Categories: ଖେଳ

ଭାରତୀୟ ମହିଳା ପ୍ରଥମ ପିଙ୍କ୍‌ବଲ ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୧।୫(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ପିଙ୍କ୍‌ବଲ ଟେଷ୍ଟ ଖେଳିବାର ସୌଭାଗ୍ୟ ହାସଲ କରିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦିବାରାତ୍ର ଟେଷ୍ଟ ଖେଳି ଇତିହାସ ସୃଷ୍ଟି କରିବ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ମଧ୍ୟରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।
ଏହି ଦିବାରାତ୍ର ମ୍ୟାଚ୍‌ ପର୍ଥରେ ଆୟୋଜନ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଏ ନେଇ ଘୋଷଣା କରିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ପର୍ଥରେ ଅବଶ୍ୟ ଏ ପର୍ଯ୍ୟନ୍ତ କୌଣସି ଦିବାରାତ୍ର ଟେଷ୍ଟ ଖେଳାଯାଇ ନାହିଁ ବୋଲି ସୂଚନା ଦେଇଛି। ମହିଳ କ୍ରିକେଟର ପ୍ରଚାର ଓ ପ୍ରସାର ପାଇଁ ଆମର ପ୍ରୟାସ ଜାରି ରହିଛି। ଫଳସ୍ବରୂପ ଭାରତୀୟ ମହିଳା ଦଳ ଏହି ପିଙ୍କ ବଲ୍‌ ଟେଷ୍ଟ ଖେଳିବ ବୋଲି ଶାହା ଟୁଇଟ କରି ଜଣାଇଛନ୍ତି। ଦୀର୍ଘ ୭ ବର୍ଷ ପରେ ଭାରତୀୟ ମହିଳା ଦଳ ଜୁନ ୧୬ରେ ଇଂଲଣ୍ଡରେ ପ୍ରଥମଥର ପାଇଁ ଟେଷ୍ଟ ଖେଳିବ। ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ଟେଷ୍ଟ ଖେଳିବ। ଭାରତ ମଧ୍ୟ ସେପ୍ଟେମ୍ବର ୧୯ରୁ ୨୪ ମଧ୍ୟରେ ୩ଟି ଦିନିକିଆ ଓ ଅକ୍ଟୋବର ୭ରୁ ୧୧ ମଧ୍ୟରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ୨୦୦୬ରେ ଭାରତ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲା। ମହିଳା କ୍ରିକେଟ ଇତିହାସରେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ପିଙ୍କ୍‌ ବଲ୍‌ ଟେଷ୍ଟରେ ପରସ୍ପରକୁ ଭେଟିବେ। ତେବେ ଏ ପର୍ଯ୍ୟନ୍ତ ୨୦୧୭ ନଭେମ୍ବରରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଦିବାରାତ୍ର ଟେଷ୍ଟ ଖେଳାଯାଇଛି ଓ ଏହା ଅମୀମାଂସିତ ରହିଥିଲା।
ପିଙ୍କ୍‌ବଲ ଟେଷ୍ଟ ଭାରତ ପାଇଁ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ବୋଲି ଜଣେ ପୂର୍ବତନ କ୍ରିକେଟର କହିଛନ୍ତି। ଭାରତୀୟ ମହିଳା କ୍ରିକେଟରମାନେ ପୂର୍ବରୁ ପିଙ୍କ୍‌ବଲରେ ଖେଳି ନାହାନ୍ତି। ଫଳରେ ଭାରତକୁ ନିଶ୍ଚିତ ଭାବେ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା ଦଳ ନିୟମିତ ଭାବେ ଟେଷ୍ଟ ଖେଳିଆସୁଛନ୍ତି। ଏବେ ଭାରତ ଏହି ଦୁଇ ଶ୍ରେଷ୍ଠ ଦଳ ବିପକ୍ଷରେ ଟେଷ୍ଟ ଖେଳିବ। ଟେଷ୍ଟ ଖେଳିବାକୁ ଆମେ ବ୍ୟଗ୍ର ଅଛୁ ବୋଲି ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଂ କହିଛନ୍ତି। ଏହି ପିଙ୍କ୍‌ବଲ ଟେଷ୍ଟ ନିଶ୍ଚିତ ଭାବେ ରୋମାଞ୍ଚକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
କାର୍ଯ୍ୟସୂଚୀ
ତାରିଖ ମ୍ୟାଚ୍‌ ଭେନ୍ୟୁ
ସେପ୍ଟେମ୍ବର ୧୯ ପ୍ରଥମ ଦିନିକିଆ ସିଡ୍‌ନୀ ଓଭାଲ (ଦିବାରାତ୍ର)
ସେପ୍ଟେମ୍ବର ୨୨ ଦ୍ୱିତୀୟ ଦିନିକିଆ ଜଙ୍କସନ ଓଭାଲ
ସେପ୍ଟେମ୍ବର ୨୪ ତୃତୀୟ ଦିନିକିଆ ଜଙ୍କସନ ଓଭାଲ
ସେପ୍ଟେମ୍ବର ୩୦- ଅକ୍ଟୋବର ୩ ପିଙ୍କ୍‌ବଲ ଟେଷ୍ଟ ଓ୍ବାକା ଗ୍ରାଉଣ୍ଡ (ଦିବାରାତ୍ର)
ଅକ୍ଟୋବର ୭ ପ୍ରଥମ ଟି୨୦ ନର୍ଥ ସିଡ୍‌ନୀ ଓଭାଲ
ଅକ୍ଟୋବର ୯ ଦ୍ୱିତୀୟ ଟି୨୦ ନର୍ଥ ସିଡ୍‌ନୀ ଓଭାଲ
ଅକ୍ଟୋବର ୧୧ ତୃତୀୟ ଟି୨୦ ନର୍ଥ ସିଡ୍‌ନୀ ଓଭାଲ

Share