣୀ ଲୋକଙ୍କ ସମସ୍ୟା ବଢ଼ାଇ ଚାଲିଛି। ବିଡ଼ମ୍ବନାର ବିଷୟ, ପ୍ରଯୁକ୍ତି ବିଜ୍ଞାନ ମଣିଷର ଦୃଷ୍ଟିକୁ ଯେତିକି ପ୍ରସାରିତ କରିଚାଲିଛି, ଭୁଲ୍‌ ସୂଚନା ଓ ଅନ୍ଧବିଶ୍ବାସକୁ ମଧ୍ୟ ସେତିକି ବେଗରେ ପ୍ରଚାର କରୁଛି। ଏହି କାରଣରୁ ସାରା ବିଶ୍ୱରେ କରୋନା ସହ ଜଡ଼ିତ ବିଭିନ୍ନ ପ୍ରକାରର ଗୁଜବ ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।
ସୂଚନା ମହାମାରୀ କରୋନାଠାରୁ ଅଧିକ ବିପଜ୍ଜନକ ମନେହେଉଛି। କିଛି ଲୋକ ଅଛନ୍ତି ଯେଉଁମାନେ କରୋନାର ଗମ୍ଭୀରତା ଏବଂ ପ୍ରଭାବକୁ କେବଳ ସାଧାରଣ ଥଣ୍ଡା, ସର୍ଦ୍ଦି ଓ କାଶ ସହ ତୁଳନା କରୁନାହାନ୍ତି ବରଂ ଏହାକୁ ଅତି ସାଧାରଣ ଭାବେ ଚିତ୍ରଣ କରୁଛନ୍ତି। ଏଥିସହ, କରୋନାର ପ୍ରତିଷେଧକ ବ୍ୟବସ୍ଥାକୁ ଅଣଦେଖା କରିଚାଲିଛନ୍ତି ଏବଂ ଏହାର ଅସ୍ତିତ୍ୱକୁ ମଧ୍ୟ ଅସ୍ବୀକାର କରୁଛନ୍ତି। କିଏ ଶରୀରରେ ଗୋବର ଲେପିହେଲେ ଏବଂ ଗୋମୂତ୍ର ପାନକଲେ କରୋନା ହେବନାହିଁ ବୋଲି ଭାବୁଚି, ତ ଆଉକିଏ ଘଷି ଜାଳି ପାଖରେ ରହିଲେ ଶରୀରରେ ଅମ୍ଳଜାନ ବୃଦ୍ଧି ହେବ ବୋଲି କହୁଚି। ଏସବୁ ବିଜ୍ଞାନ ଅସମ୍ମତ ଓ ଅନ୍ଧ ବିଶ୍ୱାସ ଭରା ସୂଚନାର ପ୍ରଚାରପ୍ରସାର ଯୋଗୁ ପରିସ୍ଥିତି ଅଧିକ ମାରାତ୍ମକ ହୋଇ ଉଠିଛି। ଅତୀତରେ ବହୁ ବିବାଦୀୟ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିବା ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ନିକଟରେ କହିଥିଲେ ଯେ, ନିତି ଦେଶୀ ଗାଈର ମୂତ୍ର ପାନ କଲେ ଆମର ଫୁସ୍‌ଫୁସ୍‌ ସଂକ୍ରମିତ ହେବନାହିଁ। ସେ ପ୍ରତିଦିନ ଏହା ପିଉଥିବାରୁ କରୋନା ତାଙ୍କୁ ଶିକାର କରିପାରୁନାହିଁ। କିଛି ନ୍ୟସ୍ତସ୍ବାର୍ଥ ଲୋକ ଇଣ୍ଟରନେଟ୍‌ ସହାୟତାରେ ଏଭଳି ମିଥ୍ୟା ତଥ୍ୟ ଓ ସିଦ୍ଧାନ୍ତକୁ ବ୍ୟାପକ ପ୍ରଚାର ପ୍ରସାର କରି ଚାଲିଛନ୍ତି। ଏମାନଙ୍କ ପାଇଁ ଅମୋଘ ଅସ୍ତ୍ର ପାଲଟିଛି ବିଭିନ୍ନ ସାମାଜିକ ଗଣମାଧ୍ୟମ। ସାମାଜିକ ଗଣମାଧ୍ୟମରେ ଉଭୟ ଭଲମନ୍ଦ ଓ ଭୁଲଠିକ୍‌ ଖବର ଆଖି ପିଛୁଳାକେ ହଜାର ହଜାର ଲୋକଙ୍କ ପାଖରେ ପହଞ୍ଚିଯାଉଛି; ଯାହା ପରିସ୍ଥିତିକୁ ଆହୁରି ସଙ୍ଗିନ କରୁଅଛି।
କେତେକ ଲୋକ କୋଭିଡ୍‌-୧୯, ମୌସୁମୀ ଭୂତାଣୁ ବା ଫ୍ଲ୍ୟୁଠାରୁ ଅଧିକ ବିପଜ୍ଜନକ ନୁହେଁ ବୋଲି କହୁଛନ୍ତି। ଆଉ କିଛି ଲୋକ କରୋନାର ପ୍ରତିଷେଧକ ପାଇଁ ଆବିଷ୍କୃତ ହୋଇଥିବା ସମସ୍ତ ଟିକା ଅସୁରକ୍ଷିତ ଏବଂ ଏସବୁ ମାରାତ୍ମକ ବୋଲି ଭୁଲ ପ୍ରଚାର କରିଚାଲିଛନ୍ତି। କେହି କେହି ଧୂମପାନ, ମଦ୍ୟପାନ ଏବଂ ଗଞ୍ଜେଇ ସେବନ ଦ୍ୱାରା କରୋନାକୁ ଏଡ଼ାଇ ଦିଆଯାଇପାରେ କହୁଥିବା ବେଳେ ଆଉ କେହି କେହି ୫ଜି ପରୀକ୍ଷଣର ପରିଣାମରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହୁଛନ୍ତି। ମୋଟାମୋଟି ଭାବେ ତର୍ଜମା କଲେ ଜାଣିପାରିବା ଯେ, ଆମ ଚାରିପାଖରେ କୋଭିଡ ସହ ଜଡିତ ବ୍ୟାପକ ସୂଚନା ଏବଂ ଖବରର ଏକ ବିସ୍ଫୋରଣ ଘଟିଛି।
କେତେକ ଲୋକଙ୍କ ପାଇଁ କରୋନା ଭୂତାଣୁ କୌଣସି ବରଦାନଠାରୁ କମ୍‌ ନୁହେଁ। ଯେଉଁମାନେ କରୋନାର କାରଣ, ନିରାକରଣକୁ ନିଜ ଅଜ୍ଞତା ଏବଂ ଅନ୍ଧବିଶ୍ୱାସ ଦୃଷ୍ଟିରେ ବୁଝି ତାହାକୁ ଜ୍ଞାନର ଅସ୍ତ୍ର ଭାବରେ ପ୍ରଦର୍ଶନ କରିବାକୁ ଚାହିଁଥାନ୍ତି। ଇଣ୍ଟରନେଟ୍‌ ଯୁଗରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଆଜି ଅନେକ ଲୋକଙ୍କୁ ଡାକ୍ତର, ବୈଜ୍ଞାନିକ, କରୋନା ବିଶେଷଜ୍ଞ ଏବଂ ସର୍ବଜ୍ଞାନୀ ଭାବେ ଗଢ଼ି ତୋଳିଛି। ଏମାନେ ହିଁ ଡିଜିଟାଲ କୌଶଳର ସହାୟତାରେ ବିଭିନ୍ନ ବିଭ୍ରାନ୍ତିକର ସୂଚନା ଏବଂ ଭୁଲ୍‌ ଖବର ପ୍ରଚାରିତ କରି ଲୋକଙ୍କୁ ଭ୍ରମିତ କରିଚାଲିଛନ୍ତି। ଉଦାହରଣ ସ୍ବରୂପ- ସମ୍ପ୍ରତି ଆମ ଦେଶର ଏକାଧିକ ରାଜ୍ୟରେ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହି କାରଣରୁ ଅକାଳରେ ଅନେକଙ୍କ ଜୀବନ ଚାଲିଯାଉଛି। ଏତିକିବେଳେ କେତେକ ସ୍ବଘୋଷିତ ବୁଦ୍ଧିଜୀବୀ, ବିଶେଷଜ୍ଞ ଓ ପଣ୍ଡିତ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଶରୀରରେ ଅମ୍ଳଜାନର ସାଚୁରେସନ୍‌ ସ୍ତରକୁ କିଭଳି ବଢାଇ ହେବ ତଥା ଏଥି ସମ୍ପର୍କିତ ଅନେକ ଘରୋଇ ଉପଚାର ପ୍ରଦାନ କରୁଛନ୍ତି, ଯାହା ଆଦୌ ପ୍ରଭାବଶାଳୀ ନୁହେଁ। ଚେରମୂଳୀ ଓ ଲେମ୍ବୁ ରସର ଉପକାରିତା, ବାମ୍ଫ ନେବାର ଉପାୟ (ନେବୁଲାଇଜର) ଏବଂ ଧ୍ୟାନ ଓ ଯୋଗ ସହାୟତାରେ ଅମ୍ଳଜାନ ସ୍ତରକୁ ବୃଦ୍ଧି କରାଯାଇ ପାରିବ ବୋଲି ମଧ୍ୟ ଦାବି ହେଉଛି। ଯେଉଁମାନେ ଏପରି କିଛି ଅବୈଧ ତଥା ବିଭ୍ରାନ୍ତିକର ସୂଚନା ଆପଣାଇବାକୁ ଚେଷ୍ଟା କରିବେ ସେମାନଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିପାରେ। ନିକଟରେ ନିଜ ନାକରେ ଲେମ୍ବୁରସ ପକାଇବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଘଟିତ ହୋଇଥିଲା।
‘ଇନ୍‌ଫୋଡେମିକ୍‌’ ବା ‘ସୂଚନା ମହାମାରୀ’ର ବିସ୍ତାର ଫଳରେ ପରିସ୍ଥିତି ଅଧିକ ଜଟିଳତର ହେଉଛି। ଏଥିପାଇଁ ମୁଖ୍ୟତଃ ୪ଟି କାରଣ ଦାୟୀ। ପ୍ରଥମତଃ ଇଣ୍ଟରନେଟ୍‌ ମିଡିଆର ବିଭିନ୍ନ ପ୍ଲାଟଫର୍ମ ଯୋଗୁ ସୂଚନାଗୁଡ଼ିକ ଖୁବ୍‌ ଦ୍ରୁତ ଗତିରେ ବ୍ୟାପୁଛି। ଦ୍ୱିତୀୟରେ ଇଣ୍ଟରନେଟର ବିସ୍ତୃତ ଜ୍ଞାନ ଭଣ୍ଡାର ମଧ୍ୟକୁ ସମସ୍ତଙ୍କର ପ୍ରବେଶ ଓ ପହଞ୍ଚ ଅତି ସହଜ ହୋଇଛି। ତୃତୀୟରେ ସାମାଜିକ ଏବଂ ରାଜନୈତିକ ଧ୍ରୁବୀକରଣ ମାଧ୍ୟମରେ ସମନ୍ବୟ ନୀତିର ପ୍ରଚାର କାରଣରୁ ଏପରି ହେଉଛି। ଶେଷରେ ଆମ ଭଳି ଲୋକଙ୍କ ଆଶା ଓ ଆକାଂକ୍ଷା ପାଇଁ ଏସବୁ ବିଭ୍ରାନ୍ତିକର ପୋଷ୍ଟ ଏବଂ ଭିଡିଓଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ବ୍ୟାପି ଚାଲିଛି। ଏଥିରେ ବଡ଼ ଧରଣର ବିପଦ ରହିଥିବା ସତ୍ତ୍ୱେ, ଏସବୁକୁ ଜୀବନ୍ତ ରଖିବାରେ ଆମ ମନର ପ୍ରବୃତ୍ତି ହିଁ ଅନେକ ମାତ୍ରାରେ ଦାୟୀ। ସର୍ବପ୍ରଥମେ ସୂଚନା ଦେବା ନିଶାରେ ଆମେ ସୂଚନାର ସଠିକତାକୁ ବିଚାର ନ କରି ତାହାକୁ ଅତିଶୀଘ୍ର ନିଜ ବନ୍ଧୁ ଓ ପରିଜନଙ୍କ ନିକଟକୁ ପ୍ରେରଣ କରିବା ପାଇଁ ବ୍ୟଗ୍ରତା ଦେଖାଇଥାଉ। ଏହା ସର୍ବଦା ମହାମାରୀ, ବିପର୍ଯ୍ୟୟ, ଦୁର୍ଭିକ୍ଷ ଏବଂ ଯୁଦ୍ଧ ଭଳି ଜରୁରିକାଳୀନ ସମୟରେ ହିଁ ଘଟିଥାଏ। ଏଭଳି ପରିସ୍ଥିତିରେ ସମାଜ ତଥା ଲୋକଙ୍କ ମଧ୍ୟରେ ଭୟ ଏବଂ ଅସ୍ଥିରତା ବଢାଇବା ପାଇଁ ଆମ ନିଜର ଯେପରି କୌଣସି ପ୍ରକାରର ଯୋଗଦାନ ନ ରୁହେ ସେଥିପ୍ରତି ଆମ ସମସ୍ତଙ୍କୁ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ହେବ।
ଟୁଇଟର୍‌, ହ୍ବାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ଏଥିପ୍ରତି ସଚେତନ ରହିଛନ୍ତି ବୋଲି କହୁଥିଲେ ହେଁ ଏହାକୁ ଅଟକାଇବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ତଥାପି ଏ କ୍ଷେତ୍ରରେ ଗୁରୁଦାୟିତ୍ୱ ରହିଛି ଆମ ସରକାର ଓ ପ୍ରଶାସନର। ସମସ୍ତ ଅପରୀକ୍ଷିତ ଓ ବିଭ୍ରାନ୍ତି ସୃଷ୍ଟିକାରୀ ତଥ୍ୟ ବା ସୂଚନାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରପ୍ରସାର କରୁଥିବା ଲୋକଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସରକାର, ପ୍ରଶାସନ ଓ ସମାଜର ପ୍ରଭାବଶାଳୀ ବ୍ୟକ୍ତିଗଣ ଠିକ୍‌ ତଥ୍ୟ ଓ ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ସାଜିଲେ ସମସ୍ତଙ୍କ ଦ୍ବାରା ତାହା ବିଶ୍ବାସଭାଜନ ହୋଇପାରିବ। ସର୍ବୋପରି ଆମ ସମାଜରୁ ଇନ୍‌ଫୋଡେମିକ୍‌ ଭଳି ମହାମାରୀ ଦୂରେଇ ଯିବ।
ବୈପାରୀଗୁଡ଼ା, କୋରାପୁଟ,
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri