ଅପରିମିତ ଆହ୍ବାନକାରୀ

ରୁଷିଆ ସାମ୍ବାଦିକ ଡିମିତ୍ରି ମୁରାଟୋଭ୍‌ ଚଳିତବର୍ଷ ଫିଲିପାଇନ୍ସର ମହିଳା ସାମ୍ବାଦିକ ମାରିଆ ରେସାଙ୍କ ସହ ନୋବେଲ ଶାନ୍ତି ପୁରସ୍କାରର ଯୁଗ୍ମ ବିଜେତା ହୋଇଛନ୍ତି। ଡିମିତ୍ରି ରୁଷିଆ ଶାସକଙ୍କ ଦୁର୍ନୀତି ଓ କ୍ଷମତା ଅପବ୍ୟବହାର ସଂକ୍ରାନ୍ତୀୟ ତଥ୍ୟଭିତ୍ତିକ ଓ ନିରପେକ୍ଷ ରିପୋର୍ଟ ପ୍ରକାଶ କରି ସମଗ୍ର ବିଶ୍ୱକୁ ଜଣାଇଦେଲେ ସେଠାରେ କିଭଳି ଏକଚ୍ଛତ୍ରବାଦ ଚାଲିଛି। ଏବେ ଆଉ ଜଣେ ରୁଷୀୟ ଆଲେକ୍ସି ନାଭାଲ୍‌ନି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶାସନରେ ଦୁର୍ନୀତିର ଚେର କିଭଳି ସମଗ୍ର ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି, ତାହା ବିରୋଧରେ ସ୍ବର ଉତ୍ତୋଳନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳରେ ତାଙ୍କର ଏଭଳି ସାହସିକତାକୁ ୟୁରୋପିଆନ୍‌ ପାର୍ଲାମେଣ୍ଟ ନିକଟରେ ଉଚ୍ଚପ୍ରଶଂସା କରିବା ସହ ‘ଇମେନ୍ସ ପର୍ସନାଲ ବ୍ରେଭେରି’ ପାଇଁ ତାଙ୍କୁ ସାଖାରୋଭ୍‌ ପୁରସ୍କାର ବିଜେତା ଘୋଷଣା କରିଛି। ମାନବ ଅଧିକାର ସୁରକ୍ଷା ଏବଂ ମୁକ୍ତ ଭାବନା ବା ସ୍ପଷ୍ଟବାଦିତା ଦିଗରେ ଉଦ୍ଦିଷ୍ଟ ଏହି ସମ୍ମାନ ସାଧାରଣରେ ‘ସାଖାରୋଭ୍‌ ପୁରସ୍କାର’ ଭାବେ ଜଣାଶୁଣା। ରୁଷୀୟ ବୈଜ୍ଞାନିକ ଆଣ୍ଡ୍ରେଇ ସାଖାରୋଭ୍‌ଙ୍କ ନାମରେ ଏହା ନାମିତ ହୋଇଛି। ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ସଙ୍ଗଠନକୁ ୟୁରୋପୀୟ ପାର୍ଲାମେଣ୍ଟ ଦ୍ୱାରା ୧୯୮୮ ମସିହାରୁ ଏହା ପ୍ରଦାନ କରାଯାଇଆସୁଛି। ଉଲ୍ଲେଖଯୋଗ୍ୟ, ଏହି ପୁରସ୍କାର ଲାଗି ୟୁରୋପିଆନ୍‌ ପାର୍ଲାମେଣ୍ଟସ୍‌ କମିଟି ଅନ୍‌ ଫରେନ୍‌ ଆଫେୟାର୍ସ ଆଣ୍ଡ୍‌ କମିଟି ଅନ୍‌ ଡେଭଲପ୍‌ମେଣ୍ଟ ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଥାଏ। ତା’ପରେ ଚୂଡ଼ାନ୍ତ ନିଷ୍ପତ୍ତି ଇରୋପିଆନ୍‌ ପାର୍ଲାମେଣ୍ଟସ୍‌ କନ୍‌ଫରେନ୍ସ ଅଫ୍‌ ପ୍ରେସିଡେଣ୍ଟସ୍‌ ଉପରେ ଛଡ଼ାଯାଇଥାଏ। ଏଠାରେ ସ୍ମରଣ କରାଯାଇପାରେ ଯେ, ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍‌ ମଣ୍ଡେଲା, ମ୍ୟାନ୍‌ମାର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ, ପାକିସ୍ତାନର ବାଳିକା ଶିକ୍ଷା ଅଧିକାର କର୍ମୀ ମାଲାଲା ୟୁସୁଫ୍‌ଜାଇଙ୍କ ଭଳି ବ୍ୟକ୍ତି ଏହି ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ତେବେ ଏକଦା ବିଶ୍ୱର ସୁପରପାଓ୍ବାର ରହିଆସିଥିବା ରୁଷିଆର ବର୍ତ୍ତମାନ ଶାସନକୁ ବିରୋଧ କରୁଥିବା ଅନ୍ୟତମ ବିରୋଧୀ ନେତା, ଆଇନଜୀବୀ, ମାନବ ଅଧିକାର କର୍ମୀ ତଥା ଦୁର୍ନୀତିବିରୋଧୀ ଆକ୍ଟିଭିଷ୍ଟ ଆଲେକ୍ସି ସାଖାରୋଭ ପୁରସ୍କାର ବିଜେତା ହେବା ପରେ ପୁଟିନ୍‌ ସରକାର ନିନ୍ଦିତ ହୋଇଛନ୍ତି। ଏବେ କୁହାଗଲାଣି ଯଦି ପୁଟିନ୍‌ କାହାକୁ ସବୁଠାରୁ ଅଧିକ ଭୟ କରୁଛନ୍ତି, ସେ ହେଉଛନ୍ତି ନାଭାଲ୍‌ନି। ରୁଷିଆର ସର୍ବକ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଦୁଃସ୍ବପ୍ନ ଆଣିଥିବାରୁ ନାଭାଲ୍‌ନିଙ୍କ ବ୍ୟକ୍ତିତ୍ୱ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନାଭାଲ୍‌ନି ରୁଷିଆ ନାଗରିକ ହୋଇଥିଲେ ହେଁ ସେ ୟୁକ୍ରେନ୍‌ର ମୂଳବାସିନ୍ଦା। ସେ ମସ୍କୋର ୧୦୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମାଞ୍ଚଳରେ ବଢ଼ିଥିଲେ। ହେଲେ ତାଙ୍କ ପିଲାଦିନ ୟୁକ୍ରେନ୍‌ରେ ବୁଢ଼ୀମା’ଙ୍କ ପାଖରେ କଟିଥିଲା। ୟୁକ୍ରେନ୍‌ ଭାଷାରେ ସେ ଅତି ଦକ୍ଷ। ତାଙ୍କ ପିତା ଆନାଟୋଲି ନାଭାଲ୍‌ନି ଓ ମାତା ଲ୍ୟୁଡ୍‌ମିଲା ନାଭାଲ୍‌ନି ଭୋଲ୍‌ଗଡା ଅନ୍ତର୍ଗତ କୋବ୍ୟାକୋଭୋ ଗ୍ରାମରେ ପାଛିଆବୁଣା ବ୍ୟବସାୟ କରୁଛନ୍ତି। ତେବେ ୪୫ ବର୍ଷୀୟ ଆଲେକ୍ସି ନାଭାଲ୍‌ନି ରୁଷିଆର ପିପୁଲ୍ସ ଫ୍ରେଣ୍ଡଶିପ୍‌ ୟୁନିଭର୍ସିଟିରୁ ୧୯୯୮ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ରଷିଆନ୍‌ ଫେଡେରେଶନ୍‌ ଅଧୀନ ଫାଇନାନ୍ସିଆଲ୍‌ ୟୁନିଭର୍ସିଟିରେ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ପାଠ ପଢ଼ିଥିଲେ। ୨୦୧୦ରେ ୟେଲେ ୟୁନିଭର୍ସିଟିରୁ ୟେଲେ ଓ୍ବାର୍ଲଡ ଫେଲୋଜ୍‌ ଭାବେ ସ୍କଲାରଶିପ୍‌ ପାଇଥିଲେ।
ନାଭାଲ୍‌ନି ୨୦୦୦ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ। ତାଙ୍କୁ ୨୦୦୧ରେ ରଷିଆନ୍‌ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ପାର୍ଟି ୟାବ୍‌ଲୋକୋର ସଦସ୍ୟତା ମିଳିଥିଲା। ୨୦୦୨ରେ ସେ ୟାବ୍‌ଲୋକୋର ମସ୍କୋ ଶାଖାର ଆଞ୍ଚଳିକ ପରିଷଦକୁ ନିର୍ବାଚିତ ହୋଇଥିଲେ। କାର୍ଯ୍ୟ ପ୍ରତି ନିଷ୍ଠା ଥିବା ଦେଖି ବରିଷ୍ଠ ନେତାମାନେ ତାଙ୍କୁ ୨୦୦୩ରେ ସଂସଦୀୟ ନିର୍ବାଚନରେ ମସ୍କୋ ସବ୍‌ଡିଭିଜନ୍‌ର ପ୍ରଚାର ଦାୟିତ୍ୱ ଦେଇଥିଲେ। ଏହା ପରେ ୨୦୦୪ରେ ସେ ୟାବ୍‌ଲୋକୋର ମସ୍କୋର ଶାଖାର ମୁଖ୍ୟ ହୋଇ ୨୦୦୭ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୧୨ରେ ସଂସଦୀୟ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ସେ ଦର୍ଶାଇଥିଲେ। ପୁଟିନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବାରୁ ତାହାକୁ ନାଭାଲ୍‌ନି ବିରୋଧ କରିଥିଲେ। ଫଳରେ ରୁଷିଆର ଅନେକ ଲୋକ ତାଙ୍କ ସହ ଯୋଡ଼ି ହୋଇଥିଲେ। ଏହି ବିରୋଧ ପ୍ରଦର୍ଶନ ଯୋଗୁ ନାଭାଲ୍‌ନିଙ୍କ ସମେତ ୩୦୦ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଥିଲା। ସେ ପୁଟିନ୍‌ଙ୍କ ଏଭଳି ଏକଚ୍ଛତ୍ରବାଦକୁ ନିଜ ବ୍ଲଗ ମାଧ୍ୟମରେ ବିରୋଧ କରିଚାଲିଲେ। ୨୦୧୮ରେ ଯେତେବେଳେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ବିଷୟ ଘୋଷଣା କଲେ ସେତେବେଳେ ତାଙ୍କ ବିରୋଧରେ ପୂର୍ବରୁ ଥିବା ମାମଲାକୁ ସକ୍ରିୟ କରାଯାଇ ପ୍ରତିଦ୍ୱନ୍ଦ୍ୱିତା କରିବାର ବାଟ ଓଗାଳି ଦିଆଯାଇଥିଲା। ସେହିପରି ୨୦୧୯ ସିଟି ଡୁମା ନିର୍ବାଚନରେ ବିରୋଧୀକୁ ନିର୍ବାଚନ ଲଢ଼ିବାକୁ ଦିଆ ନ ଯିବାରୁ ସେ ତାହାର ପ୍ରତିବାଦ କରିଥିଲେ। ଫଳରେ ତାଙ୍କୁ ପ୍ରଥମେ ୧୦ ଦିନ ଓ ପରେ ମାସକ ପାଇଁ ଗିରଫ କରି ରଖାଗଲା। ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା। ଅବଶ୍ୟ ମରଣମୁଖରୁ ଫେରିବାରେ ସେ ସକ୍ଷମ ହୋଇଥିଲେ। ୨୦୨୦ରେ ପୁଟିନ୍‌ ଓ ତାଙ୍କ ବ୍ୟବସ୍ଥା ଏକଚ୍ଛତ୍ରବାଦକୁ ରାଷ୍ଟ୍ରନୀତି କରିଦେବା ପରେ ନାଭାଲ୍‌ନି ତାହାକୁ ଘୋର ବିରୋଧ କରିଥିଲେ। ଦୁର୍ନୀତି ବିରୋଧରେ କ୍ରମାଗତ ସ୍ବର ଉତ୍ତୋଳନ କରି ସେ ଏବେ ରୁଷବାସୀଙ୍କ ଅତି ପ୍ରିୟ ମଣିଷ ହୋଇଯାଇଛନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ୬୦ ଲକ୍ଷ ଅନୁଗାମୀ ଥିବା ବେଳେ ଟୁଇଟରରେ ୨୦ ଲକ୍ଷ ଫଲୋୟର୍ସ ଅଛନ୍ତି। ସିଧାସଳଖ ପୁଟିନ୍‌ ଓ ତାଙ୍କ ଶାସନକୁ ବିରୋଧ କରି ରୁଷିଆର ସାମ୍ପ୍ରତିକ ରାଜନୈତିକ ଭୂମଣ୍ଡଳରେ ସେ ଯେଉଁ ସ୍ଥାନ ଦଖଲ କରିଛନ୍ତି, ତାହା ତାଙ୍କୁ ଅନ୍ୟତମ ବିଶ୍ୱସ୍ତରୀୟ ନେତାର ସମ୍ମାନ ଦେଇପାରିଛି।

 

ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri