Categories: ଖେଳ

ଇନ୍‌ଫାଣ୍ଟିନୋଙ୍କ ବଡ଼ ଆଇନଗତ ବିଜୟ

ବେଲିଜୋନା, ୬।୫(ଏପି): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛନ୍ତି। ସୁଇଜରଲାଣ୍ଡର ପୂର୍ବତନ ଅଟୋର୍ନି ଜେନେରାଲ ମାଇକେଲ ଲାଉବେରଙ୍କ ସହ ହୋଇଥିବା ତାଙ୍କ ବୈଠକ ନେଇ ତଦନ୍ତ କରୁଥିବା ସ୍ବତନ୍ତ୍ର ପ୍ରୋସିକ୍ୟୁଟର ଷ୍ଟିଫାନ କେଲରଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏନେଇ ଇନ୍‌ଫାଣ୍ଟିନୋ ଦାଖଲ କରିଥିବା ଆବେଦନକୁ ସୁଇସ୍‌ ଫେଡେରାଲ କ୍ରାଇମ କୋର୍ଟ ସମର୍ଥନ କରି ରାୟ ଦେଇଛି। ତେବେ ତଦନ୍ତକୁ ବନ୍ଦ କରାଯାଇ ନାହିଁ। ଏ ନେଇ କେଲରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।
ଗତ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ କେଲର କାର୍ଯ୍ୟାଳୟ ତରଫରୁ ୪ଟି ଖବର ତଥା ଦସ୍ତାବିଜ ପ୍ରକାଶିତ ହୋଇଥିଲା। ଫଳରେ ତାଙ୍କୁ ଦାୟିତ୍ୱରୁ ହଟାଯାଇଛି ବୋଲି କୋର୍ଟ କହିଛି। ଏହି ଦସ୍ତାବିଜ୍‌ରେ ଇନ୍‌ଫାଣ୍ଟିନୋ ଫିଫା ଦ୍ୱାରା ବୁକ୍‌ କରାଯାଇଥିବା ଏକ ଘରୋଇ ଜେଟ୍‌ ବିମାନରେ ୨୦୧୭ରେ ସୁରିନାମରୁ ସୁଇଜରଲାଣ୍ଡ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରାଯାଇଥିଲା। ଏ ସଂକ୍ରାନ୍ତରେ ଇନ୍‌ଫାଣ୍ଟିନୋଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବା ଉଚିତ ବୋଲି କେଲର କହିଥିଲେ। ଏନେଇ ତଦନ୍ତ କରିବା ନେଇ କେଲରଙ୍କ କୌଣସି ଅଧିକାର ନାହିଁ ବୋଲି କୋର୍ଟ ତରଫରୁ କୁହାଯାଇଛି।
ପୁଣି ୨୦୧୬ ଓ ୨୦୧୭ରେ ମାଇକେଲ ଲାଉବେରଙ୍କ ସହ ଇନ୍‌ଫାଣ୍ଟିନୋ ଏକାଧିକ ବୈଠକରେ ସାକ୍ଷାତ କରିଥିଲେ। ଏହି ସମୟରେ ଅନ୍ତର୍ଜାତୀୟ ସକର ଅଧିକାରୀଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଥିଲା। ଉଭୟ ଅବଶ୍ୟ ଏହି ବୈଠକ ନେଇ କୌଣସି ସ୍ପଷ୍ଟିକରଣ ଦେଇ ନ ଥିଲେ ଓ ଏ ନେଇ ଗଣମାଧ୍ୟମରେ ସେତେବେଳେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ୨୦୧୬ ଫେବୃୟାରୀରେ ଇନ୍‌ଫାଣ୍ଟିନୋ ଫିଫା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ଲାଉବେରଙ୍କୁ ସୁଇଜରଲାଣ୍ଡର ଆଟର୍ନି ଜେନେରାଲ ପଦରୁ ବହିସ୍କାର କରାଯାଇଥିଲା। ସେ ବିଭିନ୍ନ ତଦନ୍ତକୁ ବାଟବଣା କରିବାରୁ ଅଭିଯୋଗ ଆସିଥିଲା।

Share